ଋଷକୁ ବଡ ଝଟକା, ପୁଟିନ ସେନାର ୨ ବରିଷ୍ଠ ଜେନେରାଲଙ୍କୁ ନିପାତ କଲା ୟୁକ୍ରେନ୍
ମସ୍କୋ,୦୭/୦୬: ୟୁକ୍ରେନ୍ ଯୁଦ୍ଧରେ ରୁଷ୍କୁ ବ୍ୟାପକ କ୍ଷତି ପହଞ୍ଚିବାରେ ଲାଗିଛି । ୩୦,୦୦୦ରୁ ଅଧିକ ସୈନ୍ୟ ପ୍ରାଣ ହରାଇଥିବା ବେଳେ ବିପୁଳ ମାତ୍ରାର ଯୁଦ୍ଧାସ୍ତ୍ର ନଷ୍ଟ ହୋଇସାରିଲାଣି । ଏମିତି କି ଅନେକ ଜେନେରାଲ ବି ପ୍ରାଣ ହରାଇଲେଣି । ପୂର୍ବ ୟୁକ୍ରେନ୍ରେ ଯୁଦ୍ଧ ବେଳେ ରୁଷ୍ ଗୋଟିଏ ଦିନରେ ଦୁଇ ଜଣ ବରିଷ୍ଠ ଜେନେରାଲଙ୍କୁ ହରାଇଥିବା ଜଣାପଡ଼ିଛି । ସେମାନେ ହେଲେ ମେଜର ଜେନେରାଲ ରୋମାନ କୁତୁଜୋଭ ଓ ଲେଫ୍ଟନାଣ୍ଟ ଜେନେରାଲ ରୋମାନ୍ ବର୍ଡନିକୋଭ । ରୁଷ ସେନାକୁ ଏହାଦ୍ୱାରା ବଡ଼ ଝଟ୍କା ଲାଗିଛି ।
ସୂଚନା ମୁତାବକ ପୂର୍ବ ୟୁକ୍ରେନ୍ରେ ରୁଷ ସେନା ଆଗକୁ ବଢ଼ୁଥିବା ବେଳେ ବାଟରେ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି । କିଛିଦିନ ତଳେ ଏହାର ସୈନ୍ୟମାନେ ଡୋନେଟ୍ସ ନଦୀ ପାର୍ ହେବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ୟୁକ୍ରେନ୍ ସେନା ତାହାକୁ ଜାଣିନେଇଥିଲା । ଫଳରେ ସେଠାରେ ଆମ୍ବୁସ ବିଛାଇଥିଲା । ଶତ୍ରୁପକ୍ଷ ସୈନ୍ୟମାନେ ନଦୀର ସେତୁ ପାର୍ ହେଉଥିବା ବେଳେ ୟୁକ୍ରେନ୍ ଅଚାନକ ଆକ୍ରମଣ କରିଥିଲା । ଫଳରେ ଅନେକ ସୈନ୍ୟ ପ୍ରାଣ ହରାଇଥିଲେ । ୟୁକ୍ରେନ୍ ସେନାର ‘ବ୍ରିଜ୍ ଆମ୍ବୁଶ’ରେ ଫସିବାରୁ ବ୍ୟାପକ କ୍ଷତିର ସାମ୍ନା କରିବାକୁ ପଡ଼ିଥିଲା ରୁଷ୍କୁ । ଏଥିରେ ଗୋଟିଏ ଦିନରେ ଦୁଇଜଣ ବରିଷ୍ଠ ରୁଷୀୟ ଜେନେରାଲ ପ୍ରାଣ ହରାଇଥିଲେ ।
କୁହାଯାଉଛି ଯେ, ଆମେରିକୀୟ ପ୍ରଯୁକ୍ତି ସହାୟତାରେ ୟୁକ୍ରେନ୍ ସେନା ରୁଷୀୟ ସେନାର ଗତିବିଧି ଠଉରାଇ ପାରି ଜାଲ ବିଛାଇଥିଲା ।
ମେଜର ଜେନେରାଲ ରୋମାନ୍ କୁତୁଜୋଭ ପ୍ରାଣ ହରାଇଥିବା ଖବରକୁ ରୁଷ ସ୍ପଷ୍ଟ କରିଛି । ସୋମବାର ପ୍ରକାଶିତ ନୂଆ ରିପୋର୍ଟ ମୁତାବକ ସେହିଦିନ ଲେଫ୍ଟନାଣ୍ଟ ଜେନେରାଲ ରୋମ୍ ବର୍ଡନିକୋଭ (୪୭) ମଧ୍ୟ ପ୍ରାଣ ହରାଇଥିଲେ । ମାସେ ତଳେ ବର୍ଡନିକୋଭଙ୍କୁ ସିରିୟାରେ ସଶସ୍ତ୍ର ଟାସ୍କଫୋର୍ସ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଏହାପରେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ନିର୍ଦ୍ଦେଶରେ ସେ ୟୁକ୍ରେନ୍ ଆସି ରୁଷ୍ର ଏକ ସେନା ଗ୍ରୁପ୍ର କମାଣ ସମ୍ଭାଳିଥିଲେ । ତାଙ୍କୁ ମିଶାଇ ୟୁକ୍ରେନ୍ ଯୁଦ୍ଧରେ ରୁଷ ଏହାର ୧୨ତମ ଜେନେରାଲ ହରାଇଛି । ଲେଫ୍ଟନାଣ୍ଟ ଜେନେରାଲ ବର୍ଡିନକୋଭ ଡୋନେସ୍କସ୍ଥିତ ଡିପିଆର୍ ୟୁନିଟ୍ର ପରିଚାଳନା ଦାୟିତ୍ୱ ନେଇଥିଲେ । ଏକ ସେତୁ ଉପରେ ତାଙ୍କ ଯୁଦ୍ଧ ଗାଡ଼ିଗୁଡ଼ିକ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା ।
from Prameya News7 https://ift.tt/7QGphMz

















