ଜଳସଂପଦ ଓ ନଗର ଉନ୍ନୟନ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ହେବେ ହାଜର Kanak News

କନକ ବ୍ୟୁରୋ : ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ ଏବଂ ଜଳସଂପଦ ବିଭାଗ ସଚିବ। ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପ୍ରସଂଗରେ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ନଗର ଉନ୍ନୟନ ସଚିବ ଓ ଜଳସଂପଦ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩ରେ ଉଭୟ ବିଭାଗର ଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ କାହିଁକି ପୂର୍ବ ନିର୍ଦ୍ଦେଶ ପାଳନ କରାଯାଇ ନାହିଁ ସେ ନେଇ କାରଣ ଦର୍ଶାଇବେ। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବତନ ମୁଖ୍ୟଯନ୍ତ୍ରୀ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ଜଳସଂପଦ ବିଭାଗରେ ବରିଷ୍ଠ ଯନ୍ତ୍ରୀ ଭାବେ ଆବେଦନକାରୀ କାର୍ଯ୍ୟ କରୁଥିବା ବେଳେ ୨୦୧୪ ଡିସେମ୍ବର ୫ରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ବିରୋଧରେ ସେ ରାଜ୍ୟ ପ୍ରାଶାସନିକ ଟ୍ରିବୁନାଲ (ସ୍ୟାଟ୍)ଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୭ ଅଗଷ୍ଟ ୧୮ରେ ସ୍ୟାଟ୍ ଏଭଳି କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଥିଲେ। ପରବର୍ତ୍ତୀ ସମୟରେ ସ୍ୟାଟ୍‌ଙ୍କ ଆଦେଶ ହାଇକୋର୍ଟରେ କାଏମ ରହିଥିଲା। ପୁଣି ୨୦୧୭ ଅଗଷ୍ଟ ୮ରେ ଆବେଦନକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଏହାକୁ ମଧ୍ୟ ସ୍ୟାଟ୍ ରଦ୍ଦ କରିଥିଲେ। ଏହି ରାୟକୁ ଗ୍ରହଣ କରି ପରବର୍ତ୍ତୀ ସମୟରେ ସରକାର ଆବେଦନକାରୀଙ୍କୁ ମୁଖ୍ୟଯନ୍ତ୍ରୀ ଭାବେ ପଦୋନ୍ନତି ଦେଇଥିଲେ।

ଏହାପରେ ଆବେଦନକାରୀ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତାଙ୍କୁ ପ୍ରୋଭିଜିନାଲ ପେନସନ୍ ଦିଆଯାଇଥିଲେ ମଧ୍ୟ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯାଇ ନଥିଲା। ୨୦୧୯ରେ ସେ ଏହି ପ୍ରସଂଗରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଏକ ମାସ ଭିତରେ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଜଳସଂପଦ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନଥିଲା। ‌ଏହାପରେ ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ୨୦୧୮ ଅଗଷ୍ଟ ୬ର ନିର୍ଦ୍ଦେଶ ବିରୋଧରେ ସରକାର ସୁପ୍ରିମକୋର୍ଟରେ ଦାୟର କରିଥିବା ଆବେଦନ ଖାରଜ ହୋଇଥିଲା।



from Kanak News https://ift.tt/2TkdQii https://ift.tt/2yZFqrm
ଜଳସଂପଦ ଓ ନଗର ଉନ୍ନୟନ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ହେବେ ହାଜର Kanak News ଜଳସଂପଦ ଓ ନଗର ଉନ୍ନୟନ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ହେବେ ହାଜର Kanak News Reviewed by SUBHENDU BARAL on February 25, 2020 Rating: 5

No comments:

Powered by Blogger.