କନକ ବ୍ୟୁରୋ : ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ଟାଙ୍ଗୀସ୍ଥିତ ଡ୍ରିମ୍ସ ପଡ଼ିଆରେ ରଣଜୀ ଟ୍ରଫି ତୃତୀୟ ପର୍ଯ୍ୟାୟର ମୁକାବିଲା ବୁଧବାରଠୁ ଆରମ୍ଭ ହେବ । ଘରୋଇ ପଡ଼ିଆରେ ବେଶ୍ ଶକ୍ତିଶାଳୀ ହୋଇଯାଇଥିବା ଓଡ଼ିଶା ଲଗାତର ତୃତୀୟ ମ୍ୟାଚ୍ ଜିତି ନିଜର ପ୍ରାଧାନ୍ୟ କାଏମ ରଖିବାକୁ ଚାହୁଁଥିବା ବେଳେ ଉତ୍ତରାଖଣ୍ଡ ପ୍ରଥମ ବିଜୟ ସନ୍ଧାନରେ ରହିବ । ତେବେ ଏହି ମ୍ୟାଚ୍ରେ ଓଡ଼ିଶା ପକ୍ଷରୁ ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିସାରିଥିବା ଉତ୍ତରାଖଣ୍ଡର ୱିକେଟ୍ରକ୍ଷକ ସୌରଭ ରାୱତ ପ୍ରଥମ ଥର ପାଇଁ ଓଡ଼ିଶା ବିପକ୍ଷରେ ଓଡ଼ିଶା ମାଟିରେ ଖେଳିବାକୁ ଯାଉଛନ୍ତି । ଓଡ଼ିଶାର ପ୍ରତ୍ୟେକ ଖେଳାଳିଙ୍କୁ ଭଲଭାବେ ଜାଣିଥିବା ସୌରଭ ଉତ୍ତରାଖଣ୍ଡ ପାଇଁ ବଡ଼ ଅସ୍ତ୍ର ହୋଇପାରନ୍ତି । ଓଡ଼ିଶାର ଚକ୍ରବ୍ୟୁହରୁ ବାହାରିବାରେ ଉତ୍ତରାଖଣ୍ଡ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ହେବ । ମଙ୍ଗଳବାର ଅଭ୍ୟାସ ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅନୁରାଗ ଷଡ଼ଙ୍ଗୀ ଆହତ ହୋଇ ବାଦ୍ ପଡ଼ିବାରୁ ତାଙ୍କ ବଦଳରେ ରଂଜିତ ସିଂହଙ୍କୁ ଡକରା ଦିଆଯାଇଛି । ତବେ ଶାନ୍ତନୁ ମିଶ୍ରଙ୍କ ସହ ରାଜେଶ ଧୁପର ପାଳି ଆରମ୍ଭ କରିବାର ସୁଯୋଗ ପାଇବା ସମ୍ଭାବନା ରହିଛି ।
ବର୍ତ୍ତମାନ ସୁଦ୍ଧା ପ୍ରତିଯୋଗିତାରେ ଓଡ଼ିଶାର ବୋଲରମାନେ ଆଧିପତ୍ୟ ବିସ୍ତାର କରିଛନ୍ତି । ଦୁଇ ପର୍ଯ୍ୟାୟ ସୁଦ୍ଧା ସର୍ବାଧିକ ୱିକେଟ୍ ଦଖଲକାରୀଙ୍କ ତାଲିକାରେ ରାଜେଶ ମହାନ୍ତି (୧୫) ଓ ବସନ୍ତ ମହାନ୍ତି (୧୧) ସ୍ଥାନ ପାଇଛନ୍ତି । ଏଥିସହିତ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦେବବ୍ରତ ପ୍ରଧାନ ମଧ୍ୟ ଏହି ଦୁଇଜଣଙ୍କୁ ଭଲ ସହଯୋଗ ଦେଉଛନ୍ତି । ସର୍ଭିସେସ୍ ବିପକ୍ଷ ମ୍ୟାଚ୍ରେ ଯେତେବେଳେ ଦ୍ରୁତ ବୋଲରଙ୍କୁ ୱିକେଟ୍ ମିଳିଲାନି, ସେତେବେଳେ ଅଭିଷେକ ରାଉତ ୩ ୱିକେଟ୍ ବାହାର କରିଥିଲେ । ଏହା ବ୍ୟତୀତ ବିପ୍ଲବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାର ମଧ୍ୟ ଅନ୍ୟତମ ବିକଳ୍ପ ଭାବେ ଦଳ ସହିତ ଅଛନ୍ତି । ତେଣୁ ବୋଲିଂ ବିଭାଗ ଏବେ ଶକ୍ତିଶାଳୀ ହୋଇସାରିଥିଲା ବେଳେ ବ୍ୟାଟିଂ କ୍ରମ ପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ । କାରଣ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବରେ ଦଳର ଆରମ୍ଭ ଭଲ ହେଉଥିବା ବେଳେ ମଧ୍ୟକ୍ରମରେ ଅଧିନାୟକଙ୍କ ସହ ଦେବାଶିଷ ସାମନ୍ତରାୟ, ବିପ୍ଲବ ସାମନ୍ତରାୟ, ସୁଜିତ ଲେଙ୍କା ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିପାରୁଛନ୍ତି । ତେଣୁ ସମସ୍ତ ଦୃଷ୍ଟିକୋଣରୁ ଦେଖିଲେ ଓଡ଼ିଶା ପାଇଁ ଏହି ମ୍ୟାଚ୍ ସେତେଟା କଠିନ ହେବ ନାହିଁ ।
from Kanak News https://ift.tt/2PW4ety https://ift.tt/2tKo4iR
No comments: