ରାଜ୍ୟ ବିଧାନସଭାର ବାଚସ୍ପତି ନିର୍ବାଚନ ଆଜି। ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାଁ ପ୍ରସ୍ତାବ କଲେ ଶାସକ ଦଳ Kanak News

କନକ ବ୍ୟୁରୋ: ଆଜି ବିଜେଡିର ଗଂଜାମ ଜିଲ୍ଲା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଷୋଡଶ ବିଧାନସଭାର ବାଚସ୍ପତି ଭାବେ ବଛାଯିବେ । ଏନେଇ ବିଧାନସଭାରେ ପ୍ରାଥମିକ ଔପଚାରିକତା ଶେଷ ହୋଇଛି । ବାଚସ୍ପତି ନିର୍ବାଚନ ପାଇଁ ଗତକାଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭାରେ ପ୍ରସ୍ତାବ ଆଗତ କରିଥିଲେ ।
ବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ନିକଟରେ ମଧ୍ୟାହ୍ନ ୧୨ଟା ସୁଦ୍ଧା ଆବେଦନ କରିବାକୁ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଉଥିବା ଅସ୍ଥାୟୀ ବାଚସ୍ପତି ଅମର ପ୍ରସାଦ ଶତପଥୀ ଗୃହରେ ଘୋଷଣା କରିଥିଲେ। ତଦନୁଯାୟୀ ମୁଖ୍ୟମନ୍ତ୍ରୀ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରିବା ନେଇ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଶ୍ରୀ ପାତ୍ରଙ୍କ ନାମ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ପ୍ରସ୍ତାବ ଆଣିବା ସହ ନିଜେ ସମର୍ଥନ ମଧ୍ୟ କରିଥିଲେ। ପରେ ଔପଚାରିକ ଭାବେ ମନ୍ତ୍ରୀ ଶ୍ରୀ ଆରୁଖ ବିଧାନସଭା ସଚିବଙ୍କ ପାଖରେ ଆବେଦନ କରିଥିଲେ। ଏହି ଅବସରରେ ଗୃହରେ ଉପସ୍ଥିତ ଥିବା ବରିଷ୍ଠ ବିଧାୟକ ଶ୍ରୀ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ। ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ବାଚସ୍ପତି ପଦ ପାଇଁ କାହାରି ନାମ ଦିଆଯାଇନାହିଁ। ସେ ଦୃଷ୍ଟିରୁ ଆଜି ପୂର୍ବତନ ମନ୍ତ୍ରୀ ଶ୍ରୀ ପାତ୍ର ସର୍ବସମ୍ମତି କ୍ରମେ ବିଧାନସଭାର ବାଚସ୍ପତି ଭାବେ ବଛାଯିବେ ବୋଲି ଜଣାପଡ଼ିଛି। ୨୨ତମ ବାଚସ୍ପତି ଭାବେ ଶ୍ରୀ ପାତ୍ର ଦାୟିତ୍ବ ନିର୍ବାହନ କରିବେ।
ଆଜି ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ବାଚସ୍ପତି ଚୟନ ନେଇ ଏକ ପ୍ରସ୍ତାବ ଆଗତ କରିବେ। ଏହି ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମର୍ଥନ କରିବେ। ପରେ ଯଦି ବିରୋଧୀ ଚାହିଁବେ ତାହେଲେ ଏଥିପାଇଁ ଡିଭିଜନ ଭୋଟ କରିବା ପାଇଁ ଦାବି କରିପାରିବେ।
from Kanak News http://bit.ly/2Wh2j7R http://bit.ly/2EKJ2AY


No comments: