ହୃତପିଣ୍ଡ ଦିବସରେ ଦେଶର ହୃଦଘାତ ଜନିତ ମୃତ୍ୟୁ ଚିନ୍ତାଜନକ ! ୨୦୩୦ ସୁଦ୍ଧା ୨୩ ଲକ୍ଷରେ ପହଞ୍ଚିପାରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା Kanak News

କନକ ବ୍ୟୁରୋ : ଦିନକୁ ଦିନ ଭାରତରେ ହୃଦଘାତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି; ଯାହାକି ଚିନ୍ତାଜନକ। ହୃଦଘାତ ଯୋଗୁଁ ବିଶ୍ୱରେ ବର୍ଷକୁ ୧୭.୯ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ଯଦି ଏଭଳି ଧାରା ବଜାୟ ରହେ ତାହେଲେ ଆସନ୍ତା ୨୦୩୦ ସୁଦ୍ଧା ହୃଦଘାତଜନିତ ମୃତ୍ୟୁ ସଂଖ୍ୟା ୨୩ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଯଦି ହିସାବକୁ ନିଆଯାଏ ତେବେ ଭାରତରେ ବାର୍ଷିକ ୨୫ରୁ ୩୦ ପ୍ରତିଶତ ଲୋକ ହୃଦଘାତରେ ପ୍ରାଣ ହରାଉଛନ୍ତି। ମୁଖ୍ୟତଃ ୪୦ରୁ ୫୦ ବର୍ଷ ଲୋକଙ୍କ କ୍ଷେତ୍ରରେ ଏହି ରୋଗ ଦେଖିବାକୁ ମିଳୁଛି। ଅପମିଶ୍ରିତ ଖାଦ୍ୟ, ମାତ୍ରାଧିକ ନିଶା ଦ୍ରବ୍ୟ ସେବନ ଓ ଚିନ୍ତା ଏହାର ମୁଖ୍ୟ କାରଣ। ଶରୀରରେ କୋଲେଷ୍ଟେରଲ୍ ପରିମାଣ ବଢ଼ିବା ସହ ଲୋକମାନେ ମୋଟାପଣର ଶିକାର ହୁଏନ୍ତି। ଫଳରେ ଏହା ଉଚ୍ଚ ରକ୍ତଚାପ ଓ ମଧୁମେହକୁ ନିମନ୍ତ୍ରଣ କରିଥାଏ। ଯାହାର ଫଳ ସ୍ବରୂପ ଆଜି ଲୋକମାନେ ହୃଦଘାତ ଜନିତ ରୋଗର ଶିକାର ହେଉଛନ୍ତି ବୋଲି ‘ବିଶ୍ବ ହୃତପିଣ୍ଡ ଦିବସ’ ପରିପ୍ରେକ୍ଷୀରେ ହୋଟେଲ୍ ଶୀତଲଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ହୃଦରୋଗ ବିଶେଷଜ୍ଞ ଡା.ପ୍ରଶାନ୍ତ କୁମାର ସାହୁ କହିଛନ୍ତି।
ସେ ଆହୁରି କହିଥିଲେ ଯେ, ଭାରତରେ ହୃତରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାର ଅନ୍ୟତମ କାରଣ ହେଉଛି ଠିକ୍ ଭାବେ ଚିକିତ୍ସା ନ ମିଳିବା। କାରଣ ଡାକ୍ତରମାନେ କେବଳ କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଭଳି ସହରାଞ୍ଚଳକୁ ପ୍ରାଧାନ୍ୟ ଦେଉଛନ୍ତି। ଫଳରେ ଗ୍ରାମାଞ୍ଚଳର ଲୋକମାନେ ଠିକ୍ ଭାବେ ସେବା ପାଇପାରୁ ନାହାନ୍ତି। ବିଭିନ୍ନ କାରଣ ଯୋଗୁଁ ଡାକ୍ତରମାନେ ଗ୍ରମାଞ୍ଚଳକୁ ଯିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ତେଣୁ ଗ୍ରାମାଞ୍ଚଳରେ କିଭଳି ବିଶେଷଜ୍ଞ ପହଞ୍ଚିବେ ଏବଂ ସେଠାରେ ଲୋକଙ୍କୁ ସହର ଭଳି ସେବା ଯୋଗାଇ ଦିଆଯିବ ସେ ଦିଗରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ। ଯଦି ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା। ଏହାଛଡ଼ା ହୃଦଘାତ ଜନିତ ରୋଗରୁ ମୁକ୍ତି ପାଇଁ ପ୍ରତିଦିନ ୩୦ମିନିଟ ବ୍ୟାୟାମ କିମ୍ବା ଯୋଗ କରିବା ଜରୁରୀ। ଅତିକମରେ ସପ୍ତାହାକୁ ୧୫୦ ମିନିଟ୍ ବ୍ୟାୟାମ କିମ୍ବା ଯୋଗର ଆବଶ୍ୟକତା ରହିଛି। ସେହିପରି ଖାଦ୍ୟରେ ନିୟନ୍ତ୍ରଣ ସହ ନିଶା ଓ ତମାଖୁଠାରୁ ଦୂରରେ ରହିବା ଆବଶ୍ୟକ। ଏ ଦିଗରେ ଲୋକେ ସଚେତନ ହେବା ଜରୁରୀ ବୋଲି ଡାକ୍ତର ସାହୁ କହିଥିଲେ।
from Kanak News https://ift.tt/2myWsu8 https://ift.tt/2nEixHx

No comments: