ଆଜି ବିଶ୍ୱ ପରିବେଶ ଦିବସ । ଚାରିଆଡେ ପ୍ଲାଷ୍ଟିକର ହାହାକାର ।  Kanak News

ଅନିୟମିତ ଋତୁଚକ୍ର ସାବଧାନ ହେବାକୁ ଇସାରା ଦେଲାଣି। ଅସହ୍ୟ ତାତିରେ ମଣିଷ କଲବଲ ହେଲାଣି। ଭଲ ପାଣି ମୁନ୍ଦେ ପାଇଁ ଚିନ୍ତା ଘାରିଲାଣି। ପରିବେଶବିତମାନେ ସତର୍କ ବାଣୀ କଲେଣି। ଏବେଠୁ ପ୍ରତ୍ୟେକ ବ୍ୟକ୍ତି ସଚେତନ ନ ହେଲେ ପରିବେଶ ବିଗିଡ଼ିଯିବ। ତଥାପି ମାନବ ସମାଜ ପରିବେଶ ମନସ୍କ ହୋଇପାରିନି। ପରିବେଶ ପ୍ରଦୂଷଣରେ ପ୍ଲାଷ୍ଟିକର ଭୟାବହତା ଚଳିତ ବର୍ଷ ପରିବେଶ ଦିବସର ବିଷୟବସ୍ତୁ ରହିଛି। ଅଥଚ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ଭବିଷ୍ୟତ ପାଇଁ ଏକ ବଡ଼ ବିପଦକୁ ଆମନ୍ତ୍ରଣ କରୁଛି। ବିଶେଷତଃ ଦୈନନ୍ଦିନ ଜୀବନରେ ପାଣି ବୋତଲ ବ୍ୟବହାର କରି ମଣିଷ ଯେ ପ୍ରତିଦିନ ରୋଗ କିଣୁଛି ଏକଥା ତାକୁ ଜଣାନାହିଁ।

ମା’ ପେଟରୁ ବିକଳାଙ୍ଗ କରିଦିଏ, କ୍ୟାନ୍ସର୍ ବ୍ୟାଧିକୁ ଜନ୍ମ ଦିଏ

ଆପଣ ଯେବେ ହୋଟେଲରୁ ଗରମ ଖାଦ୍ୟ ମଗାନ୍ତି ଅବା ଘରକୁ ନିଅନ୍ତି ନିଶ୍ଚେ ପଲିଥିନର ବ୍ୟାଗର ସାହାରା ନେଉଥିବେ। ପିଇବା ପାଇଁ ବି ପାଣି ବୋତଲ ବ୍ୟବହାର ଏବେ ଏକ ପ୍ରକାର ଜରୁରୀ ଆବଶ୍ୟକତା ପାଲଟିଯାଇଛି। ମାତ୍ର ଏହି ପଲିଥିନ୍ ଏବଂ ପ୍ଲାଷ୍ଟିକ୍ ବୋତଲରେ ଦୀର୍ଘଦିନ ଧରି ସାଇତା ଯାଇଥିବା ପାଣି ଆମ ଭିତରେ ଅନେକ ରୋଗକୁ ଜନ୍ମ ଦିଏ। ଜୈବିକ ସଂଶ୍ଳିଷ୍ଟ (କୃତ୍ରିମ) ମିଶ୍ରଣରୁ ପ୍ରସ୍ତୁତ ବିସଫିଲୋନ୍ ମା ପେଟରେ ଥିବା ପିଲାଙ୍କୁ ଦିବ୍ୟାଙ୍ଗ କରିଦେଇପାରେ। ସହରାଞ୍ଚଳରେ ଗଦାଗଦା ବର୍ଜ୍ୟବସ୍ତୁ ପୋଡ଼ାଯିବା ବେଳେ ସେଥିରୁ ଡାଇଅକ୍ସିନ୍ ଓ ଫ୍ୟୁରାନ୍ ଭଳି ବିଷାକ୍ତ ବାଷ୍ପ ନିର୍ଗତ ହୋଇ ପାଖାପାଖି ରହୁଥିବା ଲୋକଙ୍କ ଭିତରେ କ୍ୟାନସର ଭଳି ମହାବ୍ୟାଧି ସୃଷ୍ଟି କରେ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିବା ସହ ହରମନ୍ ସମସ୍ୟା ସୃଷ୍ଟି କରେ।

ବନ୍ୟା ସୃଷ୍ଟି ରୁଛି, ସାମୁଦ୍ରିକ ଜୀବଙ୍କୁ ମାରୁଛି

ସାମାନ୍ୟ ବର୍ଷାରେ ସହରରେ ବନ୍ୟା ସୃଷ୍ଟି ହେବା ପଛରେ ପ୍ଲାଷ୍ଟିକ୍ ପଲିଥିନ୍ ଅନ୍ୟତମ କାରଣ। ପଲିଥିନ୍ ଓ ପାଣି ବୋତଲ ବ୍ୟବହାର କରି ଫିଙ୍ଗିଦେବା ପରେ ଏହା ନଈନାଳରେ ଭାସି ଠାଏଁ ଠାଏଁ ଅବରୋଧ ସୃଷ୍ଟି କରେ। ତେଣୁ ପାଣି ନିଷ୍କାସିତ ହୋଇ ନପାରି ଜମି ରୁହେ। ସଂଶ୍ଳେଷିତ ପଦାର୍ଥ ହୋଇଥିବାରୁ ମାଟିରେ ପଡ଼ିଲେ ଅଣୁଜୀବମାନେ ଏହାକୁ ଭାଙ୍ଗିପାରନ୍ତି ନାହିଁ। ତେଣୁ ଏହା ଶହ ଶହ ବର୍ଷ ମାଟିରେ ପଡ଼ି ରହୁଥିବାରୁ ଭୂତଳକୁ ଜଳ ରିଚାର୍ଜ ହେବାରେ ବାଧକ ସାଜେ ବୋଲି ପରିବେଶ ବିଜ୍ଞାନୀ ଡ.ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି। ସର୍ବେକ୍ଷଣ ମୁତାବକ, ସମୁଦ୍ରକୁ ବର୍ଷକୁ ୧୩ ନିୟୁତ ଟନ୍ ପ୍ଲାଷ୍ଟିକ୍ ପଦାର୍ଥ ଯାଉଥିବାରୁ ୧ଲକ୍ଷ ସାମୁଦ୍ରିକ ଜୀବ, ୨ ନିୟୁତ ସାମୁଦ୍ରିକ ପକ୍ଷୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେଣୁ ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ପୁନଃ ବ୍ୟବହାର କରିବା ଏବଂ ପୁନଃଚକ୍ରଣ ଦ୍ୱାରା ବ୍ୟବହାର କରିବା ଭଳି ୩ଟି କଥାକୁ ଅନୁସରଣ କରିବା ଉଚିତ୍ ବୋଲି ଡ.ପାଣିଗ୍ରାହୀ କହିଛନ୍ତି।

ବର୍ଷକୁ ଜମା ହେଉଛି ୨ହଜାର କୋଟି ପାଣି ବୋତଲ

ସର୍ବେକ୍ଷଣ ତଥ୍ୟ ମୁତାବକ, ଏବେ ବାର୍ଷିକ ୩୦ ହଜାର ଟନ୍ ପ୍ଲାଷ୍ଟିକ୍ ଉତ୍ପାଦନ କରାଯାଉଛି। ପ୍ରତି ମିନିଟରେ ୧ ନିୟୁତ ପ୍ଲାଷ୍ଟିକ୍ ବୋତଲ ପ୍ରସ୍ତୁତ ହେଉଛି। ସେଥିରୁ ପ୍ରାୟ ୫୦ ପ୍ରତିଶତ ବୋତଲ ବା ପଲିଥିନ୍ ମାତ୍ର ଥରେ ବ୍ୟବହାର ହେଉଛି। ତେଣୁ ବର୍ଷକୁ ୨ହଜାର କୋଟି ପାଣି ବୋତଲ ବର୍ଜ୍ୟବସ୍ତୁ ଭାବେ ପଡ଼ି ରହୁଛି। ଅର୍ଥାତ ପୁନଃଚକ୍ରଣ ମାଧ୍ୟମରେ ବ୍ୟବହାର କଲେ ବିପୁଳ ସାଧନ ବଞ୍ଚିପାରିବ। ୧ ଟନ୍ ପାଣିବୋତଲ ରିସାଇକେଲିଂ କରାଗଲେ ୩.୮ ବ୍ୟାରେଲ୍ ଅଶୋଧିତ ତୈଳ ବଞ୍ଚାଇ ହେବ। ପୁନଃ ଚକ୍ରଣ ପ୍ରକ୍ରିୟାରେ ସେତିକି ପ୍ଲାଷ୍ଟିକ୍ ପାଣି ବୋତଲ ପ୍ରସ୍ତୁତିରେ ୨ ତୃତୀୟାଂଶ ଶକ୍ତି ବଞ୍ଚାଇ ହେବ। ପୁନଃଚକ୍ରଣ ବେଳେ କମ୍ ଶକ୍ତି ଓ ଇନ୍ଧନ ବ୍ୟବହୃତ ହେଉଥିବାରୁ ଗ୍ରିନ୍ ହାଉସ୍ ଗ୍ୟାସ୍ ଏତେ ସୃଷ୍ଟି ହେବ ନାହିଁ। ଯଦିଓ ପ୍ଲାଷ୍ଟିକ୍ େଓ୍ଵଷ୍ଟ୍ ମ୍ୟାନେଜମେଣ୍ଟ୍ ରୁଲ୍ ୨୦୧୧ ମୁତାବକ ୫୦ରୁ କମ ମାଇକ୍ରନର ପଲିଥିନ୍ ବ୍ୟବହାରର ନିର୍ଦ୍ଦେଶ ଅଛି କିନ୍ତୁ ତାହା ବାସ୍ତବରେ ହୋଇପାରୁନି। କେବଳ ସରକାରଙ୍କ ଉପରେ ଛାଡ଼ି ନଦେଇ ପ୍ରତ୍ୟେକ ବ୍ୟକ୍ତି ନିଜ ଘରୁ ପ୍ଲାଷ୍ଟିକରୁ ଦୂରେଇବା ଆରମ୍ଭ କଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ ବୋଲି ପରିବେଶବିତ୍ ରୀନା ରାଉତରାୟ କହିଛନ୍ତି।

The post ଆଜି ବିଶ୍ୱ ପରିବେଶ ଦିବସ । ଚାରିଆଡେ ପ୍ଲାଷ୍ଟିକର ହାହାକାର ।  first appeared on Kanak News.



from Kanak News https://ift.tt/opniZck https://ift.tt/elnpHIy
ଆଜି ବିଶ୍ୱ ପରିବେଶ ଦିବସ । ଚାରିଆଡେ ପ୍ଲାଷ୍ଟିକର ହାହାକାର ।  Kanak News ଆଜି ବିଶ୍ୱ ପରିବେଶ ଦିବସ । ଚାରିଆଡେ ପ୍ଲାଷ୍ଟିକର ହାହାକାର ।  Kanak News Reviewed by SUBHENDU BARAL on June 04, 2022 Rating: 5

No comments:

Powered by Blogger.