ମିଠା ଦୋକାନୀଙ୍କୁ ହତ୍ୟା ଘଟଣାରେ କୋର୍ଟରେ ଆତ୍ମସମର୍ପଣ କଲା ଷଡ଼ଯନ୍ତ୍ରକାରୀ: ଅଭିଯୁକ୍ତ ହେଲେ ଶିଶୁପାଳଗଡ଼ର ରାଜ କିଶୋର ବେହେରା
ଭୁବନେଶ୍ୱର,୦୯/୧୦: ଲିଙ୍ଗରାଜ ଥାନା ସାମନ୍ତରାପୁର ଛକ ଉପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମିଠା ଦୋକାନୀ ପ୍ରଭାକର ସାହୁ ଓରଫ ଜମ୍ବୁ (୪୫)ଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଜଣେ ଅଭିଯୁକ୍ତ ଜିଲ୍ଲା ଜଜ୍ଙ୍କ କୋର୍ଟରେ ଆତ୍ମସର୍ମପଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଶିଶୁପାଳଗଡ଼ର ରାଜ କିଶୋର ବେହେରା। ପୁଲିସ୍ କହିଛି ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ, ସେ ହେଉଛି ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀ। ତେବେ ତାକୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ପୁଲିସ୍ କୋର୍ଟରେ ଆବେଦନ କରିଥିବା ଜଣାପଡିଛି।
ଜମ୍ବୁଙ୍କ ଘର ଜଗତସିଂହପୁରରେ। ସେ ଦୀର୍ଘ ବର୍ଷ ହେବ ସାମନ୍ତରାପୁରସାହିରେ ପରିବାର ସହ ରହି ବଳରାମ ବେହେରାଙ୍କ ମିଠା ଦୋକାନରେ କାମ କରୁଥିଲେ। ତେବେ ଗତ ଦୁଇ ବର୍ଷ ହେବ ଜମ୍ବୁ ନିଜେ ଦୋକାନ କରିବେ ବୋଲି ଯୋଜନା କରି ବଳାରାମଙ୍କ ଦୋକାନରୁ କାମ ଛାଡି ଦେଇଥିଲା । ତା’ପରେ ବଳରାମଙ୍କ ମିଠା ଦୋକାନଠାରୁ ମାତ୍ର କିଛି ଦୂରରେ ଏକ ଉଠା ମିଠା ଦୋକାନ ଆରମ୍ଭ କଲେ। ଏହା ପରେ ବଳରାମଙ୍କ ବେପାର ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା। ଏହା ଦେଖି ବଳରାମଙ୍କ ପୁଅ ତଥା ଷଡ଼ଯନ୍ତ୍ରକାରୀ ରାଜ କିଶୋରଙ୍କ ମୁଣ୍ଡରେ ପିତ୍ତ ଚଢ଼ି ଯାଇଥିଲା । ଜମ୍ବୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା । ସୁପାରୀ କିଲର ଲଗାଇ ଗତ ୪ ତାରିଖ ଦିନ ହତ୍ୟା କରିଥିଲେ।
ଦୁଇ ଜଣ ସୁପାରୀ କିଲର ସାମନ୍ତରାପୁର ଛକ ଜାତୀୟ ରାଜପଥ ଉପରେ ଜମ୍ବୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଯିବା ସମୟରେ ଖଣ୍ଡା ବୁଲାଇ ବାଟରେ ଯାଉଥିବା ଲୋକମାନଙ୍କୁ ଭୟଭୀତ କରିଥିଲେ। ଜମ୍ବୁଙ୍କ ପତ୍ନୀ ଥାନାରେ ଅଭିଯାଗ କରିଥିଲେ ତାଙ୍କ ସ୍ୱାମୀଙ୍କୁ ବଳରାମ ଓ ତାଙ୍କ ପୁଅ ହତ୍ୟା କରିଛନ୍ତ ବୋଲି। ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇଥିଲା ରାଜାଧାନୀରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି। ବରିଷ୍ଠ କଂଗ୍ରେସ୍ ନେତା ନରସିଂହ ମିଶ୍ର ଏ କଥା ବିଧାନସଭାରେ ଉଠାଇଥିଲେ ।
ଏହାପରେ ପୁଲିସ୍ ଆରମ୍ଭ କରିଥିଲା ତନାଘାନା। ହେଲେ ୬ ଦିନ ପରେ ମଧ୍ୟ ହତ୍ୟାକାରୀଙ୍କୁ ଧରିବାରେ ପୁଲିସ୍ ସଫଳ ହୋଇନଥିଲା। ଜମ୍ବୁଙ୍କ ପତ୍ନୀ ମିନତିଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍ ବଳରାମଙ୍କ ପୁଅକୁ ତଦନ୍ତ ପରିସରକୁ ନେଇଥିଲା। ହେଲେ ସେ ଫେରାର ହୋଇଯାଇଥିଲା। ପୁଲିସ୍ ତା’ ବିଷୟରେ କିଛି ଟେର ପାଇନଥିଲା। ଗୁରୁବାର ଅପରାହ୍ଣରେ ରାଜକିଶୋର କୋର୍ଟରେ ଆତ୍ମସମର୍ପଣ କରିଥିଲା। ପରେ ତାଙ୍କୁ ବିଚାର ବିଭାଗୀୟ ହାଜତ (ଝାରପଡ଼ା ଜେଲ୍)କୁ ପଠାଇ ଦିଆଯାଇଛି। ଏନେଇ ପୁଲିସ୍ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ରାଜକିଶୋର ହେଉଛି ମିଠା ଦୋକାନୀ ବଳରାମଙ୍କ ପୁଅ। ସେ ହତ୍ୟା କରିଛି ନାଁ ନାହିଁ ତାର ତଦନ୍ତ ଚାଲିଛି । ତାକୁ ରିମାଣ୍ଡରେ ଅଣାଯିବ । ରିମାଣ୍ଡ ସମୟରେ ତା’ଠାରୁ କିଛି ତଥ୍ୟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାର ତଦନ୍ତ ଚାଲିଥିବାରୁ କମିଶନର ଅଧିକ କିଛି ତଥ୍ୟ ପ୍ରଦାନ କରିନଥିଲେ।
from Prameya News7 https://ift.tt/3iDhChu

No comments: