ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ବୋହୂ ଐଶ୍ୱର୍ଯ୍ୟା ରାୟ ଶାଶୁ ଘର ଲୋକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛି। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ପ୍ରଥମଥର ପାଇଁ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଗଣମାଧ୍ୟମ ସମ୍ମୁଖରେ ତାଙ୍କର ମୁହଁ ଖୋଲିଛନ୍ତି।
ସେ ଏହି ଅଭିଯୋଗ ଲାଲୁଙ୍କ ପତ୍ନୀ ତଥା ଶାଶୁ ରାବିଡି ଦେବୀ ଓ ନଣନ୍ଦ ତଥା ଲାଲୁଙ୍କ ଝିଅ ମିସା ଭାରତୀଙ୍କ ବିରୋଧରେ ଆଣିଛନ୍ତି। ଶାଶୁ ଘରେ ତାଙ୍କୁ ନିର୍ଯାତନା ଦିଆଯିବା ସହ ଖାଇବାକୁ ଦିଆଯାଉନଥିବା ଐଶ୍ୱର୍ଯ୍ୟା ଅଭିଯୋଗ କରିଛନ୍ତି।
ଐଶ୍ୱର୍ଯ୍ୟା କହିଛନ୍ତି, ‘ମୁଁ ଖାଇବା ଓ ପାଣି ପାଇଁ ରୋଷେଇ ଘରକୁ ଯାଇ ଦେଖିଲି ଯେ ରୋଷେଇ ଘରେ ତାଲା ପଡ଼ିଛି। ଯେହେତୁ ରୋଷେଇ ଘରେ ତାଲା ପଡ଼ିଥିଲ ଫଳରେ ମୁଁ ତଳକୁ ଆସି ମମିଜି(ଶାଶୁ-ରାବିଡି ଦେବୀ)ଙ୍କୁ ଖାଇବା ଓ ପାଣି ନେବା ପାଇଁ ରୋଷେଇ ଘରର ତାଲା ମାଗିଥିଲି। ହେଲେ ତାଙ୍କ ପାଖରେ ଚାବି ନ ଥିବା ସେ (ରାବିଡି ଦେବୀ) କହିଥିଲେ। ତା’ପରେ ମୁଁ ଜାଣିଗଲି କି ଏସବୁ ସେ ଜାଣିକି କରିଛନ୍ତି।’
ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି, ‘ସେମାନଙ୍କର ସୁରକ୍ଷାକର୍ମୀ ମୋ ପିତାମାତାଙ୍କୁ ଘର ଭିତରକୁ ଆସିବାକୁ ଅନୁମତି ମଧ୍ୟ ଦେଇ ନଥିଲେ।’
ସବୁଠୁ ଅଧିକ ହଇରାଣ ମିସା ଭାରତୀ କରୁଥିବା ଐଶ୍ୱର୍ଯ୍ୟା କହିଛନ୍ତି। ସେ କହିଛନ୍ତି, ‘ମିସା ଭାରତୀ ଚାହୁଁ ନାହାନ୍ତି କି ମୁଁ ସେଇ ଘରେ ରୁହେ।’
ଐଶ୍ୱର୍ଯ୍ୟା ଆହୁରି କହିଛନ୍ତି, ଘରୁ ଧକ୍କା ମାରି ତାଙ୍କୁ ବିଦା କରି ଦିଆଯାଇଛି।
ଐଶ୍ୱର୍ଯ୍ୟାଙ୍କ ବାପା ଚନ୍ଦ୍ରିକା ରାୟ ମଧ୍ୟ ଝିଅ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ‘ଲାଜ ଲାଗୁଛି କି ମୁଁ ଲାଲୁଙ୍କ ଘରେ ବନ୍ଧୁ ବାନ୍ଧିଲି। ମୁଁ ଭାବି ନ ଥିଲି କି ଏମାନେ ଏମିତି କରିବେ। ସେମାନେ(ଲାଲୁ ପରିବାରର ସଦସ୍ୟ) ଏଭଳି ଲଜ୍ଜା କାମ କରିବେ ମୁଁ କେବେ ବି ବିଶ୍ୱାସ ମଧ୍ୟ କରିପାରୁ ନାହିଁ।’
ଚନ୍ଦ୍ରିକା ରାୟ ଝିଅକୁ ନ୍ୟାୟ ଦେବା ଦାବିରେ ଲାଲୁଙ୍କ ଘର ବାହାରେ ବସିଥିବା ଜଣାପଡ଼ିଛି। ହେଲେ ସୁରକ୍ଷାକର୍ମୀମାନେ ତାଙ୍କୁ ଘର ଭିତରକୁ ଯିବାପାଇଁ ଅନୁମତି ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୁଲିସ୍ରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନାଥାଉ କି, ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଓ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା କୋର୍ଟରେ ଚାଲିଛି। ମାମଲା ଚାଲିଥିଲେ ମଧ୍ୟ ଐଶ୍ୱର୍ଯ୍ୟା ତାଙ୍କ ଶାଶୁ ଘର ଲୋକଙ୍କ ସହ ରହୁଥିଲେ।
୨୦୧୮ରେ ବଡ଼ ଧୁମ୍ଧାମ୍ରେ ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ହୋଇଥିଲା। ହେଲେ ୨୦୧୮ ନଭେମ୍ବରରେ ତେଜ ପ୍ରତାପ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ନେବାପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ। ତେବେ ମାମଲାର ନିଷ୍ପତ୍ତି ନ ହେବା ଯାଏ ଐଶ୍ୱର୍ଯ୍ୟା ଶାଶୁ ଘରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
from OTV Khabar. https://ift.tt/2nIa7za
No comments: