ଅସହ୍ୟ ଗରମ, ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡିଶା: ରାଜ୍ୟରେ ଆଉ ୨ଦିନ ଯାଏଁ ଚାଲିବ ତାତିର ଥାର୍ଡ ଡିଗ୍ରୀ; ପ୍ରଚଣ୍ଡ ଖରା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି Kanak News

କନକ ବ୍ୟୁରୋ: ଗରମ, ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ରାଜ୍ୟ। କିନ୍ତୁ ଏହା ଭିତରେ ଖୁସି ଖବର ଯେ ତାତି ଆଉ ମାତ୍ର ଦୁଇ ଦିନ। ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟରେ ଏହି ଭଳି ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଏହା ପରେ ଧୀରେ ଧୀରେ ଗ୍ରୀଷ୍ମ ପ୍ରବାହ କମିବ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୯ ଜିଲ୍ଲା ପାଇଁ ଦୁଇ ଦିନ ପର୍ଯ୍ୟନ୍ତ ଅଂଶୁଘାତ ସତର୍କତା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଖରାରେ ଅଧିକ ବାହାରିବା, କଠିନ ପରିଶ୍ରମ କରିବାକୁ ମନା କରାଯାଇଛି। ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ବାହାରକୁ ନ ବାହାରିବାକୁ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି।
କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା କିଛି କିଛି ସ୍ଥାନରେ ୪୦ ଡିଗ୍ରି ଓ କେତେକ ସ୍ଥାନରେ ତା’ଠାରୁ ଅଧିକ ରହିବ। ୨୮ ତାରିଖ ପର୍ଯ୍ୟନ୍ତ ଖରାର ମାତ୍ରା ପ୍ରଖର ଥିବାରୁ ବଲାଙ୍ଗୀର, ସୋନପୁର, ବରଗଡ଼, ନୂଆପଡ଼ା, ସୋନପୁର, ବୌଦ୍ଧ, କଳାହାଣ୍ଡି, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ ଓ ମାଲକାନଗିରିରେ ହିଟ୍ ୱେଭ୍ ବା ଅଂଶୁଘାତ ସତର୍କତାଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।
ଗତକାଲି ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ଠାରେ ୪୪.୦ ଡିଗ୍ରି ରେକର୍ଡ କରାଯାଇଛି। ଏହା ପଛକୁ ୪ ସହର ଯଥା ବଲାଙ୍ଗୀର (୪୩.୫), ଅନୁଗୁଳ (୪୩.୧), ସମ୍ବଲପୁର (୪୩.୦) ଓ ବୌଦ୍ଧ (୪୩.୦) ଆଦି ୪୩ ଡିଗ୍ରି ରହିଛି। ସେହିପରି ସୋନପୁର, ଝାରସୁଗୁଡ଼ା, ହୀରାକୁଦ, ତାଳଚେର, ଭବାନୀପଟଣା ଓ ମାଲକାନଗିରି ଆଦି ଅଞ୍ଚଳର ତାପମାତ୍ରା ୪୨ଡିଗ୍ରି ଉପରେ ରହିଛି। ଫୁଲବାଣୀ, ପାରଳାଖେମୁଣ୍ଡି ଓ ସୁନ୍ଦରଗଡ଼ର ତାପମାତ୍ରା ୪୧ ଡିଗ୍ରି ଉପରେ ରହିଛି। ଏବେ ଉପକୂଳ ଓଡ଼ିଶାର ତାପମାତ୍ରା କମ୍ ରହିଛି।
from Kanak News https://ift.tt/2B07wXL https://ift.tt/2znPsql
No comments: