ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ । ସମ୍ବଲପୁର ରାଜଘାଟରେ ଶେଷକୃତ୍ୟ, ଝିଅ ଦେଲେ ମୁଖାଗ୍ନି । Kanak News

କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ନାଟ୍ୟ କଳାକାର, କ୍ରୀଡ଼ାବିତ୍ ତଥା ‘ସମ୍ବାଦ’ ସଂପାଦକୀୟ ପୃଷ୍ଠାର ସଂପାଦକ ରଣଜିତ ଗୁରୁଙ୍କ ପାର୍ଥିବ ଶରୀର ଆଜି ପଞ୍ଚମହାଭୂତରେ ବିଲୀନ ହୋଇଛି । ରବିବାର ରାତିରେ ସମ୍ବଲପୁର ରାଜଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିରୋଧୀ ଦଳ ନେତାଙ୍କ ସମେତ ବହୁ ରାଜନେତା, ବୁଦ୍ଧିଜୀବୀ, ସାମ୍ବାଦିକ ଓ କଳାପ୍ରେମୀ ଶ୍ରୀ ଗୁରୁଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି । ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ ଶ୍ରୀ ଗୁରୁଙ୍କୁ ଅଜାତଶତ୍ରୁ ଭାବେ ବର୍ଣ୍ଣନା କରିଛନ୍ତି ।
ଆଜି ସକାଳେ ଶ୍ରୀ ଗୁରୁଙ୍କ ପାର୍ଥିବ ଶରୀରକୁ କିମ୍ସ ହସ୍ପିଟାଲରୁ ତାଙ୍କ କର୍ମକ୍ଷେତ୍ର ‘ସମ୍ବାଦ ଭବନ’କୁ ଅଣାଯାଇଥିଲା । ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ‘ସମ୍ବାଦ’ର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ବହୁ ବୁଦ୍ଧିଜୀବୀ ଓ ରାଜନେତା ସେଠାରେ ଶ୍ରୀ ଗୁରୁଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଜି ଶ୍ରୀ ପଟ୍ଟନାୟକଙ୍କ ଜନ୍ମଦିବସ ଥିଲେ ମଧ୍ୟ ଏଥିଲାଗି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା ।
ସମ୍ବାଦ ଭବନରେ ଶେଷଦର୍ଶନ ଓ ଶ୍ରଦ୍ଧାଞ୍ଜଳି ପରେ ଶ୍ରୀ ଗୁରୁଙ୍କ ମରଶରୀରକୁ ତାଙ୍କ ପୈତୃକ ଗ୍ରାମ ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟ ମହଖଣ୍ଡ ଗାଁକୁ ନିଆଯାଇଥିଲା । ସେଠାରେ ଶୋକାକୁଳ ପରିବାର, ସଂପର୍କୀୟ ଓ ଗ୍ରାମବାସୀ ତାଙ୍କ ଶେଷଦର୍ଶନ କରିଥିଲେ । ଏହାପରେ ଶେଷକୃତ୍ୟ ପାଇଁ ରାତିରେ ସମ୍ବଲପୁର ରାଜଘାଟକୁ ନିଆଯାଇଥିଲା ।
ଶ୍ରୀ ଗୁରୁଙ୍କ ପାର୍ଥିବ ଶରୀର ସମ୍ବଲପୁର ଅଣା ଯାଉଥିବା ଖବର ପାଇ ସହରର ବହୁ ବିଶିଷ୍ଟ ବ୍ୟକ୍ତି ରାତି ୮ଟାରୁ ରାଜଘାଟଠାରେ ଜମା ହେବାରେ ଲାଗିଥିଲେ । ମର ଶରୀର ରାଜଘାଟରେ ପହଞ୍ଚିବା ପରେ ରାତି ପ୍ରାୟ ୧୦ଟାରେ ଜୁଇରେ ଅଗ୍ନି ସଂଯୋଗ ହୋଇଥିଲା । ଏକମାତ୍ର ଝିଅ ଡା. କ୍ରାନ୍ତି ସ୍ବାଗତିକା ଗୁରୁ ମୁଖାଗ୍ନି ଦେଇଥିଲେ । ତିନି ଭାଇ ଦିଲୀପ କୁମାର ଗୁରୁ, ବିଶ୍ବଜିତ ଗୁରୁ, ସତ୍ୟଜିତ ଗୁରୁଙ୍କ ସମେତ ପରିବାରର ବହୁ ସଦସ୍ୟ, ଆତ୍ମୀୟ ସ୍ବଜନ ଉପସ୍ଥିତ ରହି ଶ୍ରୀ ଗୁରୁଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ ।
ରାଜଘାଟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ପ୍ରସାର ଭାରତୀର ପୂର୍ବତନ ମହାନିର୍ଦ୍ଦେଶକ ଅଭୟ ପାଢ଼ୀ, ନାଟ୍ୟକାର ଡ. ଦିଲୀପ ପଣ୍ଡା, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଡ. ଦ୍ବାରିକା ନାୟକ, ବ୍ରଜେନ୍ଦ୍ର ନାୟକ, ସାମ୍ବାଦିକ ଶିବ ଶଂକର ନନ୍ଦ, ସୁବାସ ପାଣିଗ୍ରାହୀ, ପ୍ରିୟ ରଂଜନ ବାବୁ, ପ୍ରଦୀପ ବହିଦାର, ଅତନୁ ଘୋଷ, ବେଣୁଧର ଦାଶ, ପ୍ରମୋଦ ରଥ, ମହେନ୍ଦ୍ର ମିଶ୍ର, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ସମ୍ବଲପୁର ପ୍ରେସ୍ କ୍ଲବ ସଂପାଦକ ଭବାନୀ ଶଂକର ଭୋଇ, ଡ. ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଭାଗୀରଥି ମିଶ୍ର, ସୁରେଶ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଗୁରୁଙ୍କୁ ଅନ୍ତିମ ବିଦାୟ ଦେଇଥିଲେ । ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର କର୍ମଚାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
from Kanak News https://ift.tt/2Nfagon https://ift.tt/2P2ZAvz
No comments: