ଭୁବନେଶ୍ୱର,୦୮/୧୦: ଟଳିଲା ପୂଜା ବେଳକୁ ବାତ୍ୟା ଡର । ପୂଜାରେ ବର୍ଷା ହେବ । ଭିଜିବ ସାରା ଓଡ଼ିଶା । ହେଲେ ୧୭ ବେଳକୁ ବାତ୍ୟା ସମ୍ଭାବନା ରହିଛି । ପାଣିପାଗବିତ୍ ଏଭଳି ପୂର୍ବାନୁମାନ କରିଛନ୍ତି ।
ପୂର୍ବରୁ ପାଣିପାଗବିତ୍ ଦୁଇଟି ବାତ୍ୟା ନେଇ ପୂର୍ବାନୁମାନ କରିଥିଲେ । ମାତ୍ର ପ୍ରଥମ ସିଷ୍ଟମଟି ବାତ୍ୟା ନହୋଇ ଲଘୁଚାପ ପରେ ଅବପାତ ରୂପ ନେବ ବୋଲି ଏବେ ସ୍ପଷ୍ଟ ହୋଇଛି । ଦ୍ୱିତୀୟ ସିଷ୍ଟମ୍ ଅନୁସାରେ ୧୭ ତାରିଖ ବେଳକୁ ବାତ୍ୟା ହେବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରୁଛନ୍ତି ।
ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣିବଳୟ ସୃଷ୍ଟି ହେବ । ଯାହା ୧୧ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହେବ । କେନ୍ଦ୍ରୀୟ ଏବଂ ଦକ୍ଷିଣ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ତାପମାତ୍ରା ଏବଂ ଉପର ବାୟୁମଣ୍ଡଳର ସ୍ଥିତି ଏମିତି ରହିଛି ଯେ ଲଘୁଚାପ ଘନୀଭୂତ ହୋଇ ଅବପାତ (ଡିପ୍ରେସନ୍) ରୂପ ନେବ । ମାତ୍ର ବାତ୍ୟା ହେବନାହିଁ । ଉତ୍ତର ପଶ୍ଚିମ ଦିଗରେ ଗତି କରି ୪/୫ ଦିନ ମଧ୍ୟରେ ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ । ଫଳରେ ରାଜ୍ୟରେ ୧୪, ୧୫ ଓ ୧୬ ତାରିଖରେ ବର୍ଷା ହେବ । ୧୪ ଓ ୧୫ ବେଳକୁ ପୁରୀରୁ ଦକ୍ଷିଣ ଓଡ଼ିଶାରେ ଏବଂ ୧୬ ବେଳକୁ ସମଗ୍ର ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପ୍ରଥମ ମଡେଲ୍ରେ ସ୍ପଷ୍ଟ ହୋଇଛି ।
ସେହିପରି ଦ୍ୱିତୀୟ ମଡେଲ୍ ଅନୁସାରେ ଏବେ ଦକ୍ଷିଣ ଚୀନ ସାଗରରେ ବାତ୍ୟା ରୂପ ନେଇ ସାରିଛି । ଯାହା ୧୦ ବେଳକୁ ଭିଏତନାମ ଛୁଇଁବ । କାମ୍ବୋଡ଼ିଆ, ଥାଇଲାଣ୍ଡ ଉପସାଗର ଏବଂ ମ୍ୟାଁମାର୍ ଅତିକ୍ରମ କରିବ । ଆଣ୍ଡାମାନ ସାଗରରେ ୧୪ରୁ ୧୫ ବେଳକୁ ଅବପାତ ହେବ । ୧୭ କିମ୍ବା ୧୮ ବେଳକୁ ଏହା ବିଶାଖାପାଟଣାରୁ ଦୀଘା ମଧ୍ୟରେ ମାଡ ହେବାର ସମ୍ଭାବନା ରହିଛି ବୋଲି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଏନସିଇପି ମଡେଲ୍ ଅନୁସାରେ ଆକଳନ କରିଛନ୍ତି ।
ପ୍ରଥମ ମଡେଲ୍ ବାତ୍ୟାରେ ପରିଣତ ନହେଲେ ବି ଦ୍ୱିତୀୟ ମଡେଲ୍ ବାତ୍ୟାରେ ପରିଣତ ହେବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ପୂର୍ବରୁ ପ୍ରଥମ ମଡେଲ୍ ଅନୁସାରେ ପୂଜା ସମୟରେ ଆଶଙ୍କା କରାଯାଉଥିବା ବାତ୍ୟା ସମ୍ଭାବନା ଟଳିଥିବା ବେଳେ ୧୭ ବେଳକୁ ଦ୍ୱିତୀୟ ମଡେଲ୍ ଅନୁସାରେ ବାତ୍ୟା ହେବ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
from Prameya News7 https://ift.tt/3akFQeA
No comments: