ଗମ୍ଭୀର ମାମଲା ବଜ୍ରକାପ୍ତା ଚୋରାଚାଲାଣ ! ଇଡି କରିବ ତଦନ୍ତ,କିଙ୍ଗପିନ ଅଲ୍ଲୀ ସମେତ ୧୮ ଗିରଫଙ୍କ ତଥ୍ୟ ମାଗିଲା , ସେପଟେ ଏତେ ନିଷ୍କ୍ରିୟ ବନବିଭାଗ କାହିଁକି? Kanak News

କନକ ବ୍ୟୁରୋ : ଅତି ସମ୍ବେଦନଶୀଳ ତଥା ଅତି ବିରଳ ପତଙ୍ଗଭୋଜୀ ପ୍ରାଣୀ ବଜ୍ରକାପ୍ତା ଚୋରାଚାଲାଣ ପ୍ରସଙ୍ଗ ସାଂଘାତିକ ମୋଡ଼ ନେଇଛି। ଗୋଟିଏ ପଟେ ରାଜ୍ୟ ସରକାର ପ୍ରଥମ ଥର ବଜ୍ରକାପ୍ତା ଚୋରା ଚାଲାଣ ସଂପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସୂଚାଇଛନ୍ତି ଯେ ଗୋଟିଏ କି ଦୁଇଟି ନୁହେଁ, ଗତ ତିନିବର୍ଷ ମଧ୍ୟରେ ୧୪ଟି ବଜ୍ରକାପ୍ତା ଚୋରାଚାଲାଣ ହୋଇଛି। ୪ଟି ବଜ୍ରକାପ୍ତାକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଅନ୍ୟପଟରେ ଏହି ସଙ୍ଗିନ୍ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ହସ୍ତକ୍ଷେପ କରିଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ଇଡିର ଯୁଗ୍ମ ନିର୍ଦେଶକ ମାଧବ ଚନ୍ଦ୍ର ମିଶ୍ର ରାଜ୍ୟ ପ୍ରଧାନ ମୁଖ୍ୟ ବନ୍ୟଜୀବ ସଂରକ୍ଷକଙ୍କୁ ଏକ ଚିଠି ଲେଖି ଏହି ମାମଲାର ଏତଲାର ନକଲ ମାଗିଛନ୍ତି। ସିଧାସିଧା କହିଛନ୍ତି ଯେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ସେକ୍ ଅଲ୍ଲୀ ନାମକ ଜଣେ ମାଫିଆ ସମେତ ଅନ୍ୟ ଦୁଇ ଜଣଙ୍କୁ ଆଠଗଡ଼ ଡିଏଫ୍ଓ ବଜ୍ରକାପ୍ତା ଚୋରାଚାଲାଣ ମାମଲାରେ ଧରିଛନ୍ତି। ଗଣମାଧ୍ୟମ ରିପୋର୍ଟରୁ ଏକଥା ବି ସାମ୍ନାକୁ ଆସିଛି ଯେ ଇତିମଧ୍ୟରେ ସେମାନେ ୧୮ ଜଣ (ଏବେ ୨୨ଜଣ)ଙ୍କୁ ଗିରଫ କରିସାରିଲେଣି। ବେଆଇନ ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଏମାନଙ୍କର ସଂପୃକ୍ତି ରହିଥିବା କୁହାଯାଇଛି।
ଏସବୁ ଘଟଣାରେ ଆଠଗଡ ବନଖଣ୍ଡ ଅଧିକାରୀ ଯେଉଁ ଏତଲା ଦାୟର କରିଛନ୍ତି, ତାହାର ନକଲ ଇଡିକୁ ଦିଆଯିବା ଦରକାର। ଯାହା ଫଳରେ ଅର୍ଥ ହେରଫେର ନିରୋଧ ଆଇନ, ୨୦୦୨ ଆଧାରରେ ଇଡି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଛି। ଏ ସଂକ୍ରାନ୍ତରେ ଯଦି ଅନ୍ୟ କିଛି ତଥ୍ୟ ବି ଥାଏ, ତେବେ ତୁରନ୍ତ ହସ୍ତାନ୍ତର ଲାଗି ଇଡି ଯୁଗ୍ମ ନିର୍ଦେଶକ ପିସିସିଏଫ୍ଙ୍କୁ ଦର୍ଶାଇଛନ୍ତି। ଇଡିର ଏହି ଚିଠି ଉପରେ ରାଜ୍ୟ ବନ୍ୟଜୀବ ମୁଖ୍ୟାଳୟ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଆଠଗଡ ଡିଏଫଓଙ୍କୁ ମାମଲା ସଂପର୍କିତ ସମସ୍ତ ତଥ୍ୟ ମଗାଯାଇଥିବା ସୂଚନା ମିଳିଛି। ମାତ୍ର ଡିଏଫ୍ଓ ସସ୍ମିତା ଲେଙ୍କା ଏ ସଂକ୍ରାନ୍ତରେ କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି। ତେବେ ବଜ୍ରକାପ୍ତା ମାମଲାରେ ଇଡିର ତନାଘନା ନିଷ୍ପତ୍ତି ଏବେ ଅପରାଧୀ ଓ ସେମାନଙ୍କ ସହିତ ମଧୁଚନ୍ଦ୍ରିକାରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି ।
ବଜ୍ରକାପ୍ତା ଚୋରାଚାଲାଣ ଘଟଣାର କିଙ୍ଗ୍ପିନ୍ ବୋଲି କୁହାଯାଉଥିବା ଅଲ୍ଲୀ ଜେରା ବେଳେ ଯେଉଁ ତଥ୍ୟ ଦେଇଥିଲା, ତାହା ବନ ବିଭାଗ ଅଧିକାରୀଙ୍କ ମୁଣ୍ଡ ଗୋଳମାଳ କରିଦେଇଥିଲା। ଅଲ୍ଲୀ ସିଧା ସିଧା କହିଥିଲା ଯେ ଏହି କାରବାରରେ ତା’ ଭଳି ଛୋଟ ଛୋଟ ଅପରାଧୀଙ୍କୁ ଧରିଲେ ବିଶେଷ ସଫଳତା ମିଳିବ ନାହିଁ କି ବନ ବିଭାଗର ବାହାଦୁରି ନାହିଁ। ବରଂ ଏହି ଘଟଣା ସହିତ ବହୁତ ବଡ଼ ବଡ଼ ଲୋକ ସଂପୃକ୍ତ ଅଛନ୍ତି। ଯଦି ପାରୁଛ ତାଙ୍କୁ ଧର ବୋଲି ଓଲଟା ସେ ଚ୍ୟାଲେଞ୍ଜ ଦେଇଥିଲା। ଅଲ୍ଲୀ ଆହୁରି କହିଥିଲା ଯେ କଟକରେ ମାଛ ବଜାରରେ ବଜ୍ରକାପ୍ତା ଦିନ ଦି ପହରେ ବିକ୍ରି ହେଉଛି। କାହିଁକି ବନବିଭାଗ ସେଠାରେ ଧରିପାରୁନି ତ? ମାଛ ଭିତରେ କିଭଳି ବଜ୍ରକାପ୍ତା ଚୋରାଚାଲାଣ ହେଉଛି, ସେ ସଂପର୍କରେ ବି ସେ ବଖାଣିଥିଲା। ଅଲ୍ଲୀ କହିଥିଲା ଯେ ଚାରି ଇଞ୍ଚରୁ ବଡ଼ ଆକାରର କାତି ହେଲେ ୧୦ହଜାର ଟଙ୍କା ଦେଇଥାଏ।

ଉଲ୍ଲେଖଯୋଗ୍ୟ ଯେ ଏହି ବିରଳ ପ୍ରଜାତିର ପ୍ରାଣୀ ଲୋପପାଇଯିବା ଆଶଙ୍କା କରି ‘ସମ୍ବାଦ’ ଏନେଇ ବାରମ୍ବାର ଖବର ପ୍ରକାଶ କରିଆସୁଛି। ରାଜ୍ୟ ସରକାର କିନ୍ତୁ ଏହା ଉପରେ ଏଯାଏ ଠୋସ୍ ପଦକ୍ଷେପ ନେବା ଆରମ୍ଭ କରିନାହାନ୍ତି। ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରିବ କି ନାହିଁ, ତାହା ନିର୍ଧାରଣ ହୋଇପାରୁନାହିଁ। ସେହିଭଳି ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବୋର୍ଡ ଥରୁଟିଏ ପଚରା ଉଚରା କରି ଯାଇଛି ଯେ ଯାଇଛି। ଭାରତରେ ବଜ୍ରକାପ୍ତା ୧ ନମ୍ବର ସିଡ୍ୟୁଲଭୁକ୍ତ ବନ୍ୟ ପ୍ରାଣୀ। ଭାରତର ବନ୍ୟପ୍ରାଣୀ ସୁରକ୍ଷା ଆଇନ୍, ୧୯୭୨ ଅନୁସାରେ ବଜ୍ରକାପ୍ତା ଧରିବା, ମାରିବା ବା ତାର ଦେହାବଶେଷ ରଖିବା ଧର୍ତ୍ତବ୍ୟ ଅପରାଧ। ଏହା ସତ୍ତ୍ବେ ରାଜ୍ୟ ସରକାରଙ୍କ ବନ ବିଭାଗ ଓ ଅଧିକାରୀମାନେ ଏତେ ନିଷ୍କ୍ରିୟ କାହିଁକି?
from Kanak News https://ift.tt/2TgNCxm https://ift.tt/2SWCzu9
No comments: