
କନକ ବ୍ୟୁରୋ: ସରିଲା ଦେବ ନିମନ୍ତ୍ରଣ । ହର-ପାର୍ବତୀଙ୍କ ମଙ୍ଗନ ସମ୍ପନ୍ନ ହୋଇଯାଇଛି । ଆଜି ବିବାହ ହେବ । ଶୀତଳଷଷ୍ଠୀ ପାଇଁ ଚଳଚଂଚଳ ସାରା ରାଜ୍ୟ । ସମ୍ବଲପୁରରେ ଗତକାଲି ଦେବନିମନ୍ତ୍ରଣ ପର୍ବ ଶେଷ ହୋଇଛି । ବାହାଘର ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଝାଡୁଆପଡା, ମୁଦିପଡା, ବଡବଜାର, ବାଲିବନ୍ଧା, ଠାକୁରପଡା, ବୁଢାରଜା ଓ ଦୁର୍ଗାପାଲିରେ ମହାଦେବଙ୍କ ସହ ଦେବୀ ପାର୍ବତୀଙ୍କ ନିର୍ବନ୍ଧ ଶେଷ ହୋଇଛି । ଆଜି ଶୀତଳଷଷ୍ଠୀରେ ଦେବ ଦମ୍ପତିଙ୍କ ବିବାହ ହେବ । ଏପଟେ ଲିଙ୍ଗରାଜରେ ସାମାଜିକ ଦୂରତା ସହ ଓ ପରମ୍ପରା ମୁତାବକ ଶୀତଳଷଷ୍ଠୀ ପର୍ବ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ପ୍ରଥାନୁସାରେ, ଠାକୁର ଶ୍ରୀଲିଙ୍ଗରାଜ ଶ୍ବଶୁର ଘର କେଦାରେଶ୍ୱର ମନ୍ଦିରକୁ ଯିବେ। ଏଥିପାଇଁ ଗତକାଲି ମଙ୍ଗନ ତିଥି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗନ ଅବସରରେ ଗତକାଲି ସନ୍ଧ୍ୟାରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଛି। ଆଜି ସେମାନଙ୍କ ଉପସ୍ଥିତିରେ ଶିବ-ପାର୍ବତୀଙ୍କ ଶୁଭ ପରିଣୟ ଅନୁଷ୍ଠିତ ହେବ। ଗତକାଲି ସନ୍ଧ୍ୟାରେ ସେବାୟତମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଶ୍ରୀଲିଙ୍ଗରାଜ ମନ୍ଦିରରେ ମଙ୍ଗନ କାର୍ୟ୍ୟ ସମାହିତ କରିଥିଲେ। ସନ୍ଧ୍ୟା ଧୂପ ପରେ ପରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଥିଲା।
ଏକାମ୍ର କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଥିବା ଅଷ୍ଟ ଦେବୀ ଯଥା ମଠକପାଳି ଠାକୁରାଣୀ, ମହନୀ ଠାକୁରାଣୀ, ଆଖଡ଼ାଚଣ୍ଡୀ ଠାକୁରାଣୀ, ରାମାୟଣୀ ଠାକୁରାଣୀ, କପାଳି ଠାକୁରାଣୀ, ଉତ୍ତରାୟଣୀ ଠାକୁରାଣୀ, ଗୌରୀ ଠାକୁରାଣୀ, ଅମ୍ୱିକେ ଠାକୁରାଣୀ, ଓ ଦ୍ୱାରବାସିନୀ ଠାକୁରାଣୀଙ୍କ ନିକଟକୁ ନିମନ୍ତ୍ରଣ ପତ୍ର ପଠାଯାଇଥିଲା। ପୂଜାପଣ୍ଡା, ପାଳିଆ ବଡ଼ୁ, ଛତା, ତ୍ରାସ, ମଶାଲ, ପତ୍ରୀ, ଘଣ୍ଟ, କାହାଳୀ, ପର୍ବଯାତ୍ରା ବିଶୋୟୀ ଓ ସୁପରଭାଇଜର୍ ନିମନ୍ତ୍ରଣ ପର୍ବରେ ସାମିଲ ହୋଇଥିଲେ। ସେବାୟତମାନେ ଅଷ୍ଟଚଣ୍ଡୀ ଠାକୁରାଣୀମାନଙ୍କୁ ଫୁଲ, ଚନ୍ଦନ, ବେଲ ପତ୍ର ଓ ମହାପ୍ରସାଦ ସମର୍ପଣ କରି ନିମନ୍ତ୍ରଣ କରିଥିଲେ। ପୂର୍ବରୁ ଏହି କାର୍ୟ୍ୟକ୍ରମ ବେଶ୍ ଆଡ଼ମ୍ବର ସହକାରେ ସମ୍ପାଦିତ ହେଉଥିଲା। କିନ୍ତୁ ଏଥର ବିନା ଗହଳଚହଳରେ କେବଳ ଗୋଟିଏ ଘଣ୍ଟ, ଶଙ୍ଖ ଓ କାହାଳୀ ଶବ୍ଦରେ ସମାହିତ ହୋଇଛି।
from Kanak News https://ift.tt/3ekp3sa https://ift.tt/36wCMte
No comments: