ଜେଲରେ ମାନସିକ ଭାରସାମ୍ୟ ହରାଉଛନ୍ତି କଏଦୀ : ୭୮୬ କଏଦୀଙ୍କ ମୁଣ୍ଡଦୋଷ, ୩ ବର୍ଷରେ ୧୪ କଏଦୀ କଲେଣି ଆତ୍ମହତ୍ୟା Kanak News

କନକ ବ୍ୟୁରୋ :  ଅର୍ଥତତ୍ତ୍ବ ମୁଖ୍ୟ ପ୍ରଦୀପ ସେଠୀ ଝାରପଡ଼ା ଜେଲ୍‌ ଭିତରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ଗୁରୁତ୍ୱର ସହ ନେଇଛି ଜେଲ୍‌ ପ୍ରଶାସନ। ପ୍ରଦୀପ ମାନସିକ ଭାରସାମ୍ୟ ହରାଇ ବାରମ୍ବାର ଏଭଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ଜେଲ୍‌ ବିଭାଗ ଜାଣିବାକୁ ପାଇଛି। କେବଳ ପ୍ରଦୀପ ନୁହନ୍ତି, ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା କଏଦୀମାନେ ବିଭିନ୍ନ ସମୟରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କିମ୍ବା ଆତ୍ମହତ୍ୟା କରୁଛନ୍ତି। ଜେଲ୍‌ ଭିତରେ ଅସ୍ୱାସ୍ଥ୍ୟକର ପରିବେଶ, ଆବଶ୍ୟକତାଠାରୁ ଅଧିକ ସଂଖ୍ୟାରେ କଏଦୀଙ୍କୁ ରଖାଯିବା, ବର୍ଷ ବର୍ଷ ଧରି ଜେଲ୍‌ ଭିତରେ ରହିବା ଓ ସେମାନେ ବ୍ୟକ୍ତିଗତ ସ୍ୱାଧୀନତା ହରାଇବା କାରଣରୁ ମାନସିକ ସନ୍ତୁଳନ ହରାଇ ଏଭଳି କାଣ୍ଡ ଘଟାଉଛନ୍ତି।

ଜେଲ ବିଭାଗରୁ ଯାହା ସୂଚନା ମିଳିଛି, ଓଡ଼ିଶା ଜେଲ୍‌ରେ ଥିବା କଏଦୀମାନଙ୍କ ମଧ୍ୟରୁ ଶତକଡ଼ା ପାଞ୍ଚ ଭାଗ ମାନସିକ ରୋଗର ଶିକାର ହେଉଛନ୍ତି। ଜାତୀୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ, ରାଜ୍ୟ‌ରେ ମୋଟ୍‌ କଏଦୀଙ୍କ ସଂଖ୍ୟା ୧୫ହଜାର ୨୨୩ ରହିଥିବା ବେଳେ ସେଥିମଧ୍ୟରୁ ୭୮୭ଜଣ ମାନସିକ ରୋଗୀ। ସେମାନଙ୍କ ମଧ୍ୟରୁ ୪୧୨ଜଣ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ବେଳେ ଅବଶିଷ୍ଟ ୩୭୫ଜଣ ବିଚାରାଧୀନ କଏଦୀ। ଏହି କଏଦୀମାନେ ବିଭିନ୍ନ ସମୟ‌‌ରେ ଜେଲ୍‌ ଭିତରେ ଆତ୍ମହତ୍ୟା ଉଦ୍ୟମ ଓ ଆତ୍ମହତ୍ୟା କରୁଛନ୍ତି। ୩ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜେଲ୍‌ରେ ୧୪ଜଣ କଏଦୀ ଆତ୍ମହତ୍ୟା କରିଥିବାବେଳେ ୨୭ରୁ ଅଧିକ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଝାରପଡ଼ା ସ୍ୱତନ୍ତ୍ର ଜେଲ୍‌, ଚୌଦ୍ୱାର ଜେଲ୍‌, କେନ୍ଦ୍ରାପଡ଼ା, ମାଲାକାନଗିରି, ନିମାପଡ଼ା, ସାଲେପୁର ସବ-ଜେଲ୍‌, ବ୍ରହ୍ମପୁର ଜେଲ୍‌ରେ ଏଭଳି ଅଘଟଣ ଘଟିଛି। ଆତ୍ମହତ୍ୟା ଉଦ୍ୟମ ଓ ଆତ୍ମହତ୍ୟା କରୁଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଅଧିକାଂଶ ହତ୍ୟା ଓ ଦୁଷ୍କର୍ମ ଅଭିଯୋଗରେ ଜେଲ୍‌‌ରେ ଥିଲେ ବା ଅଛନ୍ତି।

କେନ୍ଦ୍ର ସରକାରଙ୍କ ୨୦୧୬ ମଡେଲ୍‌ ଜେଲ୍‌ ପ୍ରିଜନ୍‌ ମାନୁଆଲ୍ ଅନୁଯାୟୀ, ଜେଲ୍‌ ଭିତରେ କଏଦୀମାନଙ୍କ ମାନସିକ ଅବସ୍ଥାର ଯତ୍ନ ନେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହ ଡାକ୍ତର ଓ ପରାମର୍ଶଦାତା ନିଯୁକ୍ତି ଇତ୍ୟାଦି ଉପରେ ଗୁରତ୍ୱ ଦିଆଯିବା କଥା। ସେହିଭଳି କଏଦୀମାନଙ୍କୁ ସାଧାରଣ ବ୍ୟକ୍ତି ଭଳି ବ୍ୟବହାର ମଧ୍ୟ କରାଯିବା ଉଚିତ। କିନ୍ତୁ ରାଜ୍ୟର ଅଧିକାଂଶ ଜେଲ୍‌ର ପାରିପାର୍ଶ୍ବିକ ଅବସ୍ଥା ଅତ୍ୟନ୍ତ ଖରାପ। ଏହାଛଡ଼ା କଏଦୀମାନଙ୍କ ମାନସିକ ରୋଗର ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେହିପରି ଜେଲ୍‌ କର୍ମଚାରୀମାନେ ମଧ୍ୟ ରୁକ୍ଷ ବ୍ୟବହାର କରୁଛନ୍ତି।

ଦୁଇ ଦିନ ତଳେ ଅର୍ଥତତ୍ତ୍ବ ମୁଖ୍ୟ ପ୍ରଦୀପ ଝାରପଡ଼ା ଜେଲ୍‌ର ଉପରମହଲାରେ ଥିବା ୱେଲଫେୟାର୍‌ ସେକ୍ସନ୍‌କୁ ଯାଇଥି‌ଲେ। ସେଠାରେ କୌଣସି ଏକ କାରଣକୁ ନେଇ ପ୍ରଥମେ ପିଅନ ଓ ପରେ ଅନ୍ୟ କର୍ମଚାରୀଙ୍କ ସହ ତାଙ୍କ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରଦୀପ ଇନ୍‌ଭର୍ଟର ତାର ଛିଣ୍ଡାଇ ବାଥରୁମ୍ ଭିତରକୁ ଚାଲି ଯାଇଥିଲେ। ବାଥରୁମର କବାଟ ଭିତର ପଟୁ ବନ୍ଦ କରି ସେହି ତାରକୁ ବେକରେ ଗୁଡ଼ାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ କହିଛନ୍ତି, ଜେଲ ଭିତରେ କଏଦୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରିଛୁ। ଏକ ସ୍ୱତନ୍ତ୍ର କମିଟି ଗଠନ କରି ରାଜ୍ୟର ବିଭିନ୍ନ ଜେଲ୍‌‌ରେ ଥିବା ମାନସିକ ରୋଗରେ ପୀଡ଼ିତ କଏଦୀଙ୍କୁ ଚିହ୍ନଟ କରି ଚିକିତ୍ସା କରିବାକୁ ଦାବି କରିଥିଲୁ। କିନ୍ତୁ କମିସନ୍‌ଙ୍କ ପକ୍ଷରୁ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଏ ସମ୍ପର୍କ‌‌ରେ ଜେଲ୍‌ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେଉଁ ଜେଲ୍‌ରେ ମାନସିକ ରୋଗରେ ପୀଡ଼ିତ କଏଦୀ ଅଛନ୍ତି, ସେମାନଙ୍କୁ ବିଭିନ୍ନ ସମୟ‌ରେ ଜେଲ୍‌ ଭିତରେ ଥିବା ହସ୍ପିଟାଲ୍‌ରେ ଚିକିତ୍ସା କରାଯାଇ ଔଷଧପତ୍ର ଦିଆଯାଉଛି। ଯେଉଁମାନେ ଆତ୍ମହତ୍ୟା ବା ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି, ସେ ନେଇ ତଦନ୍ତ ହେଉଛି। ତଦନ୍ତ ବେଳେ କୌଣସି ଜେଲ୍‌ କର୍ମଚାରୀ କଏଦୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଜଣାପଡ଼ିଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।



from Kanak News https://ift.tt/2RpWzop https://ift.tt/37nO2rA
ଜେଲରେ ମାନସିକ ଭାରସାମ୍ୟ ହରାଉଛନ୍ତି କଏଦୀ : ୭୮୬ କଏଦୀଙ୍କ ମୁଣ୍ଡଦୋଷ, ୩ ବର୍ଷରେ ୧୪ କଏଦୀ କଲେଣି ଆତ୍ମହତ୍ୟା Kanak News ଜେଲରେ ମାନସିକ ଭାରସାମ୍ୟ ହରାଉଛନ୍ତି କଏଦୀ : ୭୮୬ କଏଦୀଙ୍କ ମୁଣ୍ଡଦୋଷ, ୩ ବର୍ଷରେ ୧୪ କଏଦୀ କଲେଣି ଆତ୍ମହତ୍ୟା Kanak News Reviewed by SUBHENDU BARAL on January 23, 2020 Rating: 5

No comments:

Powered by Blogger.