ଭୁବନେଶ୍ୱର: କ୍ରାଇମ୍ ସିଟି ପାଲଟିଛି ରାଜଧାନୀ ଭୁବନେଶ୍ୱର। ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍ ବଢ଼ିବାରେ ଲାଗିଛି। ମୋବାଇଲ୍ ଫୋନ୍ ଲୁଟ୍ କରିବା ପରେ ଜଣେ ଫୁଡ୍ ଡେଲିଭରି ବୟଙ୍କୁ ଚଳନ୍ତା ଗାଡ଼ିରୁ ଧକ୍କା ଦେଇନ୍ତି ଲୁଟେରା। ବ୍ୟସ୍ତବହୁଳ ପଳାଶୁଣୀ ନିକଟରେ ଏହି ଘଟଣା ଘଟିଛି।
ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାଁ ଶୁଭକାନ୍ତ ନାଥ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଶୁଭକାନ୍ତ ଫୁଡ୍ ଡେଲିଭରି ପାଇଁ ପାହାଳ ଯାଇଥିଲେ। ସେଠାରୁ ସେ ଫେରୁଥିବା ବେଳେ ପଳାଶୁଣୀ ନିକଟରେ ୨ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କ ନିକଟରୁ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏହାପରେ ଶୁଭକାନ୍ତ ଦୁର୍ବୃତ୍ତଙ୍କ ପିଛା କରିଥିଲେ। ମାତ୍ର ଦୁର୍ବୃତ୍ତମାନେ ତାଙ୍କୁ ଚଳନ୍ତା ବାଇକ୍ରୁ ଧକ୍କା ଦେଇଥିଲେ। ଫଳରେ ସେ ବାଇକ୍ରୁ ଖସି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ।
ଗତ ୨ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା। ଗତ ମଙ୍ଗଳବାର ଦିନ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ସାମ୍ନାରୁ ସ୍କୁଟିରେ ଯାଉ ଥିବାବେଳେ ଜଣେ ଛାତ୍ରୀଙ୍କ ନିକଟରୁ ଲୁଟେରାମାନେ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ସେହିପରି ଗତ ୧ ତାରିଖରେ ରସୁଲଗଡ଼ କେନାଲ ରୋଡରେ ଜଣେ ଯୁବତୀ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ନିକଟରୁ ମଧ୍ୟ ମୋବାଇଲ୍ ଛଡ଼ାଇ ନେଇଥିଲେ। ଲୁଟ୍ପାଟ୍ ବେଳେ ଯୁବତୀ ଜଣକ ଗାଡ଼ିରୁ ତଳେ ପଡ଼ି ଯିବାରୁ ଗୁରୁତର ଭାବେ ଆହତ ହୋଇଥିଲେ।
ଗତ କିଛି ଦିନ ହେବ ଲଗାତର ଭାବେ ରାଜଧାନୀରେ ଏଭଳି ଲୁଟ୍ପାଟ୍ ଘଟଣା ସାମ୍ନାକୁ ଆସୁଛି। ଏହାସହ ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍ ମଧ୍ୟ ବଢ଼ିବାରେ ଲାଗିଛି।
The post ଭୁବନେଶ୍ୱରରେ ଫୁଡ୍ ଡେଲିଭରି ବୟଙ୍କୁ ଚଳନ୍ତା ଗାଡ଼ିରୁ ଧକ୍କାଦେଲେ ଲୁଟେରା appeared first on OTV Khabar..
from OTV Khabar. https://ift.tt/3izDMkM
No comments: