ଆସନ୍ତାକାଲି ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ! ଗୋଟିଏ ବି ଆଦେଶକୁ ପାଳନ କରିନି ପ୍ରଶାସନ, ବଦଳିନି ଦର୍ଶନ ବ୍ୟବସ୍ଥା, ଲାଗିନି ମହାପ୍ରସାଦ ଦର Kanak News

କନକ ବ୍ୟୁରୋ : ଆଉ ଦିନକ ପରେ ଅର୍ଥାତ ଆସନ୍ତା ୮ ତାରିଖ ଦିନ ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସମ୍ଭବତଃ ସେ ଦିନ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ବୋଲି ଚର୍ଚ୍ଚା ହେଉଛି। ତେବେ ଗତ ବର୍ଷ ନଭେମ୍ବର ୪ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ଅନ୍ତରୀଣ ଆଦେଶର ୨୨ଟି ପ୍ରସ୍ତାବ ମଧ୍ୟରୁ ଶ୍ରୀମନ୍ଦିର ପ୍ରଶାସନ ଗୋଟିଏ ବି ଆଦେଶକୁ ଠିକ୍ ଭାବେ ପାଳନ କରିନଥିବା ଅଭିଯୋଗ ହୋଇଛି।

source : Jagannath Temple

ସୁପ୍ରିମକୋର୍ଟ ୮ ସପ୍ତାହ ମଧ୍ୟରେ ଏ ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍ ଏମ୍.ଆର ଶାହା, ଜଷ୍ଟିସ ଏସ୍. ରବୀନ୍ଦ୍ର ଭଟ୍ଟ ଏହି ଆଦେଶ ଦେଇଥିଲେ। କିନ୍ତୁ ସଂସ୍କାର ପ୍ରକ୍ରିୟା ଅଟକି ଯାଇଛି। ଅବଶ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠରେ ଆଦେଶ ପାଳନ କଥା ଦର୍ଶାଇଛନ୍ତି। ସରକାର, ମନ୍ଦିର ପ୍ରଶାସନ ଓ ସେବକ ନିଜ ନିଜର ପକ୍ଷ ରଖିଛନ୍ତି। ସେବକମାନେ ସେମାନଙ୍କ ସେବକ କଲ୍ୟାଣ ଓ ସେବା ଅଧିକାରକୁ ନେଇ ପକ୍ଷ ରଖିଥିବା ବେଳେ ପ୍ରଶାସନ ଓ ସରକାର ନିଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ତେବେ ଅନ୍ତରୀଣ ଆଦେଶର ବାସ୍ତବତାକୁ ନେଇ ଏବେ ପ୍ରଶ୍ନ ଉଠଛି। ପ୍ରଶାସନ କାହାକୁ ଠକୁଛି, ମହାପ୍ରଭୁ ନା ସୁପ୍ରିମକୋର୍ଟଙ୍କୁ ତାକୁ ନେଇ ଆଲୋଚନା ହେଉଛି।

ସୁପ୍ରିମକୋର୍ଟଙ୍କ ଗତ ୨୦୧୮ ଡିସେମ୍ବର ୨୮ ପ୍ରଥମ ଅନ୍ତରୀଣ ଆଦେଶରେ ମହାପ୍ରଭୁଙ୍କୁ ଉପବାସ ରଖିବା ଘଟଣାରେ ନେଇ କ୍ଷୋଭପ୍ରକାଶ କରିଥିଲେ। କୌଣସି ପରିସ୍ଥିତିରେ ଠାକୁରଙ୍କ ରୀତିନୀତିରେ ବାଧା ପହଞ୍ଚାଇବାର ଅଧିକାର କାହାର ଅଧିକାର ନାହିଁ, ତେଣୁ ସଂପୃକ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ମାତ୍ର ପ୍ରଶାସନ ଏ ଦିଗରେ ସେବକଙ୍କୁ କେବଳ ନୋଟିସ୍ ଦେଇ ଚୁପ ହୋଇବସିଛି। ଏହାରି ଭିତରେ ଭିତରଛୁ ସେବକ ପୁଣି ନୂଆ ବର୍ଷ ଦିନ ଆଉ ଏକ ବିଶୃଙ୍ଖଳା କରିଥିଲେ ବି ପ୍ରଶାସନ ନିରବ ବସିଛି। ସେହିଭଳି ମହାପ୍ରଭୁଙ୍କ ପୂଜା ରୀତି ନୀତି ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଓ ପୁରାଣ ଆଧାରରେ ହେବ। ଏ ନେଇ ପରିଚାଳାନ କମିଟି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବ।

ସେହିଭଳି ସେବକ ପିଲାଙ୍କ ପାଠ ପଢ଼ିବା ପାଇଁ ସେବାୟତ ଗୁରୁକୁଳ ପ୍ରତିଷ୍ଠା କରିବା ଓ ସରକାର ଏକ ମାମଲାରେ ଜିତି ପାଇଥିବା ୫ କୋଟି ଟଙ୍କା ଏଥିରେ ଖର୍ଚ୍ଚ କରିବାକୁ ଅନ୍ତରୀଣ ଆଦେଶ ଥିଲା। ମାତ୍ର ପ୍ରଶାସନ ଏ ଦିଗରେ ଆଗକୁ ବଢ଼ିନାହିଁ। ସେହିଭଳି ମହାପ୍ରଭୁଙ୍କ ୬୦ ହଜାର ୪୧୮ ଏକର ଜମିକୁ ନେଇ ମଧ୍ୟ ସୁପ୍ରିମକୋର୍ଟ କହିଥିଲେ ଯେ ବର୍ତ୍ତମାନ ୩୨ ହଜାର ଜମି ରେକର୍ଡ ହୋଇଛି। ଅବଶିଷ୍ଟ ଜମି କେବେ ଫେରିବ, ସେଥିରୁ କେତେ ଟଙ୍କା ଆଦାୟ ହୋଇଛି ତା’ର ବିବରଣୀ ରଖିବାକୁ କହିଛନ୍ତି। ମାତ୍ର ପ୍ରଶାସନ ଦୁଇ ମାସ ଭିତରେ ସେଭଳି କିଛି ପ୍ରସ୍ତୁତି କରିନାହିଁ। ମହାପ୍ରଭୁଙ୍କ ନାମରେ ଥିବା ଖଣି ଖାଦାନରୁ କେତେ ଆଦାୟ ହୋଇଛି, କେତେ ବାକି ଅଛି ତା’ର ମଧ୍ୟ ଏକ ହିସାବ କରିବାକୁ କହିଥିଲେ।

ସେହିଭଳି ପୁରୀକୁ ଆସୁଥିବା ୬୦ ହଜାର ଭକ୍ତଙ୍କ ସୁବିଧା ପାଇଁ କ’ଣ ବ୍ୟବସ୍ଥା ହୋଇଛି ସେ ସଂପର୍କରେ ଜଣାଇବାକୁ କହିଥିଲେ। ମାତ୍ର ପ୍ରଶାସନ ଏ ଦିଗରେ ସେଭଳି କିଛି ପଦକ୍ଷେପ ନେଇନାହିଁ। ବର୍ତ୍ତମାନ ମନ୍ଦିର ପ୍ରଶାସନର ଯେତିକି ଭକ୍ତ ନିବାସ ରହିଛି ସେଥିରେ ସାଧାରଣ ତଥା ଗରିବ ଶ୍ରେଣୀର ଭକ୍ତ ରହିବା କଷ୍ଟକର ହୋଇପଡିଛି। ଅନ୍ୟପଟେ ବଗଲା ଧର୍ମଶାଳାକୁ ସରକାର ପ୍ଲଟିଂ କରୁଥିବା ଜଣାପଡିଛି। ସେହିଭଳି ଯୋଗ୍ୟ ବା ପ୍ରଶିକ୍ଷିତ ସେବାୟତଙ୍କୁ ସେବାରେ ଗୁରୁତ୍ବ, ସେବାୟତ କଲ୍ୟାଣ, ସେବା ପୂଜା ହସ୍ତାନ୍ତର ଓ ଦାନ ପାଇଁ ଭକ୍ତଙ୍କୁ ନିରାଶ ନକରିବା, ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କୁ ଶୋଷଣ ମୁକ୍ତ କରିବାକୁ ପରାମର୍ଶ ଦେଇଥିଲେ। ଏ ଦିଗରେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ।

ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଆଦେଶ ଥିଲା ଶ୍ରୀମନ୍ଦିର ପାଇଁ ପୂର୍ଣ୍ଣକାଳୀନ ପ୍ରଶାସନ ନିଯୁକ୍ତି। ସଂପୃକ୍ତ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର କାହାକୁ ଏ ପର୍ଯ୍ୟନ୍ତ ନିଯୁକ୍ତି ଦେଇନାହାନ୍ତି। ଜଣେ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ଦାୟିତ୍ବ ଦେବାକୁ ଯୋଜନା କରାଯାଉଥିବା ଜଣାପଡିଛି। ତେବେ ଓଏଏସଙ୍କୁ ମୁଖ୍ୟ ପ୍ରଶାସକ କଲେ ଉପମୁଖ୍ୟ ପ୍ରଶାସକ ଥିବା ଜିଲ୍ଲାପାଳ( ଆଇଏଏସ୍) କିଭଳି କାମ କରିବେ ତାକୁ ନେଇ ଏବେ ଅଡ଼ୁଆ ସ୍ଥିତି ଉପୁଜିଛି। ଏବେ ବି ରୋଷଘରେ ଖୋଲାମେଲାରେ ରୋଷେଇ ହେଉଛି।

ଯାହା ଖାଦ୍ୟକୁ ସଂକ୍ରମିତ କରିବାର ଯଥେଷ୍ଟ ଆଶଙ୍କା ରହିଛି। ରୋଷଘର ଉପରେ ଛାତର ବ୍ୟବସ୍ଥା କରି ଏହାକୁ ସ୍ବାସ୍ଥ୍ୟକର କରାଯାଉ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ମାତ୍ର ତାହା ପାଳନ କରାଯାଇନାହିଁ। ଆନନ୍ଦବଜାର କ୍ଷେତ୍ରରେ ମଧ୍ୟ ସମାନ କଥା ଦୋହରାଇଛନ୍ତି। ଆନନ୍ଦବଜାରରେ ବି ଖୋଲାମେଲାରେ ମହାପ୍ରସାଦ ବିକ୍ରି ହେଉଛି। ଆନନ୍ଦବଜାର ଉପରେ ଛାତ ମହାପ୍ରସାଦରେ କୌଣସି ଢ଼ାଙ୍କୁଣି ରହୁନଥିବାରୁ ଏହା ଭିତରେ ପୋକ ଆଦି ପଡ଼ି ସଂକ୍ରମଣ ଭୟ ରହିଛି। ଏହାକୁ ସୁବ୍ୟବସ୍ଥିତ କରାଯାଉ ନାହିଁ। ଦର ତାଲିକା କ୍ଷେତ୍ରରେ ସିଧାସଳଖ ଭକ୍ତଙ୍କୁ ଶୋଷଣ କଥା ସୁପ୍ରିମ କୋର୍ଟ ଆଦେଶନାମାରେ ଉଲ୍ଲେଖ କରି କହିଥିଲେ କି ଆନନ୍ଦବଜାରରେ ବିକ୍ରି ହେଉଥିବା ମହାପ୍ରସାଦର ଦର ଧାର୍ଯ୍ୟ କରାଯାଉ। ମାତ୍ର ଏ ସବୁ ଆଦେଶର ପରିପାଳନ କରାଯାଇନାହିଁ।



from Kanak News https://ift.tt/2FsPi0g https://ift.tt/2KUq4we
ଆସନ୍ତାକାଲି ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ! ଗୋଟିଏ ବି ଆଦେଶକୁ ପାଳନ କରିନି ପ୍ରଶାସନ, ବଦଳିନି ଦର୍ଶନ ବ୍ୟବସ୍ଥା, ଲାଗିନି ମହାପ୍ରସାଦ ଦର Kanak News ଆସନ୍ତାକାଲି ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ! ଗୋଟିଏ ବି ଆଦେଶକୁ ପାଳନ କରିନି ପ୍ରଶାସନ, ବଦଳିନି ଦର୍ଶନ ବ୍ୟବସ୍ଥା, ଲାଗିନି ମହାପ୍ରସାଦ ଦର Kanak News Reviewed by SUBHENDU BARAL on January 06, 2020 Rating: 5

No comments:

Powered by Blogger.