ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍କୁ ରାଷ୍ଟ୍ରପତି ମଞ୍ଜୁରୀ ମିଳିଛି। ଏନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକସଭା ପରେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ପାରିତ ହୋଇଥିଲା।
ସେପଟେ ଏହାକୁ ନେଇ ଜାରି ରହିଥିବା ହିଂସା ଥମିବାର ନା ଧରୁନାହିଁ। ଆସାମ ସମେତ ଦେଶର ଉତ୍ତର-ପୂର୍ବାଞ୍ଚଳ ଉତ୍ତ୍ୟକ୍ତ ଲୋକଙ୍କ ପୋଡ଼ାଜଳା ଓ ହିଂସାକାଣ୍ଡ ଏବେ ବି ଜାରି ରହିଛି। ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶକାରୀ ସମସ୍ୟା ସହ ଜୁଝୁଥିବା ଆସାମରେ ସ୍ଥିତି ଅଧିକ ଜଟିଳ ରହିଛି। ଗୌହାଟୀ, ଦିବ୍ରୁଗଡ଼ ଓ ଜୋରହାଟ ଅଞ୍ଚଳରେ ବ୍ୟାପକ ହିଂସା ଘଟିଛି। ପୁଲିସ୍ ଗୁଳିରେ ୩ ବିକ୍ଷୋଭକାରୀଙ୍କ ପ୍ରାଣ ଯାଇଛି।
ଆନ୍ଦୋଳନକାରୀ ଅନେକ ସରକାରୀ ଗାଡ଼ି ପୋଡ଼ି ଦେବା ସହ ଭଙ୍ଗାରୁଜା କରିଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ ସହ ଆନ୍ଦୋଳନକାରୀଙ୍କର ସଂଘର୍ଷ ବି ଘଟିଛି। ସ୍ଥିତି ନିୟନ୍ତ୍ରଣ ଲାଗି ଗୌହାଟୀ ଓ ଦିବ୍ରୁଗଡ଼ରେ କର୍ଫ୍ୟୁ ଜାରି କରାଯାଇଛି। ଗୌହାଟୀ, ଦିବ୍ରୁଗଡ ଓ ଜୋରହାଟ୍କୁ ବିମାନସେବା ବନ୍ଦ ରହିଛି।
ଅନେକ ଟ୍ରେନ୍କୁ ବି ବାତିଲ କରିଦିଆଯାଇଛି। ରାଜ୍ୟର ୧୦ଟି ଜିଲ୍ଲାରେ ଲାଗୁ ଇଣ୍ଟରନେଟ୍ କଟକଣାକୁ ଆଉ ୪୮ ଘଣ୍ଟା ବଢ଼ାଯାଇଛି। ୩ଟି ଯାକ ପ୍ରମୁଖ ସହରରେ ସେନା ମୁତୟନ ରହିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି। ତ୍ରିପୁରାରେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଆସାମ ରାଇଫଲ୍ସ ଓ CRPF ମୁତୟନ ରହିଛନ୍ତି। ସମଗ୍ର ଉତ୍ତରପୂର୍ବାଞ୍ଚଳରେ ୫ ହଜାର CRPF ଜବାନଙ୍କୁ ନିୟୋଜିତ କରାଯାଇଛି। ଶାନ୍ତି ବଜାୟ ରଖିବାକୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ ନିବେଦନ କରିଛନ୍ତି।
ଉତ୍ତର ପୂର୍ବାଞ୍ଚଳର ଅଧିକାର କେହି ଛଡ଼ାଇ ନେଇପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
from OTV Khabar. https://ift.tt/36zIaKL
No comments: