ୱାଶିଂଟନ୍,୦୯/୦୧: ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦେଇଛି । ଆମେରିକାର ସଂସଦ (କ୍ୟାପିଟଲ ବିଲ୍ଡିଂ)ରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଗକୁ ଟ୍ରମ୍ପ ହିଂସା ବଢ଼ାଇବାର ଆଶଙ୍କା କରି କମ୍ପାନୀ ଏପରି କରିଥିବା ପ୍ରକାଶ କରିଛି। ଏହା ପୂର୍ବରୁ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ କିଛି ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା ଏବଂ କମ୍ପାନୀ ଏବେ ଆଗକୁ ସବୁଦିନ ପାଇଁ ତାଙ୍କ ଆକାଉଣ୍ଟକୁ ବନ୍ଦ କରିପାରେ ବୋଲି ଚେତାବନୀ ଦେଇଥିଲା।
ଗତ ବୁଧବାର ୧୨ ଘଣ୍ଟା ପର୍ଯ୍ୟନ୍ତ ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କରିବା ସହ ଗୋଟିଏ ଭିଡିଓ ଏବଂ ତିନୋଟି ଟ୍ୱିଟ୍କୁ ହଟାଇ ଦେଇଥିଲା କମ୍ପାନୀ। ତାଙ୍କ ଆକାଉଣ୍ଟକୁ ରିଭ୍ୟୁ କରିବା ପରେ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା କହିଥିଲା। ଟ୍ରମ୍ପ ବାରମ୍ବାର ତାଙ୍କ ନିୟମ ଭଙ୍ଗ କରୁଥିବା ଟ୍ୱିଟର କହିଛି। ତେବେ ଟ୍ୱିଟରର ଏପରି ନିଷ୍ପତ୍ତିରେ ଟ୍ରମ୍ପଙ୍କ କ୍ୟାମ୍ପେନ୍ ଆଡ୍ଭାଇଜର ଜୈସନ ମିଲର ଟ୍ୱିଟ୍ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପୂର୍ବରୁ ଫେସ୍ବୁକ୍ ମଧ୍ୟ ବୁଧବାର ଦିନ ନିୟମ ଉଲଙ୍ଘନ ଅଭିଯୋଗ ଆଣି ଟ୍ରମ୍ପଙ୍କ ପେଜ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍ କରିଥିଲା। ଫେସ୍ବୁକ୍ର ସଂସ୍ଥାପକ ମାର୍କ ଜୁକରବର୍ଗ ଗୁରୁବାର ଦିନ ଏ ନେଇ କହିଥିଲେ ଯେ, ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପର୍ଯ୍ୟନ୍ତ ଦେଶର ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମକୁ ବ୍ୟବହାର କରିପାରିବେ ନାହିଁ । ତେବେ ଆସନ୍ତା ଜାନୁଆରୀ ୨୦ ତାରିଖକୁ ଆମେରିକାରେ ନବନିର୍ବାଚିତ ରଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।
ସୂଚନା ଥାଉ କି, ଟ୍ରମ୍ପଙ୍କ ନିର୍ବାଚନ ହାରିବା ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ ତାଙ୍କ ସମର୍ଥକ। ନିର୍ବାଚନ ଫଳାଫଳରେ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଥିଲେ । ଏ ନେଇ ହ୍ୱାଇଟ ହାଉସ ଓ କ୍ୟାପିଟଲ୍ ବିଲ୍ଡିଂ ଆଗରେ ସେମାନେ ଧାରଣା ଦେଇଥିଲେ । ଉଭୟ ସ୍ଥଳରେ ପୋଲିସ ସହ ମଧ୍ୟ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ତେବେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଓ୍ୱାଶିଂଟନ ଡିସିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଥିଲା । ଏପରିକି ହଙ୍ଗାମା ସ୍ଥଳରେ ହୋଇଥିବା ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।
from Prameya News7 https://ift.tt/39fauVV

No comments: