ଆଜି ରାଷ୍ଟ୍ରପତି ନିର୍ବାଚନ : ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେବେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା Kanak News

କନକ ବ୍ୟୁରୋ :ଆଜି ରାଷ୍ଟ୍ରପତି ନିର୍ବାଚନ । ଦେଶର ସବୁଠୁ ବଡ଼ ପଦବୀ ପାଇଁ ନିର୍ବାଚନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନଙ୍କ ମଧ୍ୟରୁ ଦେଶର ୧୫ ତମ ରାଷ୍ଟ୍ରପତି ବଛା ହେବ । ଏବେର ଗଣିତ ଅନୁସାରେ ୬୦ ପ୍ରତିଶତରୁ ଅଧିକ ଭୋଟ ଦ୍ରୌପଦୀଙ୍କ ସପକ୍ଷରେ ଅଛି । ପାଖାପାଖି ୪୮ ଶହ ସାଂସଦ ଏବଂ ବିଧାୟକ ଭୋଟ ଦେଇ ନୂଆ ରାଷ୍ଟ୍ରପତି ଚୟନ କରିବେ । ସକାଳ ୧୦ ଟାରୁ ୫ ଟା ମଧ୍ୟରେ ଉଭୟ ସଂସଦ ଏବଂ ରାଜ୍ୟ ବିଧାନସଭା ଗୁଡିକରେ ଭୋଟ ଗ୍ରହଣ ଆରମ୍ଭ ହେବ । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟିଂ ବ୍ୟବସ୍ଥା କରାଯାଇଛି ।
ବିଜେଡିର ୧୧୩, ବିଜେପିର ୨୧ ଏବଂ କଂଗ୍ରେସର ୯ ଜଣ ବିଧାୟକଙ୍କ ସହିତ ସ୍ୱାଧୀନ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ମକରନ୍ଦ ମୁଦୁଲି ଓ ସିପିଆଇଏମର ଲକ୍ଷ୍ମଣ ମୁଣ୍ଡା ବିଧାନସଭାରେ ଭୋଟ୍ ଦେବେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥତା କାରଣରୁ ଦିଲ୍ଲୀରେ ଥିବାରୁ ସେଠାରେ ସେ ଭୋଟ୍ ଦେବେ । ସାଂସଦମାନେ କେହି ବିଧାନସଭାରେ ଭୋଟ୍ ଦେବାକୁ ଆବେଦନ କରିନଥିବାରୁ ସମସ୍ତେ ଦିଲ୍ଲୀରେ ଭୋଟ୍ ଦେବେ ବୋଲି ଜଣାପଡିଛି । ଏଥିପାଇଁ ବାଲଟ ବକ୍ସ ନିର୍ଦ୍ଧାରିତ ସ୍ଥାନରେ ପହଂଚି ସାରିଛି । ଭୋଟ ଗ୍ରହଣ ପରେ ଆସନ୍ତା ଜୁଲାଇ ୨୧ ତାରିଖରେ ଭୋଟ ଗଣନା ହେବ । ଏବଂ ଆସନ୍ତା ଜୁଲାଇ ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।
କହିରଖୁଛୁ ଯେ ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ । ଆଂଚଳିକ ଦଳ ବିଜେଡି, ୱାଇଏସଆର କଂଗ୍ରେସ, ବିଏସପି, ଏଆଇଏଡିଏମକେ, ଟିଡିପି, ଜେଡିସ୍, ସିରୋମଣି ଅକାଳୀ ଦଳ, ଶିବସେନା ଏବଂ ଜେଏମଏମ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିସାରିଛି । ସେହିପରି ଅରବିନ୍ଦ କେଜରୀୱାଲଙ୍କ ଆପ୍, ସମାଜବାଦୀ ପାର୍ଟି, ଟିଏମସି, ଟଡିପି, ଏନସିପି ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଦେଇଛି । ମୁର୍ମୁ ପ୍ରାୟ ୩ ଭାଗରୁ ଦୁଇ ଭାଗ ଭୋଟ ହାତେଇବାର ସୁଯୋଗ ରହିଥିବା ବେଳେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିନ୍ତ ।
The post ଆଜି ରାଷ୍ଟ୍ରପତି ନିର୍ବାଚନ : ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେବେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା first appeared on Kanak News.
from Kanak News https://ift.tt/tJxTQfq https://ift.tt/q2SnylW
No comments: