ପୁଣି ଦାଦନ ଦୁଃଖ । ତେଲେଙ୍ଗାନାରେ ବନ୍ଧା ପଡ଼ିଛନ୍ତି ୩୫ ଓଡ଼ିଆ ଦାଦନ ଶ୍ରମିକ, ଭିଡିଓ ପଠାଇ ଉଦ୍ଧାର ପାଇଁ ଗୁହାରି କଲେ Kanak News

କନକ ବ୍ୟୁରୋ : ବରଗଡ଼ ଜିଲ୍ଲାରୁ ଦାଦନ ସୁଅ ରୋକିବାକୁ ଅନେକ ଯୋଜନା ପ୍ରଣୟନ କରାଯାଇଛି। ଲୋକଙ୍କୁ ନରେଗା ଯୋଜନାରେ କର୍ମସଂସ୍ଥାନ ଯୋଗାଇ ଦାଦନ ପ୍ରବଣତାର ମୁକାବିଲା ପାଇଁ ସରକାରୀସ୍ତରରେ ଉଦ୍ୟମ ଚାଲିଛି। କିନ୍ତୁ ସବୁ ଉଦ୍ୟମ ସତ୍ତ୍ବେ ଦାଦନ ଚାଲାଣରେ ରୋକ୍ ଲାଗୁନାହିଁ। ଏବେ ତେଲେଙ୍ଗାନା ରାଜ୍ୟର ଇଟାଭାଟିରେ ଜିଲ୍ଲାର ୩୫ଜଣ ଦାଦନ ଶ୍ରମିକ ବନ୍ଧକ ଥିବା ଜଣାପଡ଼ିଛି। ବନ୍ଧକ ଦାଦନମାନେ ଭିଡିଓ ପଠାଇ ସେମାନଙ୍କୁ ମୁକୁଳାଇବାକୁ ଗୁହାରି କରିଛନ୍ତି। ରାତିଅଧରେ ଫଟୋ ପଠାଇ ସେମାନଙ୍କ କରୁଣ ସ୍ଥିତିକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାକୁ ନିବେଦନ କରିଛନ୍ତି।
ସୂଚନା ମୁତାବକ, ପାଇକମାଲ ବ୍ଲକ୍ ଯୋଗୀନ୍ଦ୍ରନାଥପୁର ଗାଁର ୩୫ ଜଣ ଶ୍ରମିକ ଇଟା ଗଢ଼ିବା କାମ ପାଇଁ ଗତବର୍ଷ ଡିସେମ୍ବର ମାସରେ ତେଲେଙ୍ଗାନା ରାଜ୍ୟର ପଇଦାପଲ୍ଲୀ ଜିଲ୍ଲା ପାଣ୍ଡୁଳାପଲ୍ଲୀକୁ ଯାଇଥିଲେ। କିଛିଦିନ ସୁରୁଖୁରୁରେ କାମଧନ୍ଦା ଚାଲିଥିଲା। କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ଠିକାଦାରଙ୍କ ଜୁଲୁମ। କାହାକୁ ଖାଦ୍ୟପେୟ ନ ଦେଇ ମାଡ଼ଗାଳି ଦେଇଥିଲେ। ଘରକୁ ଫେରିବା ପାଇଁ ନିବେଦନ କଲେ ଆହୁରି ଅତ୍ୟାଚାର ଆରମ୍ଭ ହୋଇଥିଲା। କାହାରିକୁ ଟଙ୍କା ବି ଦିଆଯାଇନାହିଁ। ଅଟକ ଦାଦନଙ୍କ ସହ ୧୧ଜଣ ଶିଶୁ ମଧ୍ୟ ଫସି ରହିଛନ୍ତି। ତେଣୁ ଏହି ଦାଦନମାନେ ଏକ ନିଛାଟିଆ ସ୍ଥାନରେ ମୋବାଇଲ୍ ଭିଡିଓ କରି କିଛି ସାମାଜିକ କର୍ମୀଙ୍କୁ ପଠାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଦୁର୍ଦ୍ଦଶା ସଂପର୍କରେ ଜଣାଇ ସେମାନଙ୍କୁ ସେଠାରୁ ମୁକୁଳାଇବାକୁ ଆକୁଳ ନିବେଦନ କରିଛନ୍ତି।
from Kanak News https://ift.tt/37Uxve4 https://ift.tt/3cbkGze
No comments: