ହାଇଟେକ୍ ହସ୍ପିଟାଲ୍ ଆଉ ୬୦୦ ଶଯ୍ୟା ବଢ଼ାଇବ: ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସୁରେଶ ପାଣିଗ୍ରାହୀ Kanak News

କନକ ବ୍ୟୁରୋ: ମହାମାରୀ ସମୟର ଆହ୍ବାନ, ହସ୍ପିଟାଲ୍ ପରିଚାଳନା ଓ ସମ୍ପ୍ରସାରଣ ଯୋଜନା ବିଷୟରେ ହାଇଟେକ୍ ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ର ପରିଚାଳନା ନିର୍ଦ୍ଦେଶକ ସୁରେଶ ପାଣିଗ୍ରାହୀ ଯାହା ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି:
ସ୍ବାସ୍ଥ୍ୟ ସେବା ସ୍ତର ବଢ଼ାଇବା ଦିଗରେ ଆପଣଙ୍କ ହସ୍ପିଟାଲ୍ କ’ଣ ପଦକ୍ଷେପ ନେଉଛି?
୨୦୦୪ରେ ସ୍ଥାପନ ହେବା ପରଠାରୁ ରାଜ୍ୟକୁ ନୂଆ ମେଡିକାଲ୍ ବ୍ୟବସ୍ଥା ଆଣିବା ସହିତ ନିୟମିତ ଭାବେ ଏହା ସେଥିରେ ଉନ୍ନତି ଆଣୁଛି। ଏହା ହେଉଛି ରାଜ୍ୟର ପ୍ରଥମ ଘରୋଇ ମେଡିକାଲ୍ କଲେଜ। ଶିଶୁ ଓ ପିଲାମାନଙ୍କ ଚିକିତ୍ସା ପାଇଁ ଗତବର୍ଷ ହସ୍ପିଟାଲ୍ର କାର୍ଡିଆକ୍ ବ୍ୟବସ୍ଥାରେ ଉନ୍ନତି ଅଣାଯାଇଥିଲା। ଏହା ପରଠାରୁ ଶତାଧିକ ପିଲାଙ୍କୁ ଏଠାରେ ସଫଳତାର ସହ ଚିକିତ୍ସା କରାଯାଇଛି। ଗରିବ ଲୋକମାନେ ମଧ୍ୟ ହସ୍ପିଟାଲ୍ରେ କୌଣସି ଆର୍ଥିକ ବୋଝ ବିନା ଶ୍ରେଷ୍ଠ ମେଡିକାଲ୍ ସେବା ପାଉଛନ୍ତି।
କରୋନା ମହାମାରୀର ପରିଚାଳନା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି?
ପାରଳାଖେମୁଣ୍ଡି, ଗଞ୍ଜାମ, ଝାରସୁଗୁଡ଼ା, ରାଉରକେଲା ଓ ଭୁବନେଶ୍ବରରେ ୨ଟି କେନ୍ଦ୍ର ସମେତ ସାରା ରାଜ୍ୟରେ ଆମ ହସ୍ପିଟାଲ୍ର ୬ଟି କେନ୍ଦ୍ର ରହିଛି। ଆମର ମୋଟ ଶଯ୍ୟା କ୍ଷମତା ହେଉଛି ୧୪୦୦। ଆମେ ସଫଳତାର ସହ ପ୍ରାୟ ୧୦,୦୦୦ କୋଭିଡ୍ ପଜିଟିଭ୍ ରୋଗୀଙ୍କ ଚିକିତ୍ସା କରିଛୁ। ସମ୍ପର୍କୀୟଙ୍କୁ ରୋଗୀଙ୍କ ସ୍ଥିତି ବିଷୟରେ ସୂଚନା ଦେବାର ବ୍ୟବସ୍ଥା କରାଯାଇଛି। ସେମାନେ ଭଏସ୍ କଲ୍ ଓ ଭିଡିଓ କଲ୍ରେ ରୋଗୀଙ୍କ ସହ କଥାବାର୍ତ୍ତା ହୋଇପାରୁଥିଲେ।
ମହାମାରୀ ହସ୍ପିଟାଲ୍ କ୍ଷେତ୍ର ପାଇଁ ବରଦାନ ନା ଅଭିଶାପ?
କେବଳ ହସ୍ପିଟାଲ୍ କ୍ଷେତ୍ର ନୁହେଁ ସବୁ କ୍ଷେତ୍ର ପାଇଁ ଏହା ଏକ ବରଦାନ। ସାହସ ପ୍ରଦର୍ଶନ କରିବା ଓ ସମାଜ ପାଇଁ ଠିଆ ହେବା ଲାଗି ହସ୍ପିଟାଲ୍ କ୍ଷେତ୍ରର ପେସାଦାରଙ୍କ ପାଇଁ ଏହା ଏକ ସୁଯୋଗ ଥିଲା ଏବଂ ସେମାନେ ଗର୍ବର ସହ ସେହି କାର୍ୟ୍ୟ ନିର୍ବାହ କରିଛନ୍ତି।
ହସ୍ପିଟାଲ୍ର ଶଯ୍ୟା କ୍ଷମତା କେତେ ରହିଛି?
ବର୍ତମାନ ହାଇଟେକ୍ ଭୁବନେଶ୍ବର ଓ ରାଉରକେଲା ହସ୍ପିଟାଲ୍ରେ ଶଯ୍ୟା ସଂଖ୍ୟା ୧୧୫୦ ରହିଛି ଏବଂ ଆମେ ଆଉ ୬୦୦ ଶଯ୍ୟା ଯୋଡ଼ିବାକୁ ଯୋଜନା ରଖିଛୁ।
ନିକଟରେ କିଛି ନୂଆ ବ୍ୟବସ୍ଥା ଯୋଡ଼ାଯାଇଛି କି?
ବ୍ଲଡ୍ ପ୍ଲାଜମା ସେଣ୍ଟର୍, ଆରଟିପିସିଆର୍ ୟୁନିଟ୍, ପେଡିଆଟ୍ରିକ୍ କାର୍ଡିଓଲୋଜି ବିଭାଗର ଉନ୍ନତୀକରଣ, ଡିଲକ୍ସ କ୍ୟାବିନ ସହିତ ବିବିଧ ପ୍ରକାର ସହାୟତା ସେବା ଆଦି ଆରମ୍ଭ କରାଯାଇଛି। ହସ୍ପିଟାଲ୍ରେ କୌଣସି ନୂଆ ବିଭାଗ ଯୋଡ଼ିବାର ଯୋଜନା ନାହିଁ।
ଅନ୍ୟ ରାଜ୍ୟରେ ସମ୍ପ୍ରସାରଣ ପାଇଁ ଯୋଜନା ଅଛି କି?
ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ୬୦ ଏକର ଜମିରେ ୩୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ଓ ମେଡିକାଲ୍ କଲେଜ ଆରମ୍ଭ କରିବା ପ୍ରକ୍ରିୟା ଜାରି ରହିବ। ସେଠାରେ ଓପିଡି ବ୍ୟବସ୍ଥା ଆରମ୍ଭ ହୋଇସାରିଛି।
ସମ୍ବାଦର ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଏହା ଏକ ବହୁତ ଭଲ ଅଭିଯାନ ଏବଂ ରାଜ୍ୟ କର୍ପୋରେଟ୍ କ୍ଷେତ୍ରର ଏକ ଗୁରୁତ୍ବପୂର୍ଣ୍ଣ ପୁରସ୍କାର ଭାବେ ଏହା ପ୍ରତିଷ୍ଠା ହାସଲ କରିଛି। ପ୍ରତିବର୍ଷ ଏହି ସ୍ତରକୁ ବଜାୟ ରଖିବା ଲାଗି ମୁଁ ଆପଣଙ୍କ ଟିମ୍କୁ ଶୁଭକାମନା ପ୍ରଦାନ କରୁଛି।
from Kanak News https://ift.tt/3nupGnf https://ift.tt/3btzeMP
No comments: