ଶ୍ରୀମନ୍ଦିର ଇତିହାସରେ ପ୍ରଥମ ! ୧୩ ଘଣ୍ଟା ଧରି ମହାପ୍ରଭୁଙ୍କ ନୀତିକାନ୍ତି ଠପ୍, ବାହାରେ ବିକଳ ହୋଇ କାନ୍ଦିଲେ ଭକ୍ତ । Kanak News

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିର ଇତିହାସରେ ଯାହା ଘଟିଛି, ପୂର୍ବରୁ ଏପରି ପ୍ରାୟ ଦେଖିବାକୁ ମିଳିନଥିଲା । ପାଖାପାଖି ୧୩ ଘଂଟା ଧରି ନୀତିକାନ୍ତି ବନ୍ଦ ହୋଇପଡିଥିଲା, ଉପାସରେ ରହିଥିଲେ ଶ୍ରୀଜିଉ । ସାଧାରଣ ଦର୍ଶନରୁ ବଂଚିତ ହୋଇଥିଲେ ହଜାର ହଜାର ଭକ୍ତ । ସାଢ଼େ ୪ଟା ପର୍ଯ୍ୟନ୍ତ ସବୁ ନୀତି ବନ୍ଦ ରହିଥିଲା । ମହାପ୍ରଭୁଙ୍କ ଦର୍ଶନ ଲାଗି ସିଂହଦ୍ୱାରରେ ଭକ୍ତ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ଛୋଟିଆ ଘଟଣାରୁ ଶ୍ରୀମନ୍ଦିରରେ ଅଚଳାବସ୍ଥା ସୃଷ୍ଟି କରିଥିଲେ କିଛି ସେବାୟତ । ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଶେଷରେ ସେବାୟତମାନେ ନିଜ ତରଫରୁ ନୀତିକାନ୍ତି ଆରମ୍ଭ କରିଥିଲେ । ଅପରାହ୍ନ ୫ଟା ପରେ ଆରମ୍ଭ ହୋଇଥିଲା ସାଧାରଣ ଦର୍ଶନ । ତେବେ ଅସନ୍ତୋଷର ନିଆଁ ଏବେ ବି କୁହୁଳୁଛି, ଆହୁରି ଉଗ୍ର ରୂପ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।


ଏହି ବିବାଦ ସୃଷ୍ଟି ହୋଇଥିଲା ଗତକାଲି ରାତିରେ ଜଣେ ଭକ୍ତଙ୍କ ପ୍ରବେଶ ନେଇ ସେବାୟତ ଓ ପୋଲିସ ମଧ୍ୟରେ ଗୋଟିଏ ଛୋଟିଆ ଘଟଣାକୁ ନେଇ । ପୋଲିସ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ଜଣେ ସେବାୟତ । ଏହି ଛୋଟିଆ ଘଟଣା ସେତିକି ବେଳେ ସାଂଘାତିକ ରୂପ ନେଇଥିଲା, ଯେତେବେଳେ ସେବାୟତମାନେ ନୀତିକାନ୍ତି ବନ୍ଦ କରି ଦେଇଥିଲେ, ଖୋଲି ନଥିଲା ଶ୍ରୀମନ୍ଦିର । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସକ ମଧ୍ୟରେ ତୁହାକୁ ତୁହା ବୈଠକ ହେଉଥିଲା, ହେଲେ ଫଳ କିଛି ମିଳୁନଥିଲା । ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିନଥିଲା ପୋଲିସ । ବିବାଦର ସମାଧାନ ପାଇଁ ଭକ୍ତଙ୍କୁ ଅପେକ୍ଷା କରିବାକୁ କହିଥିଲେ ପୁରୀ ଏସପି । ତେବେ ପୁରୀ ବେଳାଭୂମିରେ ବୁଲିବା ପାଇଁ ଏସପି ପରାମର୍ଶ ଦେବା ପରେ ଉତ୍ୟକ୍ତ ହୋଇ ଉଠିଥିଲେ ଭକ୍ତ ।

from Kanak News http://bit.ly/2ETKx0n http://bit.ly/2ETqujD
No comments: