ରୋଜଗାର ଦେଉଛି କେନ୍ଦୁପତ୍ର: କିନ୍ତୁ ଠୀକ ସମୟରେ ମିଳୁନି ପାଉଣା, ତୋଳାଳୀ ଅସନ୍ତୋଷ

ଫୁଲବାଣୀ ୧୦/୦୫ : କରୋନା ମହାମାରୀ ଗତ ଦୁଇବର୍ଷ ହେଲା ସମସ୍ତଙ୍କ ଜୀବନ ଜୀବିକାରେ ଅଳ୍ପ ବହୁତ ପ୍ରଭାବ ପକାଇଛି । କିନ୍ତୁ ଏହା ମଧ୍ୟରେ ଏବର୍ଷ କନ୍ଧମାଳ ଜିଲ୍ଲାରେ କେନ୍ଦୁପତ୍ର ଗରୀବ ଆଦିବାସୀଙ୍କ ପାଇଁ ସାହାରା ପାଲଟିଥିବା ସହିତ ତାଙ୍କ ମୁହଁରେ କିଛିଟା ହସ ଫୁଟାଇଛି। ଚଳିତ ବର୍ଷ ସରକାର କେନ୍ଦୁପତ୍ର ଦାମ୍‌ ବଢ଼ାଇବା ସହ ବୋନସ୍‌ ମଧ୍ୟ ଘୋଷଣା କରିଛନ୍ତି l ଫଳରେ ଆଦିବାସୀ ମହିଳାମାନେ ଆଗ୍ରହର ସହିତ କେନ୍ଦୁପତ୍ର ସଂଗ୍ରହ କରୁଥିବା ଦେଖାଯାଉଛି l

ଏଥର କିନ୍ତୁ କାଳ ବୈଶାଖି ବର୍ଷା କେନ୍ଦୁପତ୍ର ସଂଗ୍ରହରେ ବାଧା ସୃଷ୍ଟି କରିବା ଆଶଙ୍କା ଦେଖା ଦେଇଛି। ତଥାପି ଆଦିବାସୀ ମହିଳାମାନେ ସକାଳୁ ସକାଳୁ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ବାହାରି ପଡୁଛନ୍ତି l  ପରେ ତାକୁ ଆଣି ବିଡ଼ା କରି ସନ୍ଧ୍ୟାରେ ପାଖରେ ଥିବା କେନ୍ଦୁପତ୍ର ଫଡ଼ିରେ ବିକ୍ରୀ କରନ୍ତି l ସେହିପରି କେତେକ କେନ୍ଦୁପତ୍ର ଫଡିରେ ବେଆଇନ ଭାବେ ଶିଶୁ ଶ୍ରମିକମାନଙ୍କୁ  ମଧ୍ୟ  କାମ କରାଯାଉଥିବା ଅଭିଯୋଗ ହେଉଛି।

ଗତ ୨ବର୍ଷ ହେଲା କରୋନା ସଂକ୍ରମଣ ଯୋଗୁଁ କମ୍‌ ସଂଖ୍ୟକ ମହିଳା କେନ୍ଦୁପତ୍ର ତୋଳିଥିଲେ l ଏବର୍ଷ ଭଲ କେନ୍ଦୁପତ୍ର ଆସିଥିବାରୁ ବହୁ ସଂଖ୍ୟକ ମହିଳା କେନ୍ଦୁପତ୍ର ତୋଳିବା ସହ ବିକ୍ରିକରି ଭଲ ଦି ପଇସା ରୋଜଗାର କରିବେ ବୋଲି ଲକ୍ଷ୍ୟ ରଖିଥିବା କହିଛନ୍ତି।  

ଗତ ବର୍ଷ ୧୧ ହଜାର ୯୦୭ ମେଟ୍ରିକ ଟନ କେନ୍ଦୁପତ୍ର ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ

ଚଳିତ ବର୍ଷ ଫୁଲବାଣୀ କେନ୍ଦୁପତ୍ର ବିଭାଗ ପକ୍ଷରୁ ଫୁଲବାଣୀ, ଗୋଛାପଡ଼ା ପୂର୍ବ, ଗୋଛାପଡ଼ା ପଶ୍ଚିମ, ବାଲିଗୁଡ଼ା, ତୁମୁଡିବନ୍ଧ, ଭଞ୍ଜନଗର, ଦଶପଲା ଆଦି ୭ଟି ରେଞ୍ଜ ଦ୍ଵାରା ପ୍ରାୟ ୧୨   ହଜାର ମେଟ୍ରିକ ଟନ କେନ୍ଦୁ ପତ୍ର ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି କେନ୍ଦୁପତ୍ର ସଂଗ୍ରହ ପୂର୍ବରୁ ଗୋଛା କଟେଇ ଫଡି ଗୃହ ମରାମତି ପାଇଁ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

ଜିଲାରେ ପ୍ରାୟ ୪୦ ହଜାର ୩ଶହ କେନ୍ଦୁପତ୍ର ତୋଳାଳୀ ଅଛନ୍ତି। ପ୍ରତିବର୍ଷ ଏମାନେ କେନ୍ଦୁପତ୍ର ତୋଳି ଜୀବିକା ନିର୍ବାହ କରନ୍ତି । କେନ୍ଦୁ ପତ୍ର ତୋଳି ଜିଲ୍ଲାର ଆର୍ଥିକ ସ୍ଥିତିକୁ ଆଗକୁ ନେଉଥିବା ମହିଳାମାନଙ୍କୁ ନିୟମିତ ବୋନସ୍‌ କିମ୍ବା ଅନ୍ୟାନ୍ୟ ସହାୟତା ମିଳୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏବର୍ଷ ସରକାର କେରି ପିଚ୍ଛା ୨୦ ପଇସା ବଢ଼ାଇ କେରି ପିଛା ୧ଟଙ୍କା ଚାଳିଶ ପଇସାକୁ  କରିଛନ୍ତି l

ତୋଳାଳୀମାନଙ୍କୁ ଶୀଘ୍ର ସେମାନଙ୍କ ପ୍ରାପ୍ୟ ଦିଆଗଲେ ସେମାନେ ଲାଭାନ୍ୱିତ ହୁଅନ୍ତେ ବୋଲି କହିଛନ୍ତି।  ଏନେଇ ବିଭାଗୀୟ ଡିଏଫଓ (ବନଖଣ୍ଡ ଅଧିକାରୀ) ଙ୍କୁ ପଚାରିବାରୁ ସେ କେନ୍ଦୁପତ୍ର ତୋଳାଳୀଙ୍କ ପାଉଣା ଓ ବୋନସ୍‌  ବହୁତ ଶୀଘ୍ର  ଦିଆଯିବ ବୋଲି ଜଣାଇଛନ୍ତି ।



from Prameya News7 https://ift.tt/4yb6HfC
ରୋଜଗାର ଦେଉଛି କେନ୍ଦୁପତ୍ର: କିନ୍ତୁ ଠୀକ ସମୟରେ ମିଳୁନି ପାଉଣା, ତୋଳାଳୀ ଅସନ୍ତୋଷ ରୋଜଗାର ଦେଉଛି କେନ୍ଦୁପତ୍ର: କିନ୍ତୁ ଠୀକ ସମୟରେ ମିଳୁନି ପାଉଣା, ତୋଳାଳୀ ଅସନ୍ତୋଷ Reviewed by SUBHENDU BARAL on May 10, 2022 Rating: 5

No comments:

Powered by Blogger.