ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୧୧ ତାରିଖରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୦୮।୧୦: ଗୋଟିଏ ଲଘୁଚାପ ଯାଇଛି। ପୁଣି ଆଉ ଗୋଟିଏ ଦାନା ବାନ୍ଧୁଛି। ଆସନ୍ତା ୯ ତାରିଖବେଳକୁ ଲଘୁଚାପ ରୂପ ନେବ। ଏହା ପରେ ତୃତୀୟ ସପ୍ତାହରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ସମ୍ଭାବ୍ୟ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ।

ଚଳିତ ଅକ୍ଟୋବରରେ ସୃଷ୍ଟି ହେବାକୁ ଥିବା ଦ୍ୱିତୀୟ ଲଘୁଚାପ ନେଇ ଏବେଠାରୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର। ଆସନ୍ତା ୧୧ ତାରିଖରୁ ଯେଉଁ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି, ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପାଣିପାଗ ବିଭାଗ କହିଛି, ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖବେଳକୁ ଏକ ଲଘୁଚାପ ସମ୍ଭାବନା ଅଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୧ ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଅବପାତ (ଡିପ୍ରେସନ୍‌) ଅବସ୍ଥାରେ ସ୍ଥଳଭାଗକୁ ପ୍ରବେଶ କରିବ। ଏହା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୦ ତାରିଖରୁ ପାଗ ବଦଳିବା ସହ ବର୍ଷା ହେବ। ୧୧ରୁ ବର୍ଷା ବଢ଼ିବ । ପ୍ରବଳରୁ ପ୍ରବଳତର ବର୍ଷା ହେବ। ୧୩ ତାରିଖ ଯାଏଁ ଓଡ଼ିଶାରେ ବର୍ଷା ଲାଗି ରହିବ । ୧୧ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି ।

ଉତ୍ତର ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳର ଅଳ୍ପ କେତେକ ଜାଗାରେ ବି ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ଗଞ୍ଜାମରେ ପ୍ରବଳରୁ ପ୍ରବଳତର ବର୍ଷା ହେବ। ପୁରୀ, କନ୍ଧମାଳ, ଖୋର୍ଦ୍ଧା, ଜଗତସିଂହପୁର, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ। ଲଘୁଚାପ ଯୋଗୁ ସେଇ ସମୟରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ। ତେଣୁ ୧୦ ତାରିଖରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି।

କୃଷି ପାଣିପାଗବିତ୍‌ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଦାନା ବାନ୍ଧୁଥିବା ଚଳିତ ମାସର ଦ୍ୱିତୀୟ ଲଘୁଚାପ ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ। ୧୨ ତାରିଖ ରାତି କିମ୍ବା ୧୩ ତାରିଖ ସକାଳ ସୁଦ୍ଧା ବିଶାଖାପାଟଣାର ଦକ୍ଷିଣରେ ସ୍ଥଳଭାଗ ଛୁଇଁବ। ଏହା ପ୍ରଭାବରେ ରାଜ୍ୟରେ ୧୦ ତାରିଖରୁ ପାଗ ବଦଳିବ। ୧୧ରୁ ୧୪ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ଅଛି। ଉତ୍ତର ପଶ୍ଚିମ ଓଡ଼ିଶା ବ୍ୟତିତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ପୁରୀ, ଗଞ୍ଜାମ, ନୟାଗଡ଼ରେ ସବୁଠୁ ଅଧିକ ବର୍ଷା ହେବ। ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଢେଙ୍କାନାଳରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ। ପୁଣି ଅକ୍ଟୋବର ତୃତୀୟ ସପ୍ତାହରେ ସେଇ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ହୋଇପାରେ। ଯାହାକି ଓଡ଼ିଶାରେ ବେଶି ବର୍ଷା କରାଇବା ସମ୍ଭାବନା ଅଛି।



from Prameya News7 https://ift.tt/3jJxj84
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୧୧ ତାରିଖରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୧୧ ତାରିଖରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ Reviewed by SUBHENDU BARAL on October 07, 2020 Rating: 5

No comments:

Powered by Blogger.