ଗାଁ ଓଡ଼ିଶା ମନ ପଡିଶାର : ରାୟଗଡା ଜିଲ୍ଲାରେ ବି କୋଟିଆ ସ୍ଥିତି, ପ୍ରଶାସନିକ ଅବହେଳା ନା ଅଧିକ ସୁବିଧା ସୁଯୋଗର ମୋହ…

ରାୟଗଡ଼ା ୧୧।୦୨: ଓଡ଼ିଶା ସୀମାନ୍ତବର୍ତ୍ତୀ ଗାଁଗୁଡ଼ିକର ଲୋକମାନେ ପଡ଼ୋଶୀ ଆନ୍ଧ୍ର ଉପରେ ନିର୍ଭର କରୁଥିବା ବେଳେ ତା’ର ଫାଇଦା ଉଠାଉଛି ଆନ୍ଧ୍ର ପ୍ରଶାସନ । କେବଳ କୋରାପୁଟର କୋଟିଆ ନୁହେଁ , ରାୟଗଡ଼ା, ଗଞ୍ଜାମ, ଗଜପତି ସବୁଠି ସୀମାବର୍ତ୍ତୀ ଗାଁ ଗୁଡ଼ିକ ଉପରେ ରହିଛି ଆନ୍ଧ୍ରର ନଜର । ଯଦି ନିକଟ ଭବିଷ୍ୟତରେ ଦୁଇ ରାଜ୍ୟର ସୀମା ନିର୍ଦ୍ଧାରଣ ସହ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଥିବା ଗ୍ରାମବାସୀଙ୍କ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆନଯାଏ ତାହେଲେ ସୀମାବର୍ତ୍ତୀ ଅଂଚଳଗୁଡ଼ିକରେ କୋଟିଆ ଭଳି ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରାୟଗଡ଼ା ଜିଲ୍ଲାର ଏମିତି କିଛି ଗାଁର ଘଟଣା ସଂପର୍କରେ ଆସନ୍ତୁ ଜାଣିବା ।

ଓଡ଼ିଶାର ଗାଁ, ଆନ୍ଧ୍ରର ନାଁ । ଓଡ଼ିଶାରେ ଥାଇ ବି ପଡ଼ୋଶୀ ଆନ୍ଧ୍ର ନାଁରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏବେ ଯେତେବେଳ କୋରାପୁଟ କୋଟିଆକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଯେତେବେଳେ କୋଟିଆରେ ପଶି ଆନ୍ଧ୍ର ପ୍ରଶାସନ ନିର୍ବାଚନ କରୁଛି, ସେତେବେଳେ ଆମେ ରାୟଗଡ଼ାର ଏମିତି କିଛି ଗାଁର ଚିତ୍ର ଦେଖାଇ ଓଡ଼ିଶା ପ୍ରଶାସନକୁ ସତର୍କ କରାଇବାକୁ ଚାହୁଁଛୁ । ଯେଉଁଠି ବର୍ଷ ବର୍ଷ ଧରି ଲୋକଙ୍କ ପାଖରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ସୁଯୋଗ ପହଞ୍ଚାଇବାରେ ବିଫଳ ହୋଇଛି ଆମ ପ୍ରଶାସନ । ଯେଉଁଥି ପାଇଁ ସେଠାକାର ଲୋକଙ୍କର ଇଚ୍ଛା ନଥିଲେ ମଧ୍ୟ ସେମାନେ ଆନ୍ଧ୍ର ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି ।

ରାୟଗଡ଼ା ବ୍ଲକର ମିରାପାଲି ପଞ୍ଚାୟତର ଏମିତି ଏକ ଗାଁ ହେଉଛି ରେଙ୍ଗାଲପାଡ଼ୁ । ୭୦ ପରିବାର ବସବାସ କରୁଥିବା ଏହି ଗାଁର ଲୋକମାନେ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଆନ୍ଧ୍ରପ୍ରଦେଶର ଗୁମାଲକ୍ଷ୍ମୀପୁର ବ୍ଲକ ଉପରେ ନିର୍ଭର କରନ୍ତି । କେବଳ ଟଙ୍କିକିଆ ଚାଉଳକୁ ଛାଡ଼ିଦେଲେ ଏଠାକାର ଲୋକଙ୍କ ପାଖରେ ଓଡ଼ିଶା ସରକାରଙ୍କ ଆଉ କିଛି ସୁବିଧା ସୁଯୋଗ ପହଞ୍ଚୁ ନାହିଁ । ଏଭଳି ପରିସ୍ଥିତି ପାଇଁ ୧୯୬୦ ମସିହା ମ୍ୟାପରେ ଥିବା ଓଡ଼ିଶାର କନ୍ଧକୁପା ଗାଁ ଏବେ ଆନ୍ଧ୍ର ଅଧୀନକୁ ଚାଲିଯାଇଛି । କେବଳ ରେଙ୍ଗାଲପାଡ଼ୁ ନୁହେଁ, ସୁରୁଣି, ଜୋଡ଼ି, ଜିମ୍ବାକୁଟି ଗାଁର ମଧ୍ୟ ସେଇ ସମାନ ଅବସ୍ଥା । ଏଠି ନା’ ଅଛି ବିଜୁଳି ଆଲୁଅ ନା’ ଅଛି ମୋବାଇଲ୍ ଟାଓ୍ବାର । ଏଠି ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଶାର ପିଲାମାନେ ତେଲଗୁ ପଢ଼ିବାକୁ ବାଧ୍ୟ ହେଉଛନ୍ତି ।

ଏସବୁ ଗାଁର ଲୋକମାନେ ନିଜର ଉତ୍ପାଦିତ ଧାନ, ମାଣ୍ଡିଆ, ହରଡ଼, ସୂର୍ଯ୍ୟମୁଖୀ, ତେନ୍ତୁଳି, ସୀତାଫଳ ବିକିବାକୁ ଆନ୍ଧ୍ର ବଜାର ଉପରେ ନିର୍ଭର କରନ୍ତି । ଏଠି ଓଡ଼ିଶା ପ୍ରଶାସନ ତରଫରୁ ଧାନମଣ୍ଡିଟିଏ ବି ନାହିଁ । ବାଧ୍ୟ ହୋଇ ଲୋକମାନେ ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ ଢ଼େର କମ୍ ଦରରେ ଆନ୍ଧ୍ର ବେପାରୀଙ୍କୁ ଧାନ ବିକୁଛନ୍ତି ।  ଗାଁ ଲୋକେ ସ୍ଥାନୀୟ ପ୍ରଶାସନକୁ ନିଜର ଅଭାବ ଅସୁବିଧା ସମ୍ପର୍କରେ ବାରମ୍ବାର ଗୁହାରି କରିବା ପରେ ବି କିଛି ସୁଫଳ ପାଉନାହାନ୍ତି । ଯାହା ଆନ୍ଧ୍ର ପ୍ରଶାସନ ପାଇଁ ସୁଯୋଗ ସୃ୍ଷ୍ଟି କରିଛି । ବିଭିନ୍ନ ସୁବିଧା ସୁଯୋଗର ପ୍ରଲୋଭନ ଦେଖାଇ ଏଠାକାର ଲୋକଙ୍କୁ କବ୍ଜା କରିବାକୁ ଚେଷ୍ଟା କରୁଛନ୍ତି ଆନ୍ଧ୍ର ପ୍ରଶାସନର ଅଧିକାରୀ । ଓଡ଼ିଶା ସରକାର କିନ୍ତୁ ଯେଉଁମାନଙ୍କ ହାତରେ ଲୋକଙ୍କ ସୁବିଧା ଅସୁବିଧା କଥା ବୁଝିବାକୁ ଦାୟିତ୍ବ ଦେଇଛନ୍ତି ସେମାନଙ୍କ ଅବହେଳା ପାଇଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ସ୍ଥାନୀୟ ନେତା କହୁଛନ୍ତି ସବୁ କିଛି ଠିକ୍ ଚାଲିଛି ।




from Prameya News7 https://ift.tt/3aSUAkW
ଗାଁ ଓଡ଼ିଶା ମନ ପଡିଶାର : ରାୟଗଡା ଜିଲ୍ଲାରେ ବି କୋଟିଆ ସ୍ଥିତି, ପ୍ରଶାସନିକ ଅବହେଳା ନା ଅଧିକ ସୁବିଧା ସୁଯୋଗର ମୋହ… ଗାଁ ଓଡ଼ିଶା ମନ ପଡିଶାର : ରାୟଗଡା ଜିଲ୍ଲାରେ ବି କୋଟିଆ ସ୍ଥିତି, ପ୍ରଶାସନିକ ଅବହେଳା ନା ଅଧିକ ସୁବିଧା ସୁଯୋଗର ମୋହ… Reviewed by SUBHENDU BARAL on February 10, 2021 Rating: 5

No comments:

Powered by Blogger.