ଅଟୋ ଚାଳକଙ୍କର କଟିଲା ଚାଲାଣ, ବିଚ୍ ରାସ୍ତାରେ ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା ଉଦ୍ୟମ

ପଠାଣକୋଟ ୭।୧: ବାରମ୍ବାର ଚାଲାଣ କଟାଯିବାକୁ ନେଇ ଚିନ୍ତିତ ଥିବା ଜଣେ ଅଟୋ ଡ୍ରାଇଭର ରାସ୍ତା ଉପରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ପଞ୍ଜାବ ପଠାଣକୋଟରେ ଦେଖିବାକୁ ମିଳିଛି । ଟ୍ରାଫିକ୍ ପୋଲିସ ପକ୍ଷରୁ ଓଭରଲୋଡିଂ ପାଇଁ ଅଟୋ ଚାଳକଙ୍କର ଚାଲାଣ କଟାଯିବାରୁ ଅଟୋ ଚାଳକ ଜଣଙ୍କ ଏଭଳି ଉଦ୍ୟମ କରିଛନ୍ତି । ଅଟୋ ଚାଳକଙ୍କ କହିବା ଅନୁସାରେ ଦୁଇ ଦିନ ପୂର୍ବରୁ ମଧ୍ୟ ତାଙ୍କର ୫ହଜାର ଟଙ୍କାର ଚାଲାଣ କଟିଛି ।

ସୂଚନାଯୋଗ୍ୟ ଯେ, ପଠାଣକୋଟ ଗତ କିଛି ବର୍ଷ ହେବ ଟ୍ରାଫିକ୍ ସମସ୍ୟା ମଧ୍ୟଦେଇ ଗତିକରୁଛି । ଯାହାକୁ ଦୃଷ୍ଟିରେ ରଖି କାଗଜପତ୍ର ନଥାଇ ବେଆଇନ ଭାବେ ଚାଲୁଥିବା ଅଟୋଗୁଡିକର ଚାଲାଣ କଟାଯାଉଛି । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଏକ ଅଟୋ ଚାଳକଙ୍କର ଓଭରଲୋଡିଂ ପାଇଁ ଚାଲାଣ କଟାଯାଇଥିଲା । ଫଳରେ ସଂପୃକ୍ତ ଅଟୋ ଚାଳକ ଅଟୋ ସହ ରଶି ବାନ୍ଧି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହା ଦେଖି ଅନ୍ୟ ଅଟୋ ଚାଳକମାନେ ଏକତ୍ରିତ ହୋଇଯାଇଥିଲେ । ଆତ୍ମହତ୍ୟା ଉଦ୍ୟମ କରୁଥିବା ଅଟୋ ଚାଳକଙ୍କ ବେକରୁ ରଶି କାଢି ତାଙ୍କୁ ବୁଝାସୁଝା କରିଥିଲେ ।

ଆତ୍ମହତ୍ୟା ଉଦ୍ୟମ କରୁଥିବା ଅଟୋ ଚାଳକ ଜଣଙ୍କ କହିଛନ୍ତି ଯେ, ସେ ତାଙ୍କ ଅଟୋ ପାସେଞ୍ଜରମାନଙ୍କୁ ବସାଇ ନେଇଯାଉଥିଲେ । ତାଙ୍କ ଅଟୋ ସହରର ପୀର ବାବା ଚୌକରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ଟ୍ରାଫିକ୍ ଏଏସଆଇ ତାଙ୍କ ଅଟୋକୁ ଅଟକାଇଥିଲେ । ଓଭରଲୋଡିଂ ପାଇଁ ଚାଲାଣ କାଟିଥିଲେ । ଟ୍ରାଫିକ୍ ପୋଲିସ ଯେତେବେଳେ ଚାଲାଣ ତାଙ୍କୁ ଦେବାରୁ ଚେଷ୍ଟା କରିଥିଲେ ସେତେବେଳେ ସଂପୃକ୍ତ ଅଟୋ ଚାଳକ ଚାଲାଣ ନନେଇ ଅଟୋରୁ ରଶି ବାହାର କରିଥିଲେ । ବେକରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ଅଟୋ ଚାଳକ ଜଣଙ୍କ କହିଛନ୍ତି ଯେ, ଦୁଇ ଦିନ ପୂର୍ବରୁ ମଧ୍ୟ ତାଙ୍କ ୫ହଜାର ଟଙ୍କା ଚାଲାଣ କଟିଛି । ପୁଣି ଆଉ ଥରେ ଚାଲାଣ କଟାଯିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଯଦି ଏଭଳି ବାରମ୍ବାର ହେବ ତେବେ ସେ ତାଙ୍କ ପରିବାର ପ୍ରତିପୋଷଣ କିଭଳି ଭାବେ କରିବେ ବୋଲି ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଟ୍ରାଫିକ୍ ଅଧିକାରୀ କହିଛନ୍ତି ଯେଉଁ ଅଟୋ ଚାଳକ ସମସ୍ତ ନିୟମ ପାଳନ କରିବେ ସେମାନଙ୍କୁ ହଇରାଣ କରାଯିବନି । ଯେଉଁମାନେ ନିୟମ ପାଳନ ନକରିବେ ସେମାନଙ୍କର ଚାଳାଣ କଟାଯିବ ।



from Prameya News7 https://ift.tt/2ZWjquc
ଅଟୋ ଚାଳକଙ୍କର କଟିଲା ଚାଲାଣ, ବିଚ୍ ରାସ୍ତାରେ ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା ଉଦ୍ୟମ ଅଟୋ ଚାଳକଙ୍କର କଟିଲା ଚାଲାଣ, ବିଚ୍ ରାସ୍ତାରେ ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା ଉଦ୍ୟମ Reviewed by SUBHENDU BARAL on January 06, 2020 Rating: 5

No comments:

Powered by Blogger.