ରାଜ୍ୟକୁ ୧୨ରୁ ଲେଉଟିବ ଶୀତ ! ୫ ଡିଗ୍ରିରୁ ଅଧିକ କମିପାରେ ସର୍ବନିମ୍ନ ତାପମାତ୍ରା: ୧୩ରୁ ଉପକୂଳରେ କୁହୁଡ଼ି ବଢ଼ିବ; ଆସନ୍ତା ସପ୍ତାହେ ଯାଏଁ ଶୁଖିଲା ଓ ଖରାଟିଆ ରହିବ ପାଗ Kanak News

କନକ ବ୍ୟୁରୋ: ଗତ ୫ ଦିନ ହେଲା ରାଜ୍ୟରୁ ଶୀତ ଉଭା ହୋଇଯାଇଛି। ଫେବ୍ରୃାରି ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହ ଭଳି ପରିବେଶ ଅନୁଭୂତ ହେଉଛି। ତେବେ ଚଳିତ ବର୍ଷ ଶୀତ ଏତେ କମ୍ ଦିନ ରହି ଲେଉଟିଗଲା ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏବେ ଶୀତର ଲେଉଟାଣି ନେଇ ଖବର ଆସୁଛି। ଆଉ ମାତ୍ର ୩ ଦିନ ପରେ ରାଜ୍ୟକୁ ଶୀତ ପୁଣି ଫେରିବ। ପାରଦ ନିମ୍ନଗାମୀ ହେବ ଓ ପୁଣି କମ୍ବଳ ଖୋଜା ଆରମ୍ଭ ହୋଇଯିବ।
ଗତ କିଛି ଦିନ ହେଲା ରାଜ୍ୟକୁ କ୍ରମାଗତ ଭାବେ ପୂର୍ବା ଓ ଦକ୍ଷିଣା ପବନର ପ୍ରବାହ ଯୋଗୁଁ ତଥା ଅନ୍ୟପଟେ ଉତ୍ତରା ପବନ ପ୍ରବାହରେ ବାଧା ସୃଷ୍ଟି ଯୋଗୁଁ ତାପମାତ୍ରା ବଢ଼ିବାରେ ଲାଗିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ଭଳି ତାପମାତ୍ରା ଲାଗି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ। ସେହିପରି ଉପକୂଳ ଓଡ଼ିଶାର ବି ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଏହାପରେ ପାରଦ ନିମ୍ନଗାମୀ ହେବ। ଫଳରେ ୧୨ ତାରିଖଠାରୁ ପୁଣି ରାଜ୍ୟକୁ ଶୀତ ଫେରିବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦନାଥ ପଶୁପାଳକ କହିଛନ୍ତି, ଗୁରୁଚାପ ବଳୟ ଉତ୍ତରପ୍ରଦେଶରେ ରହିଥିଲା। ଏଥିଯୋଗୁଁ ରାଜ୍ୟକୁ ଉତ୍ତରା ଥଣ୍ଡା ଓ ଶୁଷ୍କ ପବନ ପ୍ରବାହରେ ବାଧା ସୃଷ୍ଟି ହୋଉଥିଲା। ଆଜିଠାରୁ ଉତ୍ତର ଭାରତରେ ଥଣ୍ଡା ବଢ଼ିବ। ଏହାସହ ଗୁରୁଚାପ ବଳୟ କ୍ରମଶଃ ସ୍ଥାନ ପରିବର୍ତ୍ତନ କରି ୧୧ ତାରିଖରେ ମହାରାଷ୍ଟ୍ର ଉପରେ ରହିବ। ଫଳରେ ରାଜ୍ୟରେ ବାୟୁର ଦିଗ ପରିବର୍ତ୍ତନ ହେବ। ଏହି ଅବସ୍ଥା ପ୍ରାୟତଃ ୧୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ଆକଳନ କରାଯାଉଛି ଯେ, ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ଆସନ୍ତା ୧୨ରୁ ୧୪ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ ଡିଗ୍ରିରୁ ଅଧିକ କମିପାରେ। ଏହାପରେ ୧୬ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ଅଳ୍ପ କେତେକ ସ୍ଥାନରେ ଯଥା ଉତ୍ତର ସୀମାନ୍ତ ଓ ଉତ୍ତର ଉପକୂଳରେ ୧୧ ତାରିଖରୁ ରାତ୍ରିର ତାପମାତ୍ରା କମିବା ଯୋଗୁଁ ଶୀତ ଫେରିବ। ତେବେ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ୧୨ ତାରିଖରେ ତାପମାତ୍ରା ସାମାନ୍ୟ କମି ୧୬ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ।
ଦିନର ସର୍ବାଧିକ ତାପମାତ୍ରା ମଧ୍ୟ ୧୨ ତାରିଖରୁ କମିବା ଆରମ୍ଭ କରିବ। ୧୩ ସୁଦ୍ଧା ଭୁବନେଶ୍ବରରେ ୨ ଡିଗ୍ରି, ରାଉରକେଲାରେ ୩ ଡିଗ୍ରି ଓ ବଲାଙ୍ଗୀରରେ ପ୍ରାୟ ୪ ଡିଗ୍ରି ତାପମାତ୍ରା କମିବା ଯୋଗୁଁ ଦିନରେ ବି ଶୀତ ଅନୁଭୂତ ହେବ। ୧୩ରୁ ୧୫ ତାରିଖ ଭିତରେ ବିଶେଷ ଭାବେ ଉପକୂଳରେ କୁହୁଡ଼ି ବଢ଼ିବ। ୧୭ ତାରିଖରୁ ପୁଣି ପାଗରେ ପରିବର୍ତ୍ତନ ଦେଖାଯିବ ।
from Kanak News https://ift.tt/2XsClMY https://ift.tt/2L8Ginv
No comments: