ନୂଆଦିଲ୍ଲୀ: ଜାନୁଆରୀ ୧୬ରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ୍ ଟିକାକରଣ। ଟିକାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ କରୋନା ଯୁଦ୍ଧର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ। ପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଏହି ସୂଚନା ଦେବା ସହ କୋଭିଡ ବିରୋଧରେ ଚାଲିଥିବା ଲଢେଇରେ ଭାରତ ୧୬ ତାରିଖରେ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି ବୋଲି ଉଲ୍ଲେଖ କରିଛନ୍ତି। ସେପଟେ ଟିକାକରଣ ପ୍ରସ୍ତୁତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଅପରାହ୍ଣ ୪ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି, ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ବୋଲି ଜଣାଯାଇଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଟିକା ନେବାକୁ ଥିବା ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ ହୋଇସାରିଛି। ପୂର୍ବରୁ ଗତ ଜାନୁଆରୀ ୨ ଓ ୮ ତାରିଖରେ ଓଡିଶା ସମେତ ସାରା ଦେଶରେ କରୋନା ଟିକାକରଣର ଡ୍ରାଏ ରନ୍ ହୋଇଥିଲା।
ସେପଟେ, ବ୍ରିଟେନ୍ରେ ଆଉ ଏକ କରୋନା ଟିକାକୁ ମିଳିଛି ଅନୁମତି। ୟୁକେ ରେଗୁଲେଟାରି ଅଥରିଟି ମଡର୍ଣ୍ଣାକୁ ଟିକାକରଣ ପାଇଁ ଅନୁମୋଦନ ଦେଇଛି। ତେବେ ଏହାର ଟିକାକରଣ ପାଇଁ ଆହୁରି ୭ ଦିନ ସମୟ ଲାଗି ପାରେ ବୋଲି କୁହାଯାଇଛି।
ପ୍ରଥମ ପର୍ଯ୍ୟାୟରେ ୭୦ ଲକ୍ଷ କରୋନା ଟିକାର ଡୋଜ୍ ଯୋଗାଇବ ମଡର୍ଣ୍ଣା। ବ୍ରିଟେନ୍ରେ ମଡର୍ଣ୍ଣା ୩୦ ହଜାରରୁ ଅଧିକ ଲୋକଙ୍କ ଉପରେ ଟିକାର ଟ୍ରାଏଲ କରିଛି। ଏହାପରେ ୯୫ ପ୍ରତିଶତ ସଫଳ ହୋଇଥିବା ଦାବି କରିଥିଲା କମ୍ପାନି। ଏହା ପୂର୍ବରୁ ୟୁକେରେ କୋଭିସିଲ୍ଡ ଏବଂ ଫାଇଜର୍ ଟିକାକୁ ଅନୁମତି ମିଳିଛି।
ସୂଚନାଥାଉ କି, ଡିସେମ୍ବର ଶେଷରେ ବ୍ରିଟେନ୍ରେ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆଷ୍ଟ୍ରାଜେନିକାର କରୋନା ଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା। ଫାଇଜର୍ ପରେ ଦ୍ୱିତୀୟ ଭାକ୍ସିନ ଭାବେ କୋଭିସିଲ୍ଡକୁ ବ୍ରିଟେନ୍ ଅନୁମତି ଦେଇଥିଲା ।
ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା ବଢୁଥିବାବେଳେ ଅକ୍ସଫୋଡ୍ ଆଷ୍ଟ୍ରାଜେନିକାକୁ ବିଧିବଦ୍ଧ ଭାବେ ଅନୁମତି ଦେଇଥିଲେ ବ୍ରିଟେନ୍ ସରକାର। ଫାଇଜର୍ ଭଳି କୋଭିସିଲ୍ଡକୁ ଏଣିକି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯିବ। ତେବେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଏହା ଦେବା ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା।
ଆଷ୍ଟ୍ରେଜେନିକା ଏବଂ କୋଭାସିଲ୍ଡ ପରେ ତୃତୀୟ ଟିକା ଭାବେ ମଡର୍ଣ୍ଣାକ ବ୍ରିଟେନ୍ରେ ଅନୁମତି ମିଳିଛି।
The post ୧୬ରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ୍ ଟିକାକରଣ appeared first on OTV Khabar..
from OTV Khabar. https://ift.tt/3saKMdT
No comments: