ପରିବେଶ ପର୍ଯ୍ୟଟନରୁ ବଢ଼ୁଛି ଆୟ : ୨୦୨୦-୨୧ ପାଇଁ ବଜେଟ୍‌ରେ ୧୯ କୋଟି; ୪ ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି Kanak News

କନକ ବ୍ୟୁରୋ : ୫ ବର୍ଷିଆ ଯୋଜନା ମାଧ୍ୟମରେ ୧୮ଟି ଜିଲ୍ଲାରେ ୪୭ଟି ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରାଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ୪୬ ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ ଏବଂ ଏଥିରୁ ୬ କୋଟି ୮୫ ଲକ୍ଷ ଟଙ୍କା ରାଜସ୍ୱ ମିଳିଥିଲା। କେବଳ ଶିମିଳିପାଳ ଓ ସାତକୋଶିଆ ପରିବେଶ ପର୍ଯ୍ୟଟନ କ୍ଷେତ୍ରରୁ ସ୍ଥାନୀୟ ଅଧିବାସୀମାନେ ଗତ ଦୁଇ ବର୍ଷରେ ୨ କୋଟି ଟଙ୍କା ଉପାର୍ଜନ କରିଥିଲେ। ତାହାକୁ ଦୃଷ୍ଟିରେ ରଖି ପରିବେଶ ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟ୍‌ରେ ୧୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ବୋଲି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

ବନ୍ୟପ୍ରାଣୀ ସପ୍ତାହ ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ପରିବେଶ ପର୍ଯ୍ୟଟନ ସ୍ଥଳୀରୁ ବର୍ଷକୁ ବର୍ଷ ରାଜସ୍ବ ଆୟ ବଢ଼ିବାରେ ଲାଗିଛି । ୨୦୧୬-୧୭ ଆର୍ଥିକ ବର୍ଷରେ ୧୧ ହଜାର ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ରହିଥିବା ବେଳେ ୧.୫୭ କୋଟି ଟଙ୍କା ଆୟ ହୋଇଥିଲା। ସେହିପରି ୨୦୧୭-୧୮ରେ ୧୭ ହଜାର ୧୪୮ ପର୍ଯ୍ୟଟକଙ୍କଠାରୁ ୩.୪୦ କୋଟି, ୨୦୧୮-୧୯ରେ ୨୯ ହଜାର ପର୍ଯ୍ୟଟକଙ୍କଠାରୁ ୫.୬୧ କୋଟି ଓ ୨୦୧୯-୨୦ ଆର୍ଥିକ ବର୍ଷରେ ସର୍ବାଧିକ ୪୬ ହଜାର ପର୍ଯ୍ୟଟକଙ୍କଠାରୁ ୬.୮୫ କୋଟି ଟଙ୍କା ରାଜସ୍ବ ଆୟ ହୋଇଥିଲା। ୪ ବର୍ଷ‌ରେ ପର୍ଯ୍ୟଟକଙ୍କ ସଂଖ୍ୟା ୪ ଗୁଣରୁ ଅଧିକ ବୃଦ୍ଧି ପାଇଛି।

୨୦୧୯ରେ ନୂଆ କରି ୭ଟି ସ୍ଥାନକୁ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ସାମିଲ କରାଯିବା ପରେ ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ସ୍ଥଳୀ ସଂଖ୍ୟା ୪୭ରେ ପହଞ୍ଚିଛି। ଏଠାରେ ୩୩୩ଟି ରୁମ୍‌ ରହିଛି। ଯେଉଁଠାରେ ପ୍ରତିଦିନ ୧୦୧୦ ପର୍ଯ୍ୟଟକ ରହିପାରିବେ। ଇକୋ-ଟୁରିଜିମ୍‌ ନେଚର୍‌ କ୍ୟାମ୍ପରେ ଏବେ ୬୦୦ରୁ ଅଧିକ କମ୍ପ୍ୟୁନିଟି ସଦସ୍ୟ ସାମିଲ ହୋଇଛନ୍ତି। ପର୍ଯ୍ୟଟକଙ୍କ ଆଗ୍ରହକୁ ଆଖିରେ ରଖି ବିଚିତ୍ରାପୁର, କୁମାରୀ, ସିମିଳିପାଳର ଗୁରଗୁରିଆ, କନ୍ଧମାଳର ମଣ୍ଡାସୁର ପରିବେଶ ପର୍ଯ୍ୟଟନ ସ୍ଥଳୀରେ ୧୯ଟି ନୂଆ ରୁମ୍‌ ସାମିଲ କରାଯାଇଛି। ଆହୁରି କୁହାଯାଇଛି ଯେ ୨୦୧୬ରୁ ଏବେ ସୁଦ୍ଧା ରାଜ୍ୟର ୨୦ଟି ନେଚର୍‌ କ୍ୟାମ୍ପରେ ବୋଟିଂ ସୁବିଧ‌ା ହୋଇଛି। ଦେବ୍ରିଗଡ଼-ହୀରାକୁଦ ରିଜର୍ଭର, ଭିତରକନିକା, ସାତକୋଶିଆ, ରିସିଆ, ବ‌ାଲେଶ୍ବରର ବିଚିତ୍ରାପୁର, ଚିଲିକା ଆଦି ସ୍ଥାନରେ ଭାସମାନ ଜେଟି, ଜୀବନ ସୁରକ୍ଷା ଜାକେଟ୍‌ ଆଦିର ବ୍ୟବସ୍ଥା ହୋଇଛି। ଚନ୍ଦକା ଅଭୟାରଣ୍ୟର ଡେରାସ ଡ୍ୟାମ୍‌ରେ ବୋଟିଂ ସୁବିଧା ଉପଲବ୍ଧ କରାଯାଇଛି, ଯାହାକି ଭୁବନେଶ୍ବର ଓ କଟକକୁ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ବେଶ୍ ଉପଯୋଗୀ ହୋଇପାରିବ। ଚନ୍ଦକାରେ ଆରମ୍ଭ ହୋଇଥିବା ଜଙ୍ଗଲ ସଫାରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଟଲିଛି। ଚନ୍ଦକ‌ା ଓ ଦେବ୍ରିଗଡ଼ ଜଙ୍ଗଲରେ ବୁଲିବା ଲାଗି ୨୦୧୭-୧୮ରୁ ଆଜି ପର୍ଯ୍ୟନ୍ତ ୧୮ଟି ଜଙ୍ଗଲ ସଫାରି ଗାଡ଼ି ରହିଛି। ଯେଉଁଥିରେ ୧୭୨ ଜଣ ପର୍ଯ୍ୟଟକ ବୁଲିପାରିବେ। ଏଥିସହ କ୍ରୀଡ଼ା, ସାଇକେଲିଂ, ସାଂସ୍କୃତିକ କାର୍ଯ୍ୟକ୍ରମ, ଲାଇବ୍ରେରି, ବନ୍ୟପ୍ରାଣୀ ସମ୍ପର୍କିତ ଚଳଚ୍ଚିତ୍ର ରାଜ୍ୟର ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ପ୍ରଦର୍ଶିତ କରାଯାଉଛି।



from Kanak News https://ift.tt/30IKNJI https://ift.tt/33Cmr6y
ପରିବେଶ ପର୍ଯ୍ୟଟନରୁ ବଢ଼ୁଛି ଆୟ : ୨୦୨୦-୨୧ ପାଇଁ ବଜେଟ୍‌ରେ ୧୯ କୋଟି; ୪ ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି Kanak News ପରିବେଶ ପର୍ଯ୍ୟଟନରୁ ବଢ଼ୁଛି ଆୟ : ୨୦୨୦-୨୧ ପାଇଁ ବଜେଟ୍‌ରେ ୧୯ କୋଟି; ୪ ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି Kanak News Reviewed by SUBHENDU BARAL on October 07, 2020 Rating: 5

No comments:

Powered by Blogger.