
କନକ ବ୍ୟୁରୋ: ପଞ୍ଚମ ପାଳି ଶପଥ ଗ୍ରହଣ ଦିନ ଟିମ୍ ୱାର୍କ-ଦଳଗତ କାର୍ଯ୍ୟ, ଟ୍ରାନ୍ସପରେନ୍ସିଂ-ସ୍ବଚ୍ଛତା ଓ ଟେକ୍ନୋଲୋଜି- ବୈଷୟିକ ଜ୍ଞାନ ସହିତ ଆଉ ୨ଟି ‘ଟି’ଯୋଡ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବର୍ତନ(ଟ୍ରାନ୍ସଫର୍ମେସନ୍) ପାଇଁ ପଞ୍ଚମ ପରିମାପକ ଭାବେ ସମୟ (ଟାଇମ୍)କୁ ଯୋଡାଯାଇଥିଲା। ଏକ ଗତିଶୀଳ ପ୍ରଶାସନିକ ମଡେଲକୁ ଗୁରୁତ୍ବ ଦେବାକୁ ଯାଇ ନବୀନଙ୍କ ଏଭଳି ମନ୍ତ୍ର ପଛର ଅସଲ ଆଭିମୁଖ୍ୟ ଏବେ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି। ଟାର୍ଗେଟ ଦେଇ ନବୀନ ଏଥର ଚୁପ ବସିବାକୁ ଚାହୁଁନାହାନ୍ତି।
ନିକଟରେ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ‘୫ଟି’ ତଦାରଖ ଦାୟିତ୍ବ ଦେଇଥିଲେ, ଏବେ ଦକ୍ଷତା ମାପିବା ଲାଗି ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବାବୁ ଓ ସରକାରୀ କର୍ମଚାରୀଙ୍କ ସିସିଆରରେ ବି ଏଣିକି ‘୫ଟି’ ସାମିଲ ହେବ। ମୋଟ ୧୦ ନମ୍ବରରୁ ୮ ନମ୍ବର ପୂର୍ବରୁ ନିର୍ଧାରିତ ମାପକାଠି ଅନୁସାରେ ଦିଆଯିବ। ବାକି ୨ ନମ୍ବର ରହିବ ‘୫ଟି’ ପାଇଁ। ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଫର୍ମୁଲା କାର୍ଯ୍ୟାନ୍ବୟନ ଯେତେ ଭଲ କରିବେ, ସେମାନଙ୍କୁ ୨ମାର୍କରୁ ସେତିକି ମିଳିବ।
ଆଗୁଆ ପଦୋନ୍ନତି ମିଳିପାରେ, ଛଟେଇ ହୋଇପାରନ୍ତି
ପୂର୍ବରୁ ଷଷ୍ଠ ବେତନ କମିସନ ଉତ୍ତମ ଦକ୍ଷତା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ପ୍ରୋତ୍ସାହନ କଥା କହିଥିଲେ। ହେଲେ ଏହା ସେ ସମୟରେ କାର୍ଯ୍ୟକାରୀ ହୋଇପାରିନଥିଲା। ଉପରିସ୍ଥ ଅଧିକାରୀଙ୍କୁ ଧରି କିଛି ଦୁର୍ନୀତିଗ୍ରସ୍ତ ଓ କମ ଦକ୍ଷ ବାବୁ ଯେଭଳି ସିସିଆରରେ ୧୦ରୁ ୧୦ ନମ୍ବର ହାତଉଥିଲେ। ଏବେ କିନ୍ତୁ ସରକାର ଯେଭଳି ଆଭିମୁଖ୍ୟ ଗ୍ରହଣ କଲେଣି, ସେଥିରୁ ସେମାନେ ଆଉ ବର୍ତ୍ତି ପାରିବେନାହିଁ।
କେବଳ ସେତିକି ନୁହେଁ ଦୁର୍ନୀତିଗ୍ରସ୍ତ ବା ଲୋକଙ୍କୁ ସରକାରୀ ସୁବିଧା ଯୋଗାଣ କ୍ଷେତ୍ରରେ ବାଧକ ସାଜୁଥିବା ଅଧିକାରୀଙ୍କ ପାଇଁ ଦଣ୍ଡବିଧାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଲୋକଙ୍କ ପାଇଁ କାମ କରୁଥିବା ତଥା ୫ଟି ସଫଳତାର ସହିତ କାର୍ଯ୍ୟାନ୍ବୟନ କରୁଥିବା ଅଧିକାରୀଙ୍କୁ ପୁରସ୍କାର ଦେବାକୁ ବି ଯୋଜନା ହେଉଛି। ଏପରିକି ଆଗୁଆ ପଦୋନ୍ନତି ମଧ୍ୟ ମିଳିପାରେ। ସରକାରକୁ ଉତ୍ତରଦାୟୀ କରିବା ପାଇଁ ନବୀନଙ୍କ ଏଭଳି କଡ଼ା ଆଭିମୁଖ୍ୟ ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହେଲାଣି। ଅନ୍ୟପକ୍ଷରେ ଭଲ ପ୍ରଦର୍ଶନ କରି ମଧ୍ୟ ସବୁଥିରୁ ବଞ୍ଚିତ ହେଉଥିବା ବାବୁଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି।
from Kanak News https://ift.tt/2ZbXjCf https://ift.tt/2ZdZIYP
No comments: