ଭୁବନେଶ୍ୱର : କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବା ସହ କିଛି ସ୍ଥାନରେ ସକାଳ ସମୟରେ ଘନ କୁହୁଡି ପଡିବ । ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆଜି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । କିଛି ମିଟର ଆଗକୁ ରାସ୍ତାଘାଟ ଦେଖାଯାଉ ନାହିଁ। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ଘନ କୁହୁଡ଼ି ଦେଖିବାକୁ ମିଳିଛି।
କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ପୁରୀ ଓ କଟକରେ ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।ଉପକୂଳ ଓଡ଼ିଶାରେ କୁହୁଡ଼ିର ପ୍ରଭାବ ଅଧିକ ରହିବ ବୋଲି ଜଣାପଡ଼ିଛି । କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳନ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ୟେଲୋ ୱାର୍ଣ୍ଣିଂ ପାଇଁ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ବୌଦ୍ଧ, କନ୍ଧମାଳ, ଅନୁଗୁଳ ଏବଂ ଢେଙ୍କାନାଳ ଆଦି ସ୍ଥାନରେ ମଧ୍ୟମରୁ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଅନ୍ୟପଟେ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ହେଲେ ଏହାର ପରବର୍ତ୍ତୀ ସମୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମ୍ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ଆକଳନ କରିଛି ।
ଗତକାଲି ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ଅନୁଗୁଳଠାରେ ୩୪.୧ ଡିଗ୍ରି ରେକର୍ଡ ହୋଇଥିଲା । ଆସନ୍ତା ଗୋଟିଏ ଦିନ ପାଇଁ ରାତ୍ରି ତାପମାତ୍ରା ଅପରିବର୍ତ୍ତିତ ରହିବ । ଆଉ ତା’ ପରଠାରୁ ୧ରୁ ୨ ଦିନରେ ରାଜ୍ୟରେ ପାରଦ ଖବିସ । ତାପମାତ୍ରା ପ୍ରାୟ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବା ନେଇ ଆକଳନ କରାଯାଉଛି। ଫଳରେ ଆସନ୍ତା କିଛି ଦିନରେ ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ ।
The post ରାଜ୍ୟରେ ଘନ କୁହୁଡ଼ି, ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି appeared first on OTV Khabar..
from OTV Khabar. https://ift.tt/35r8l8q
No comments: