ରାୟଗଡା: ଯୋଜନାର ନାଁ ପରିବର୍ତ୍ତନ ହୋଇସାରିଛି କିନ୍ତୁ ଘର ତିଆରି ହୋଇ ଅଧାରେ ପଡ଼ିଛି। ୧୦ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରୁନି ହିତାଧିକାରୀଙ୍କ ଘର। ଅଧପନ୍ତରିଆ ଘରେ ଭାଗ୍ୟକୁ ଆଦରି ରହୁଛନ୍ତି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା।
ଅଧାଗଢ଼ା ଘରେ ବିତୁଛି ଜୀବନ। କାନ୍ଥ ପ୍ଲାଷ୍ଟର ହୋଇନି କି ଝରକା କବାଟ କିଛି ନାହିଁ। ୧୦ ବର୍ଷ ହେଲା ଏଭଳି ଅବସ୍ଥାରେ ରହୁଛନ୍ତି ରାୟଗଡ଼ା ସଦର ବ୍ଲକ୍ ହଲୁଆ ପଞ୍ଚାୟତ ଟିକରପଡ଼ା ଗାଁର ମାଲେ କାଡ୍ରାକା। ୨୦୦୯-୧୦ ଆର୍ଥିକ ବର୍ଷରେ ଇନ୍ଦିରା ଆବାସ ଯୋଜନାରେ ମାଲେଙ୍କୁ ମିଳିଥିଲା ୩୫ ହଜାର ଟଙ୍କାର ଅନୁଦାନ। ମାତ୍ର ଆର୍ଥିକ ସମ୍ବଳ ନ ଥିବାରୁ ଘର ନିର୍ମାଣ କରିପାରିନଥିଲେ। ପରେ ସରକାରୀ ବାବୁମାନେ ଠିକାଦାରଙ୍କୁ ଦେଇଥିଲେ ଘର ନିର୍ମାଣ କାମ। ୧୦ ବର୍ଷ ପରେ ବି କାମ ସଂପୂର୍ଣ୍ଣ ହୋଇପାରିନଥିବା ବେଳେ ଠିକାଦାର କିନ୍ତୁ ବିଲ୍ କରି ଟଙ୍କା ନେଇ ଛୁ। ଠିକ୍ ସମାନ ଅବସ୍ଥା ଗାଁର ଆଉ ଜଣେ ହିତାଧିକାରୀ ବାସୁ ମେଲେକାଙ୍କର ଘର ଅଧାରେ ରହିଥିବାରୁ ଦ୍ୱାର ମୁହଁରେ ଲୁଗା ପକାଇ ପିଲାଛୁଆ ସହ ଶୀତ କାରରରେ ରହିବାକୁ ବାଧ୍ୟ ହେଉଛନ୍ତି।
ଟିକରପଡ଼ା ଗାଁର ମାଲେ କି ବାସୁ ମେଲେକା ନୁହଁନ୍ତି ଗାଁର ଅଧିକାଂଶ ଲୋକଙ୍କ ଘର ଏଭଳି ଅଧପନ୍ତରିଆ ଭାବେ ରହିଛି। ଆର୍ଥିକ ଅନଟନ ଯୋଗୁଁ ଲୋକେ ଘର କରିପାରୁନଥିବା ବେଳେ ଠିକାଦାର ଏହାର ଫାଇଦା ନେଉଥିବା ଅଭିଯୋଗ ହୋଇଛି। ଏ ନେଇ ବାରମ୍ବାର ଜଣାଇଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସ॥ ଘଟଣାକୁ ସ୍ଥାନୀୟ ବିଡିଓ ସ୍ୱୀକାର କରିବା ସହ ହିତାଧିକାରୀ ଘର ସଂପୂର୍ଣ୍ଣ କରି ବିଲ୍ ଦେଲେ ତାହା ସରକାରଙ୍କ ମଞ୍ଜୁରୀ ପାଇଁ ପଠାଯିବ ବୋଲି କହିଛନ୍ତି ।
ସେପଟେ ହିତାଧିକାରୀ ବାସୁ ମେଲକା କହିଛନ୍ତି ଯେ, ପାଖରେ ପଇସା ପତ୍ର ନାହିଁ ବୋଲି ଘର ଖଣ୍ଡିଏ କରିପାରୁନାହିଁ। କେମିତି କଣ କରିବି ତାହା ବୁଝିପାରୁନାହିଁ? ପିଲା ଛୁଆଙ୍କୁ ନେଇ କୁଆଡେ ଯିବି ତାହାକୁ ଭାବିଲା ବେଳକୁ ହିଁ ଡର ଲାଗୁଛି। ସେପଟେ ପ୍ରତିମା ସାରକା କହିଛନ୍ତି ଯେ, ସରକାର ତ ଟଙ୍କା ଦେଉଛନ୍ତି କିନ୍ତୁ ଆମେ କିଛି ପାଉନାହୁଁ। ଖାଲି ବାଧ୍ୟ ହୋଇ ଆମେ ଏହି ଘରେ ପଡିରହୁଛି। କୁଆଡେ ଯିବୁ? ତେବେ ଏପରି ଘଟଣା ରାଜ୍ୟରେ କିଛି ନୂଆ କଥା ନୁହେଁ। କହିବାକୁ ଗଲେ ରାଜ୍ୟରେ ଲୋକଙ୍କ ନାଁରେ ଘର ଆସୁଛି କିନ୍ତୁ ପ୍ରକୃତ ହିତାଧିକାରୀ ତାହା ପାଇବାରୁ ବଞ୍ଚିତ ହେଉଛନ୍ତି।
The post ଯୋଜନା କାହା ପାଇଁ? ୧୦ ବର୍ଷ ହେଲା ଚାଲିଛି ଘର ତିଆରି କାମ… appeared first on OTV Khabar..
from OTV Khabar. https://ift.tt/2LzplST
No comments: