‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବା ପରେ ସରିନି ‘ମିଠାଯୁଦ୍ଧ’: ‘ବାଂଲାର ରସୋଗୋଲ୍ଲା’ ଜିଆଇ ମାନ୍ୟତାକୁ ଚ୍ୟାଲେଞ୍ଜ, ସେପ୍ଟେମ୍ବର ୬ରେ ଚେନ୍ନାଇରେ ହେବ ଶୁଣାଣି Kanak News

କନକ ବ୍ୟୁରୋ: ରସଗୋଲାକୁ ନେଇ ଚାଲିଥିବା ଯୁଦ୍ଧ ସରି ନାହିଁ। ଗତ ମାସ ୨୯ ତାରିଖରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ମିଳିବା ପରେ ‘ମିଠାଯୁଦ୍ଧ’ ଶେଷ ହୋଇଗଲା ବୋଲି ଅନେକ ଭାବୁଥିଲେ। ମାତ୍ର ଏହି ବିବାଦ ଏବେ ନୂଆ ମୋଡ଼ ନେଇଛି। ଦୁଇବର୍ଷ ତଳେ ପଶ୍ଚିମବଙ୍ଗକୁ ‘ବାଂଲାର ରସୋଗୋଲ୍ଲା’ ନାଁରେ ମିଳିଥିବା ଜିଆଇ ମାନ୍ୟତା ହଟିବାର ଆଶଙ୍କା ସୃଷ୍ଟି ହୋଇଛି।

ସାଂସ୍କୃତିକ ଅନୁଷ୍ଠାନ ‘ପୁଣ୍ୟ ଉତ୍କଳ’ର ସଂଗଠନ ସଂପାଦକ ସୁଶାନ୍ତ ଓ ‘ଓଡ଼ିଆ ପର୍ବ’ ପତ୍ରିକାର ସଂପାଦକ ସନ୍ତୋଷ କୁମାର ସାହୁ ଓଡ଼ିଶାର ଉଚ୍ଚ ନ୍ୟାୟାଳୟରେ ୨୦୧୮ ଫେବ୍ରୁଆରି ୫ ତାରିଖରେ ‘ବାଂଲାର ରସୋଗୋଲ୍ଲା’ ଜିଆଇ ମାନ୍ୟତାକୁ ରଦ୍ଦ କରିବା ଏବଂ ରସଗୋଲାକୁ ନେଇ ଜିଆଇ ପାଇବା ଦିଗରେ ଓଡ଼ିଶା ସରକାର ପଦକ୍ଷେପ ନେବାକୁ ପ୍ରାର୍ଥନା କରି ଏକ ଜନସ୍ବାର୍ଥ ମାମଲା ଦାୟର କରିଥିବାବେଳେ ଫେବ୍ରୁଆରି ୧୩ରେ ଚେନ୍ନାଇ ସ୍ଥିତ ଜିଆଇ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗପତ୍ର ଦାଖଲ କରିଥିଲେ। ଏ ସଂକ୍ରାନ୍ତରେ ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। ଏହି ସୂଚନା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଥିବା ରସଗୋଲାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଛି। ମିଥ୍ୟା ତଥ୍ୟ ଏବଂ ଚଞ୍ଚକତା ଉପରେ ‘ବାଂଲାର ରସୋଗୋଲ୍ଲା’ ଜିଆଇ ମାନ୍ୟତା ପ୍ରାପ୍ତ କରିବା ନେଇ ଯେଉଁ ଅଭିଯୋଗ ହୋଇଆସୁଛି, ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହେବ ବୋଲି ଓଡ଼ିଶାର ରସଗୋଲାପ୍ରେମୀମାନେ ଆଶା ରଖିଛନ୍ତି।

ରସଗୋଲା କାହାର? ଏହାକୁ ନେଇ ୨୦୧୫ ମସିହାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଭିତରେ ବିବାଦ ଆରମ୍ଭ ହୋଇଥିଲା। କିଏ ରସାଗୋଲାକୁ ନେଇ ଜିଆଇ ମାନ୍ୟତା ପାଇବ, ତାହାକୁ ନେଇ ଦୁଇ ସରକାର ଉଦ୍ୟମ ଆରମ୍ଭ କରିଥିଲେ। ମାତ୍ର ପଶ୍ଚିମବଙ୍ଗ ସରକାର ଜିଆଇ କାର୍ଯ୍ୟାଳୟରେ ଏଥିପାଇଁ ଆଗୁଆ ଆବେଦନ କରିବା ପରେ ୨୦୧୭ ନଭେମ୍ବରରେ ‘ବାଂଲାର ରସୋଗୋଲ୍ଲା’ ନାଁରେ ପଶ୍ଚିମବଙ୍ଗକୁ ଜିଆଇ ମାନ୍ୟତା ମିଳିଥିଲା। ମାତ୍ର ଏ ଦିଗରେ ପଛରେ ପଡ଼ିଥିଲେ ଓଡ଼ିଶା ସରକାର। ରସଗୋଲାକୁ ନେଇ ଓଡ଼ିଶାର ପ୍ରାଚୀନ ଓ ସମୃଦ୍ଧ ପରମ୍ପରା ରହିଛି। ଗତ ୭ ଶହ ବର୍ଷ ଧରି ଶ୍ରୀଜଗନ୍ନାଥ ମନ୍ଦିରରେ ରସଗୋଲା ଭୋଗ ଲାଗୁଥିବା ଓ ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ରେ ରସଗୋଲା ସଂପର୍କରେ ଉଲ୍ଲେଖ ରହିଥିବା ସଂପର୍କରେ ଗବେଷକ ଅସିତ ମହାନ୍ତି ରାଜ୍ୟ ସରକାରଙ୍କୁ ଏହାର ପ୍ରମାଣ ପ୍ରଦାନ କରିଥିଲେ। ଏହାପରେ ଓଡ଼ିଶା ରସଗୋଲାର ଜିଆଇ ମାନ୍ୟତା ଆବେଦନ ପାଇଁ ଓଡ଼ିଶା ସରକାରଙ୍କ ତତ୍ପରତା ପ୍ରକାଶ ପାଇଥିଲା।

ଅନ୍ୟପକ୍ଷରେ ୨୦୧୮ ଫେବ୍ରୁଆରି ୧୩ ତାରିଖରେ ରିଜିଓନାଲ୍ ଡେଭଲପମେଣ୍ଟ୍ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ‘ବାଂଲାର ରସୋଗୋଲ୍ଲା’କୁ ମିଳିଥିବା ଜିଆଇ ଟ୍ୟାଗ୍କୁ ହଟାଇବା ପାଇଁ ଅଭିଯୋଗପତ୍ର ଦାଖଲ କରିବାର ଦେଢ଼ ବର୍ଷ ମଧ୍ୟରେ ଏହାକୁ ନେଇ ଜିଆଇ ରେଜିଷ୍ଟ୍ରିରେ ଅଭିଯୋଗ-ପ୍ରତିଅଭିଯୋଗ ଆଦାନ ପ୍ରଦାନ ହୋଇଥିଲା। ଶେଷରେ ଚେନ୍ନାଇ ସ୍ଥିତ ଜିଆଇ ରେଜେଷ୍ଟ୍ରି କାର୍ଯ୍ୟାଳୟ ଏହାକୁ ଗୁରୁତ୍ବର ସହ ନେଇ ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛି।



from Kanak News https://ift.tt/2MuIwvE https://ift.tt/2KbCTki
‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବା ପରେ ସରିନି ‘ମିଠାଯୁଦ୍ଧ’: ‘ବାଂଲାର ରସୋଗୋଲ୍ଲା’ ଜିଆଇ ମାନ୍ୟତାକୁ ଚ୍ୟାଲେଞ୍ଜ, ସେପ୍ଟେମ୍ବର ୬ରେ ଚେନ୍ନାଇରେ ହେବ ଶୁଣାଣି Kanak News ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବା ପରେ ସରିନି ‘ମିଠାଯୁଦ୍ଧ’: ‘ବାଂଲାର ରସୋଗୋଲ୍ଲା’ ଜିଆଇ ମାନ୍ୟତାକୁ ଚ୍ୟାଲେଞ୍ଜ, ସେପ୍ଟେମ୍ବର ୬ରେ ଚେନ୍ନାଇରେ ହେବ ଶୁଣାଣି Kanak News Reviewed by SUBHENDU BARAL on August 02, 2019 Rating: 5

No comments:

Powered by Blogger.