
କନକ ବ୍ୟୁରୋ : ଗାଁ ଦାଣ୍ଡରେ ନବୀନଙ୍କ ମ୍ୟାଜିକ । ଯୁଆଡେ ଚାହିଁବ ସିଆଡେ ବିଜେଡି । ଯାହା ରାଜ୍ୟ ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିଛି । ଶେଷ ଖବର ସୁଦ୍ଧା ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନରୁ ବିଜେଡି ୭୬୫ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୪୨ଟି ଆସନରେ, କଂଗ୍ରେସ ୩୭ଟି ଆସନରେ, ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗରେ ରହିଛନ୍ତି ।
ତିନି ଦିନର ଗଣତି ସୁଦ୍ଧା ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ପଦବୀ ହାତେଇବା ସ୍ଥିତିରେ ଥିବା ବେଳେ ବିଜେପି ଓ କଂଗେସ ଟକ୍କର ଦେବା ପାଇଁ ରେସରୁ ଆଉଟ ହୋଇଯାଇଛନ୍ତି । ୨୦୧୨ରେ ୬୫୧ଟି ଜିଲ୍ଲା ପରିଷଦ ଆସନ ଜିତି ବିଜେଡି ରେକର୍ଡ କରିଥିଲା । ବିଜେପି ୨୦୧୭ରେ କଡା ଟକ୍କର ଦେଇଥିଲା । ଫଳରେ ବିଜେଡି ୪୭୬କୁ ଖସି ଆସିଥିବା ବେଳେ କଂଗ୍ରେସ ୬୦ରେ ସୀମିତ ଥିଲା । ବିଜେପି ୨୯୭ଟି ସିଟ୍ ହାତେଇଥିଲା । ହେଲେ ଚଳିତଥର ବିଜେପି ପୂର୍ବ ରେକର୍ଡ ଦୋହରାଇବ ବୋଲି ଆକଳନ କରିଥିଲା ଯାହା ସ୍ୱପ୍ନରେ ରହିଯାଇଛି ।
ସବୁଠୁ ଚକିତ କଲା ଭଳି କଥା ହେଉଛି ଯେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ୧୦ଟି ଜିଲ୍ଲାରେ ନିଜର ସ୍ଥିତି ଜାହିର୍ କରିପାରିନି । ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ାରେ ଚିତ୍ପଟାଙ୍ଗ ମାରିଛି । ବରଗଡ଼, ବାଲେଶ୍ବର, ଅନୁଗୁଳ, ସମ୍ବଲପୁର ଟିକେ ଭଲ ସ୍ଥିତିରେ ଅଛି। ହେଲେ କେଉଁଠି ବି ସଭାପତି ପଦ ହାସଲ କରିବା ଭଳି ସ୍ଥିତିରେ ନାହିଁ ।
ସେହିପରି କଂଗ୍ରେସ ୧୮ଟି ଜିଲ୍ଲାରୁ ପୂରା ମୂଳପୋଛ ହୋଇଯାଇଛି । ରାୟଗଡ଼ା, କୋରାପୁଟରେ ଦଳ ଯେପରି ପ୍ରଦର୍ଶନ ଦେଖାଇଛି ତାହା ଅନ୍ୟ କେଉଁଠି ବି ଦେଖିବାକୁ ମିଳିନି। କଡ଼ା ଟକ୍କର ସତ୍ତ୍ବେ କଂଗ୍ରେସ କୋରାପୁଟ, ରାୟଗଡ଼ାରେ ଭଲ ପ୍ରଦର୍ଶନ କରିଛି । ହେଲେ ଅନୁଗୁଳ, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଦଳ ଖାତା ଖୋଲିପାରିନି । ଦଳର ୯ଜଣ ବିଧାୟକ ଥିଲେ ବି ବହୁ ଜିଲ୍ଲାରେ ପଛରେ ପଡ଼ିବା ଚିନ୍ତାର ବିଷୟ ପାଲଟିଛି ।
The post ଯୁଆଡେ ଚାହିଁବ ସିଆଡେ ବିଜେଡି : ୮୫୧ ଜିଲ୍ଲାପରିଷଦ ଜୋନରୁ ୭୬୫ ଆସନରେ ଆଗୁଆ ଶାସକ ଦଳ first appeared on Kanak News.
from Kanak News https://ift.tt/mcC2jgS https://ift.tt/FecYlX9
No comments: