
କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୬ରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଥିସହ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମେ’ ୧୮ରେ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଥିଲା। ତେବେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଏହା ଆଗକୁ ବଢ଼ିପାରି ନାହିଁ। ଏବେ ଆଣ୍ଡାମାନରେ ପ୍ରବଳ ବର୍ଷା ଜାରି ରହିଛି। ମୌସୁମୀ ଆସିବାରେ ବିଳମ୍ବ ହେଉଥିଲେ ମଧ୍ୟ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଏଥର ଦେଶରେ ସ୍ୱାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।
ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’ ଆକଳନ କରିଛି ଯେ, ୭ ତାରିଖରେ ମୌସୁମୀ କେରଳ ଛୁଇଁବ। ଏଥିରେ ଗୋଟିଏ ଦୁଇ ଦିନ ଆଗ ପଛ ହୋଇପାରେ। ସମ୍ପୃକ୍ତ ସଂସ୍ଥା ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ ଜୁନ୍ ୪ରେ ମୌସୁମୀ କେରଳ ଛୁଇଁବ। ତେବେ ଆଣ୍ଡାମାନ ଛୁଇଁଥିବା ମୌସୁମୀ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଆଗକୁ ବଢ଼ିପାରିନଥିଲା। ଏବେ ମୌସୁମୀ ସକ୍ରିୟ ହେବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ୭ ତାରିଖ ସୁଦ୍ଧା କେରଳରେ ନିଜର ଉପସ୍ଥିତି ଜାହିର କରିବ। ମୌସୁମୀ ପୁଣି ସକ୍ରିୟ ହୋଇ ଆଣ୍ଡାମାନର ଅଧିକାଂଶ ଅଞ୍ଚଳରେ ପ୍ରବେଶ କରିଛି। ୩୦ ତାରିଖ ସୁଦ୍ଧା ଏହା ବଙ୍ଗୋପସାଗର ଓ ପୋର୍ଟ ବ୍ଲେୟାର ଅଞ୍ଚଳକୁ ଛୁଇଁଛି। ତେଣୁ ଜୁନ୍ ୭ ସୁଦ୍ଧା କେରଳରେ ପ୍ରବେଶ କରିବ।
ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ସ୍ଥିର ରହିଛି। ଗତକାଲି ୯ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ୪୩.୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୪୩.୫, ଝାରସୁଗୁଡ଼ାରେ ୪୩.୨ ଡିଗ୍ରି ରହିଥିଲା। କେନ୍ଦୁଝର, ତାଳଚେର, କୋରାପୁଟ, ଭୁବନେଶ୍ବର, କଟକ, ପୁରୀ, ନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି। ପ୍ରଫେସର ପଶୁପାଳକଙ୍କ ଆକଳନ ହେଉଛି ଯେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ।
from Kanak News http://bit.ly/2Mw1YcO http://bit.ly/2EIJrDW

No comments: