ନୀଳଗିରି(ବିଶ୍ୱମ୍ବର ଦାସ): ନୀଳଗିରି ସହର ସ୍ଥିତ କୈଳାଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଗତ ରାତିରେ ଅଗ୍ନିକାଣ୍ଡ ଘଟିଛି। କୈଳାଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ହବ୍ ସେଣ୍ଟର କରାଯାଇ ଏଠାରେ ନୀଳଗିରି ବ୍ଲକ୍ର ସମସ୍ତ ସ୍କୁଲ ଓ ଔପଦା ବ୍ଲକର କେତେକ ସ୍କୁଲ ପାଇଁ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ରଖାଯାଇଛି।
ଏଥିନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ତେବେ ଗତ ରାତି ପ୍ରାୟ ୧୦ଟା ୩୦ରେ ପ୍ରଶ୍ନପତ୍ର ରଖାଯାଇଥିବା ପାଖ ରୁମ୍ରୁ ପ୍ରବଳ ଧୂଆଁ ବାହାରକୁ ନିର୍ଗତ ହେବା ଦେଖି ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ସଙ୍ଗେ ସଙ୍ଗେ ନୀଳଗିରି ସହରର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ଏକ କମ୍ପ୍ୟୁଟର ଓ ପ୍ରିଣ୍ଟର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳିଯାଇଥିବା ଜଣାପଡ଼ିଛି।
ଖବର ପାଇ ଘଟଣାସ୍ଥଳରେ ନୀଳଗିରି ପୁଲିସ୍ , BEO ଓ DEO ପହଞ୍ଚିଥିଲେ। ସ୍ଥିତି ନିୟନ୍ତ୍ରଣକୁ ଆସିବାପରେ ପ୍ରଶ୍ନପତ୍ର ରଖାଯାଇଥିବା ରୁମ୍ ଯାଞ୍ଚ କରି ପ୍ରଶ୍ନପତ୍ର ସୁରକ୍ଷିତ ଥିବା ସହ ଆଜି ପରୀକ୍ଷାରେ କୌଣସି ବାଧା ହେବନାହିଁ ବୋଲି DEO ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପ୍ରଶପତ୍ର ନିକଟ ରୁମ୍ରେ ଲାଗିଥିବା ନିଆଁ ସର୍ଟ ସର୍କିଟ ଯୋଗୁ ଲାଗିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ତେବେ ପ୍ରକୃତରେ ଏହା କେବଳ ସର୍ଟ ସର୍କିଟ ନା ମଣିଷକୃତ ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ।
from OTV Khabar. https://ift.tt/3agj0D3
No comments: