ରାଜନୀତିରେ ଦାଦା-ପୁତୁରାଙ୍କ ବିଦ୍ରୋହ ! ଠାକରେଙ୍କ ଠାରୁ ଆରମ୍ଭ କରି ଯାଦବଙ୍କ ପର୍ଯ୍ୟନ୍ତ ସବୁ ତାଲିକାରେ ସାମିଲ୍ । Kanak News

ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ଅଜିତ ପାୱାର ତାଙ୍କ ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋ କରି ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି। ବିଜେପି ସହିତ ହାତ ମିଳାଇ ସେ ସରକାର ଗଠନ କରିବା ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଭାରତୀୟ ରାଜନୀତିରେ ବିଗତ କିଛି ବର୍ଷ ମଧ୍ୟରେ ଦାଦା-ପୁତୁରା ଲଢ଼େଇ ଚର୍ଚ୍ଚାରେ ରହିଛି। ରାଜନୀତିରେ ପୁତୁରାମାନେ ଦାଦାଙ୍କ ବିରୋଧରେ ବିଦ୍ରୋହ କରିବାର ଅନେକ ନଜିର ଦେଖିବାକୁ ମିଳିଛି।
ବାଲ୍ ଠାକରେ – ରାଜ୍ ଠାକରେ :
ମହାରାଷ୍ଟ୍ରରେ ଆଉ ଏକ ଦାଦା ପୁତୁରା ଲଢ଼େଇ ୨୦୦୬ରେ ଚର୍ଚ୍ଚାରେ ରହିଥିଲା। ଶିବସେନାର ପ୍ରତିଷ୍ଠାତା ବାଲ ଠାକ୍ରେଙ୍କ ରାଜନୈତିକ ଉତ୍ତରାଧିକାରୀ ବୋଲି କୁହାଯାଉଥିବା ରାଜ ଠାକ୍ରେ ୨୦୦୬ରେ ଶିବସେନାରୁ ଅଲଗା ହୋଇ ମହାରାଷ୍ଟ୍ର ନବନିର୍ମାଣ ସେନା ନାମକ ଦଳ ଗଠନ କରିଥିଲେ। ଉଦ୍ଧବ ଠାକ୍ରେଙ୍କୁ ଶିବସେନାର କାର୍ୟ୍ୟକାରୀ ସଭାପତି ନିଯୁକ୍ତି ଦିଆଯିବାକୁ ବିରୋଧ କରି ରାଜ୍ ଠାକ୍ରେ ବିଦ୍ରୋହ କରିଥିଲେ ଏବଂ ନୂଆ ଦଳ ଗଠନ କରିଥିଲେ।
ଶିବପାଲ୍ ଯାଦବ – ଅଖିଳେଶ ଯାଦବ :
ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଭାଇ ଶିବପାଲ ଯାଦବଙ୍କୁ ସମାଜବାଦୀ ପାର୍ଟିର ମେରୁଦଣ୍ଡ ବୋଲି କୁହାଯାଉଥିଲା। କିନ୍ତୁ ୨୦୧୨ରେ ଅଖିଳେଶ ଯାଦବ ଦଳର ୧ ନମ୍ବର ନେତା ପାଲଟି ଗଲେ ଏବଂ ୨୦୧୭ ନିର୍ବାଚନରେ ଅଖିଳେଶ ନିଜ ଦାଦା ଶିବପାଲ ଯାଦବଙ୍କୁ ବାହାରର ରାସ୍ତା ଦେଖାଇ ଦେଲେ। ପରିସ୍ଥିତି ଏଭଳି ହେଲା ଯେ ଶିବପାଲ ଆଉ ଏକ ରାଜନୈତିକ ଦଳ ଗଠନ କରି ନିଜର ସ୍ଥିତି ରକ୍ଷା ପାଇଁ ସଂଗ୍ରାମ କରିବାକୁ ପଡ଼ିଲା। ଦାଦାଙ୍କ ବିରୋଧରେ ପଦକ୍ଷେପ ନେବାବେଳେ ଅଖିଳେଶ ତାଙ୍କ ପିତା ମୁଲାୟମଙ୍କର କୌଣସି ପରାମର୍ଶକୁ ମଧ୍ୟ ଗ୍ରହଣ କରିନଥିଲେ।
ଅଭୟ ଚୌତାଲା – ଦୁଶ୍ୟନ୍ତ ଚୌତାଲା :
ନିକଟରେ ହରିୟାଣା ରାଜନୀତିରେ ମଧ୍ୟ ଦାଦା-ପୁତୁରା ଲଢ଼େଇ ଦେଖିବାକୁ ମିଳିଥିଲା। ପୁତୁରା ଦୁଶ୍ୟନ୍ତ ଚୌତାଲା ତାଙ୍କ ଦାଦା ଅଭୟ ଚୌତାଲାଙ୍କୁ ଚକ୍ମା ଦେଇ ବିଜେପି ସହିତ ହାତ ମିଳାଇଲେ ଏବଂ ଉପମୁଖ୍ୟମନ୍ତ୍ରୀ ପଦ ହାସଲ କଲେ। ଏହି ଲଢ଼େଇ ୨୦୧୩ରୁ ଆରମ୍ଭ ହୋଇଥିଲା, ଯେତେବେଳେ ଓମ୍ପ୍ରକାଶ ଚୌତାଲା ଏବଂ ତାଙ୍କ ପୁଅ ଅଜୟ ଚୌତାଲା ୧୦ ବର୍ଷ ପାଇଁ ଜେଲ୍ ଯାଇଥିଲେ ଏବଂ ଦଳର ନିୟନ୍ତ୍ରଣ ଅଭୟ ଚୌତାଲାଙ୍କୁ ମିଳିଥିଲା । ଏହାକୁ ବିରୋଧ କରି ଦୁଶ୍ୟନ୍ତ ନିଜର ଦଳ ଗଠନ କରିଥିଲେ।
ପ୍ରକାଶ ସିଂହ ବାଦଲ – ମନପ୍ରୀତ୍ ସିଂହ ବାଦଲ :
ପଂଜାବର ଶିରୋମଣି ଅକାଳୀ ଦଳରେ ପ୍ରକାଶ ସିଂହ ବାଦଲଙ୍କ ପୁତୁରା ମନପ୍ରୀତ ବାଦଲ ମଧ୍ୟ ବେଶ୍ ସକ୍ରିୟ ଥିଲେ। କିନ୍ତୁ ବାଦଲ ନିଜ ପୁଅ ସୁଖ୍ବୀରଙ୍କୁ ପାର୍ଟିର ଦାୟିତ୍ବ ଦେବାପରେ ମନପ୍ରୀତ ଏହାର ବିରୋଧ କରିଥିଲେ ଏବଂ ନିଜର ନୂଆ ଦଳ ଗଠନ କରିଥିଲେ। ୨୦୧୬ରେ ସେ ତାଙ୍କର ପଂଜାବ ପିପୁଲ୍ସ ପାର୍ଟିକୁ କଂଗ୍ରେସରେ ମିଶ୍ରଣ ଘଟାଇଥିଲେ।
from Kanak News https://ift.tt/2pR4pwg https://ift.tt/34jb0hM




No comments: