ଦାମ୍ପତ୍ୟର ନିଆରା ଉଦାହରଣ : ସ୍ତ୍ରୀଙ୍କ ମୃତଦେହ ସହିତ ବିତାଇଲେ ୨୧ ବର୍ଷ, ଆଉ ତାପରେ…  

ନୂଆଦିଲ୍ଲୀ ୦୯/୦୫ :  ବ୍ୟାଙ୍କକରେ ରହୁଥିବା ଜଣେ ୭୨ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। କାରଣ ସେହି ବ୍ୟକ୍ତି ଜଣଙ୍କ ଦିନେ ନୁହେଁକି ଦୁଇ ଦିନ ନୁହଁ ତାଙ୍କ ସ୍ତ୍ରୀଙ୍କ ମୃତଦେହ ସହିତ ଦୀର୍ଘ ୨୧ ବର୍ଷ ରହିବା ପରେ ତାଙ୍କ ସ୍ତ୍ରୀଙ୍କର ଶେଷ ସଂସ୍କାର କରାଯାଇଛି। ଏହି ବ୍ୟକ୍ତିଙ୍କ ନାଁ ଚରଣ ଜନୱାଚକଲ ବୋଲି ଜଣା ପଡ଼ିଛି। କିନ୍ତୁ ଏଠାରେ କାହାଣୀ କିଛି ଅଲଗା ରହିଛି।

ଖବର ଅନୁସାରେ, ଚରଣ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କ ସ୍ତ୍ରୀ ସେଠାକାର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ କର୍ମଚାରୀ ଥିଲେ। ସମୟକ୍ରମେ ତାଙ୍କ ସ୍ତ୍ରୀ କୌଣସି ରୋଗରେ ପିଡ଼ୀତ ହୋଇ ଅସୁସ୍ଥ ହୋଇପଡିଥିଲେ। ଫଳରେ ଗତ ୨୦୦୧ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ତ୍ରୀ ମରି ଯାଇଛନ୍ତି ବୋଲି ଜାଣିବା ପରେ ଚରଣ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଏହା ସହିତ ସବୁବେଳେ ଉଦାସ ରହୁଥିଲେ। ଫଳରେ ସେ ତାଙ୍କର ପୂର୍ବ ସ୍ଥିତିକୁ ଆଉ ଫେରି ପାରିଲେ ନାହିଁ।     

ପରିବାର ଲୋକମାନେ ଯେତେ ବାଧ୍ୟ କଲେ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ମୃତଦେହକୁ ସଂସ୍କାର କରିବା ପାଇଁ ଚରଣ ମନାକରି ଦେଇଥିଲେ। ପରେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ସହିତ ସେ ରହିବାକୁ ଲାଗିଲେ।

ଚରଣଙ୍କର ଦୁଇ ପୁଅ ଥିଲେ ମଧ୍ୟ ବାପାଙ୍କର ଏପରି ଭାବଢଙ୍ଗ ଦେଖି ସେମାନେ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ଏହାପରେ ତାଙ୍କ ସ୍ତ୍ରୀଙ୍କ ମରଶରୀରକୁ ଚରଣ ଏକ କଫିନରେ ପୁରାଇ ତାଙ୍କ ଭଣ୍ଡାର ଘରେ ରଖିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସେ ତାଙ୍କ ଜୀବନର ଘଟୁଥିବା ପ୍ରତ୍ୟକ ଘଟଣା ତାଙ୍କ ସ୍ତ୍ରୀଙ୍କ ମରଶରୀର ପାଖେ ବସି କହୁଥିଲେ। ଅନେକ ସମୟରେ ସ୍ତ୍ରୀଙ୍କ କଫିନ ପାଖେ ବସି ହସିହସି କଥା ହେଉଥିଲେ ତ ବେଳେ ବେଳେ ତାଙ୍କ ପାଖେ ବସି ଆଖିରୁ ଲୁହ ଝରାଉଥିଲେ ।

ଭାଗ୍ୟର ବିଡ଼ମ୍ୱନା କାରଣରୁ ଗତ ଦୁଇିମାସ ପୂର୍ବରୁ ସେ ଏକ ସଡ଼କ ଦୁର୍ଘଟଣାର ଶୀକାର ହେଲେ।  ଏଥିରେ ସେ ଗଭୀର ଆହତ ହେବା ସହିତ କ୍ରମଶଃ  ଅସୁସ୍ଥ ହେବାକୁ ଲାଗିଲେ। ଚରଣଙ୍କର ଏପରି ଅସହାୟ ସ୍ଥିତିର ଜାଣି ପାରି ଏକ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ ତାଙ୍କ ପାଖରେ ପହଞ୍ଚିଥିଲା ।  ସ୍ୱେଚ୍ଛାସେବୀମାନେ ତାଙ୍କୁ ସବୁବେଳେ ସମୟ ଅନୁସାରେ ଖାଇବାକୁ ଦେବା ସହିତ ତାଙ୍କର ସ୍ୱାସ୍ଥ୍ୟର ଯତ୍ନ ନେଉଥିଲେ। ଫଳରେ ସେମାନଙ୍କ ଉପରେ ଚରଣଙ୍କର ବିଶ୍ୱାସ ଜନ୍ମିଲା। ସେଥିପାଇଁ ସ୍ତ୍ରୀଙ୍କ ମୃତଦେହ ଘରେ ରଖିବା କଥା ସେମାନଙ୍କ ପାଖରେ ଚରଣ କହିଥିଲେ। ଯଦି ଚରଣ ମରିଯାଆନ୍ତି ତାହେଲେ ତାଙ୍କ ସ୍ତ୍ରୀଙ୍କ ମର ଶରୀର ସଂସ୍କାର ହୋଇ ପାରିବ ନାହିଁ ବୋଲି ସେ ଭାବୁଥିଲେ। ଏହି ଚିନ୍ତା ପାଇଁ ସେ ସବୁବେଳେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ।

ସ୍ୱେଚ୍ଛାସେବୀମାନେ ଏହା ଜାଣିବାପରେ ତାଙ୍କ ସ୍ତ୍ରୀଙ୍କ ମରଶରୀରକୁ ସେଠାକାର ପରମ୍ପରା ଅନୁସାରେ  ଶେଷ ସଂସ୍କାର କରାଇଥିଲେ। ସ୍ତ୍ରୀଙ୍କ ମୃତଦେହକୁ  ଯେତେବେଳେ ଚରଣଙ୍କ ଘରୁ ସ୍ୱେଚ୍ଛାସେବୀମାନେ ନେଇଥିଲେ, ସେତେବେଳେ ସେଠାରେ ଏକ  ଦୁଃଖଦ ପରିବେଶ ଦେଖିବାକୁ ମିଳିଥିଲା। ଚରଣ ସ୍ତ୍ରୀଙ୍କ ମରଶରୀର ଥିବା କଫିନକୁ ଜାବୁଡ଼ି ଧରି ବହୁତ କାନ୍ଦିବା ସହ ସ୍ୱେଚ୍ଛାସେବୀମାନଙ୍କୁ ମୃତଦେହକୁ ନେବାକୁ ଦେଇ ନଥିଲେ। ପରେ ସେ ଧିରେ ଧିରେ ଠୀକ ହୋଇଥିଲେ।

ଚରଣ ସ୍ୱଭାବିକ ହେବା ପରେ ଜଣେ ସ୍ଥାନୀୟ ଓକିଲ ତାଙ୍କର ସାକ୍ଷାତକାର ନେଇଥିଲେ। ସାକ୍ଷାତପରେ ଓକିଲଙ୍କ କଥା ଅନୁସାରେ ଜଣା ପଡ଼ିଥିଲାଯେ, ଚରଣ ଜଣେ ଡାକ୍ତର ହୋଇଥିବା ବେଳେ ତାଙ୍କ ପାଖରେ ଅନେକ ଡାକ୍ତରୀ ଡିଗ୍ରୀ ରହିଛି। ଚରଣ ପୂର୍ବରୁ ରୟାଲ ଥାଇ ସେନା ବିଭାଗରେ ଚିକିତ୍ସା ବିଭାଗୀୟ ଅଧିକାରୀ ଥିଲେ। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ତାଙ୍କୁ ମାନସିକ ଆଘାତ ଦେବାରୁ ତାଙ୍କ ଜୀବନ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା। ତା ପରେ ସେ ବହୁତ ସାଧାରଣ ଜୀବନ ବିତାଉଥିଲେ। ତାଙ୍କ ଘରେ ଅତ୍ୟାବଶ୍ୟକ ଜିନିଷ ବିଜୁଳି, ପାଣି ମଧ୍ୟ ନଥିଲା। ସ୍ତ୍ରୀଙ୍କ ଶେଷ କର୍ମ ହେବା ପରେ ତାଙ୍କ ଘରେ ସବୁ  ସୁବିଧା ହୋଇଥିବା ଜଣାପଡ଼ିଛି।    



from Prameya News7 https://ift.tt/riQ3jnh
ଦାମ୍ପତ୍ୟର ନିଆରା ଉଦାହରଣ : ସ୍ତ୍ରୀଙ୍କ ମୃତଦେହ ସହିତ ବିତାଇଲେ ୨୧ ବର୍ଷ, ଆଉ ତାପରେ…   ଦାମ୍ପତ୍ୟର ନିଆରା ଉଦାହରଣ : ସ୍ତ୍ରୀଙ୍କ ମୃତଦେହ ସହିତ ବିତାଇଲେ ୨୧ ବର୍ଷ, ଆଉ ତାପରେ…   Reviewed by SUBHENDU BARAL on May 09, 2022 Rating: 5

No comments:

Powered by Blogger.