ଚେନ୍ନାଇ,୧୧/୦୨: ଚେନ୍ନାଇରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରିଭର୍ସ ସ୍ୱିଂ ବଲରେ ଭାରତୀୟ ବ୍ୟାଟସମ୍ୟାନଙ୍କୁ ହାଇରାଣରେ ପକାଇଥିଲେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ । ତେବେ ସେ ଦ୍ୱିତୀୟ ମ୍ୟାଚରେ ଖେଳିବେ ନାହିଁ । ଇଂଲଣ୍ଡର ମୁଖ୍ୟ କୋଚ୍ କ୍ରିସ୍ ସିଲଭରଉଡ୍ ନିଜେ ଏନେଇ ସଙ୍କେତ ଦେଇଛନ୍ତି ।
ସିଲଭରଉଡ୍ କହିଛନ୍ତି ଯେ, ଆଣ୍ଡରସନଙ୍କ ଫିଟନେଶରେ କୌଣସି ସନ୍ଦେହ ନାହିଁ । ସେ ଯଦି ୪୦ ବର୍ଷ ପରେ ବି ଦଳର ଦ୍ରୁତ ବୋଲିଂ ଭାରତ ସମ୍ଭାଳିବେ ତେବେ କୌଣସି ଚକିତ ହେବାର କଥା ନାହିଁ । ଭାରତରେ ଲମ୍ବା ସିରିଜକୁ ନଜରରେ ରଖି ଦ୍ୱିତୀୟ ଟେଷ୍ଟରେ ତାଙ୍କୁ ବିଶ୍ରାମ ଦିଆଯାଇପାରେ ।
ସେ ଆହୁରି କହିଛନ୍ତି ଯେ, ଆଣ୍ଡରସନ୍ ସମ୍ପୂର୍ଣ୍ଣ ଭାବେ ଫିଟ୍ ଅଛନ୍ତି । ସେ ନିଜ ଫିଟନେଶ୍ ଉପରେ ଅନେକ ପରିଶ୍ରମ କରିଛନ୍ତି । ଫିଟ୍ ସହ ତାଙ୍କ ବୋଲିଂ ମଧ୍ୟ ଉଚ୍ଚକୋଟିର ରହିଛି । ଯେବେ ଯାଏଁ ସେ ଫିଟ୍ ଅଛନ୍ତି, ମଜବୁତ ଓ ସୁସ୍ଥ ଅଛନ୍ତି ସେବେଯାଏଁ ସେ ଖେଳିପାରିବେ । ଆଣ୍ଡରସନଙ୍କୁ ବାଦ୍ ଦେବା କଷ୍ଟକର । ବିଜୟୀ ଦଳରେ ପରିବର୍ତ୍ତନ କରିବା କଥା ନୁହେଁ । କିନ୍ତୁ କଣ ହେବ ତାହା ଜଣାପଡିବ । ତେବେ ଖେଳାଳିଙ୍କ ରୋଟେସନ୍ କରିବା ଠିକ୍ ବୋଲି କୋଚ୍ କହିଛନ୍ତି ।
ଆଣ୍ଡରସନ୍ ପ୍ରଥମ ଟେଷ୍ଟକେ ଆକର୍ଷଣୀୟ ବୋଲିଂ କରିଥିଲେ । ଦ୍ୱିତୀୟ ଇନିଂସରେ ସେ ଆଜିଙ୍କ୍ୟ ରାହାଣେ ଓ ଶୁଭମନ ଗିଲଙ୍କୁ ଆଉଟ୍ କରିଥିଲେ । ସେହିପରି ଋଷଭ ପନ୍ତଙ୍କୁ ମଧ୍ୟ ସେ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ । ଫଳରେ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚକୁ ୨୨୭ ରନରେ ଜିତି ନେଇଥିଲା ।
from Prameya News7 https://ift.tt/3pdOH6W

No comments: