କନକ ବ୍ୟୁରୋ : ୨୦୨୦ରେ ବିଦ୍ୟାଳୟଗୁଡ଼ିକ ୩୮ ଦିନ ଗ୍ରୀଷ୍ମ ଛୁଟି ରହିବ । ବିଗତ ବର୍ଷଗୁଡ଼ିକରେ ମେ’ ୨ ତାରିଖରୁ ଗ୍ରୀଷ୍ମ ଛୁଟି ହେଉଥିବାବେଳେ ଏଥର ମେ’ ୬ରୁ ଜୁନ୍ ୧୮ ଯାଏ ଗ୍ରୀଷ୍ମ ଛୁଟି ରହିବ । ମୋଟ ଉପରେ ଏ ବର୍ଷ ୮୨ ଦିନ ସ୍କୁଲ ଛୁଟି ରହିବ । ସେଥିମଧ୍ୟରୁ ୮ ଦିନ ସ୍କୁଲରେ ଉତ୍ସବ ପାଳନ କରାଯିବ । ଯେପରିକି ସରସ୍ବତୀ ପୂଜା, ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ବାଧୀନତା ଦିବସ, ଗୁରୁ ଦିବସ, ଗଣେଶ ପୂଜା, ଗାନ୍ଧୀ ଜୟନ୍ତୀ, ଶିଶୁ ଦିବସ ସମସ୍ତ ବିଦ୍ୟାଳୟରେ ପାଳିତ ହେବ । ଏହି ଦିନଗୁଡ଼ିକ ସ୍କୁଲ ଖୋଲାରହିବ ।
ଶିକ୍ଷକ, ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିବେ । ଗ୍ରୀଷ୍ମ ଛୁଟି ବ୍ୟତୀତ ଚଳିତବର୍ଷ ୯ ଦିନ ପୂଜା ଛୁଟି ରହିବ । ଅକ୍ଟୋବର ୨୨ରୁ ୩୧ ତାରିଖ ଯାଏ ପୂଜା ଛୁଟି, ଡିସେମ୍ବର ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ବଡ଼ଦିନ ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ଛୁଟି ଦିନଗୁଡ଼ିକ ଗୋଟିଏ ଦିନ ଲେଖାଏଁ ରହିଛି । ଦୁଇଟି ସ୍ଥାନୀୟ ଛୁଟି(ଲୋକାଲ ହଲିଡେ) ରହିଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍କୁଲ କର୍ତୃପକ୍ଷମାନେ ଜାନୁଆରି ୨୦ ସୁଦ୍ଧା ସ୍ଥାନୀୟ ଛୁଟି ତାଲିକା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ନିକଟରେ ଦାଖଲ କରିବେ । ସାଧାରଣତନ୍ତ୍ର ଦିବସ, ନୂଆଖାଇ, ମହରମ୍ ପାଳନ ରବିବାର ପଡ଼ୁଥିବାରୁ ଉକ୍ତ ଦିନଗୁଡ଼ିକୁ ଛୁଟି ତାଲିକାରେ ସ୍ଥାନିତ କରାଯାଇ ନାହିଁ ।
ଅନ୍ୟପକ୍ଷରେ ୨୦୨୦ରେ ରାଜ୍ୟରେ ଥିବା ସରକାରୀ, ବେସରକାରୀ, ସେଲ୍ଫ ଫାଇନାନ୍ସ, ସ୍ବୟଂଶାସିତ ଯୁକ୍ତ୩ କଲେଜଗୁଡ଼ିକ ପାଇଁ ୭୨ଟି ଛୁଟି ରଖାଯାଇଛି । ମେ’ ୧୧ରୁ ଜୁନ୍ ୬ ପର୍ଯ୍ୟନ୍ତ ୩୨ ଦିନ ଧରି ଗ୍ରୀଷ୍ମ ଛୁଟି ହେବ । ଏହାବ୍ୟତୀତ ଅକ୍ଟୋବର ୨୨ରୁ ୩୧ ପର୍ଯ୍ୟନ୍ତ ପୂଜା ଛୁଟି ହେବ । ଅନ୍ୟ ଛୁଟିଗୁଡ଼ିକ ଗୋଟିଏ ଦିନ ଲେଖାଏ ରହିଛି । କଲେଜ କର୍ତୃପକ୍ଷ ଦୁଇଦିନ ସ୍ଥାନୀୟ ଛୁଟି ଘୋଷଣା କରିପାରିବେ । ତେବେ ଏ ନେଇ କଲେଜ କର୍ତୃପକ୍ଷମାନେ ୭ ଦିନ ଭିତରେ ସ୍ଥାନୀୟ ଛୁଟି ନେଇ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ଜଣାଇବେ । ଡିସେମ୍ବର ଶେଷ ସପ୍ତାହରେ କୌଣସି ବି କଲେଜ ଛୁଟି ରହିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
from Kanak News https://ift.tt/34VvmgJ https://ift.tt/39dw7VF
No comments: