ପାଖରେ ଅର୍ଥବଳ ଓ ବାହୁବଳ ନଥିଲେ ନିର୍ବାଚନ ଜିତିବା କେତେ ଅସମ୍ଭବ, ତାହା ଏଥର ପଞ୍ଚାୟତ ଭୋଟ୍ରୁ ପ୍ରାୟ ଉଣାଅଧିକେ ସ୍ପଷ୍ଟ ହେଲା । ତା ସତ୍ତ୍ୱେ ଆମେ ଏମିତି କିଛି ବିଜୟୀ ସରପଞ୍ଚଙ୍କୁ ଭେଟିଛୁ, ଯେଉଁମାନେ ଜିତିଛନ୍ତି କେବଳ ଭୋଟରଙ୍କ ବିଶ୍ୱାସ ଓ ଭରସା ବଳରେ । ଏମାନଙ୍କ ମଧ୍ୟରୁ କିଏ ରାସ୍ତା କଡ଼ର ଚା ଦୋକାନୀ ତ କିଏ ପରିବା ବ୍ୟବସାୟୀ ଆସନ୍ତୁ ସେମାନଙ୍କୁ ଭେଟିବା ସହ ଜାଣିବା ସଫଳତାର ଗଣିତ...
ଚମକିଲା ଭାଗ୍ୟ, ଚା ବିକାଳିରୁ ସରପଞ୍ଚ । ନିର୍ବାଚନ ଲଢ଼ିବା ପୂର୍ବରୁ ଯେମିତି ଥିଲେ, ଜିତିଲା ପରେ ବି ବେଉସା ଛାଡ଼ିନାହାନ୍ତି ସୁବର୍ଣ୍ଣପୁର ଜିଲ୍ଲା ପଣ୍ଡକିଟାଲ ପଞ୍ଚାୟତର ନୂଆ ମୁଖିଆ ଗୋବିନ୍ଦ ସେଠ୍ । ଭୋଟ୍ ମଇଦାନରେ ସପ୍ତରଥୀଙ୍କୁ ଧୂଳି ଚଟାଇଛନ୍ତି ଗୋବିନ୍ଦ । ରାସ୍ତା କଡ଼ରେ ନିଜର ଏଇ ଛୋଟିଆ ଚା’ ଦୋକାନରେ ବର୍ଷ ବର୍ଷ ଧରି ଗ୍ରାହକଙ୍କୁ ବହଳିଆ କ୍ଷୀରରେ ଚା ପିଆଇ ସଂପର୍କ ଓ ବିଶ୍ୱାସକୁ ଯେଉଁଭଳି ଗାଢ଼ା କରିଛନ୍ତି, ସେ ଫଳ ଆଜି ତାଙ୍କୁ ମିଳିଛି । ଶହେ କି ପଚାଶେ ନୁହେଁ ୬ଶହରୁ ଅଧିକ ଭୋଟ୍ରେ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ହରାଇଥିବା ଗୋବିନ୍ଦ କହିଛନ୍ତି ଯେ-ଭୋଟରଙ୍କ ଭଲପାଇବା ହିଁ ତାଙ୍କ ପାଇଁ ଥିଲା ସବୁଠୁ ବଡ଼ ପୁଞ୍ଜି । ସେଇଥିପାଇଁ ତ ତାଙ୍କ ବିଜୟରେ ଉତ୍ସବ ମନାଉଛନ୍ତି ଅଞ୍ଚଳବାସୀ ।
ସେମିତି ରାସ୍ତାକଡ଼ ପରିବା ବ୍ୟବସାୟୀରୁ ପଞ୍ଚାୟତ ମୁଖିଆ ହୋଇଥିବା ଆଉ ଜଣେ ଭାଗ୍ୟବାନ ହେଲେ ସୁନୀଲ ମୁଦୁଲି । ଖୋର୍ଦ୍ଧା ମଳିପଡ଼ାବାସୀ ଏଥର ଏଇ କ୍ଷୁଦ୍ର ଯୁବ ବ୍ୟବସାୟୀଙ୍କ ହାତରେ ଟେକି ଦେଇଛନ୍ତି ତାଙ୍କ ପଞ୍ଚାୟତର ବିକାଶର ଡୋରୀ । ଆଜି କାଲିକା ବ୍ୟୟ ବହୁଳ ନିର୍ବାଚନରେ ମୋଟେ ଭାଗ ନେବାକୁ ଇଚ୍ଛା କରୁନଥିଲେ ସୁନୀଲ ଏମିତିକି ତାଙ୍କ ବିରୋଧରେ ରଣାଙ୍ଗନରେ ଯେଉଁ ସପ୍ତରଥୀ ଥିଲେ, ସମସ୍ତେ ଲକ୍ଷ ଲକ୍ଷ ଟଙ୍କା ବି ଖର୍ଚ୍ଚ କରିଥିଲେ, ହେଲେ ତାଙ୍କ ପ୍ରତି ନିଜ ଗାଁ ଲୋକଙ୍କର ଥିବା ଏକନିଷ୍ଠ ଭରସା ହିଁ ତାଙ୍କୁ ବିଜୟ ଟିକା ପିନ୍ଧାଇଲା ବୋଲି ସେ କହିଛନ୍ତି । ତାସହ ଆଗକୁ ଆସୁଥିବା ପୌର ନିର୍ବାଚନରେ ପ୍ରାର୍ଥୀଙ୍କୁ ବି ଏକ ବଡ଼ ସନ୍ଦେଶ ଦେଇ କହିଛନ୍ତି, ଟଙ୍କା ବଳରେ ଭୋଟରଙ୍କୁ କିଣନି ବରଂ ସେମାନଙ୍କ ମନ ଜିଣ ।
ଏଠି ରାସ୍ତା କଡ଼ ପରିବା ଦୋକାନରେ ସ୍ୱାମୀଙ୍କୁ ଟିକେ ସାହାଯ୍ୟ କରୁଥିବା ଏ ମହିଳା ଜଣକ ବି ଜଣେ ନବନିର୍ବାଚିତ ସରପଞ୍ଚ ଧାମନଗର ବ୍ଲକ କୋଠାର ପଞ୍ଚାୟତରୁ ଜିତିଛନ୍ତି । ନାଁ ତାଙ୍କର ମହେଶ୍ୱତା ମହାଳିକ ଲକଡାଉନ୍ ସଟ୍ଡାଉନ୍ ବେଳେ ବହୁତ ଅସୁବିଧାରେ ଥିଲେ, ହେଲେ ଲୋକଙ୍କୁ ଛୋଟମୋଟ ସାହାଯ୍ୟ କରିବାକୁ ଭୁଲୁନଥିଲେ । ପଞ୍ଚାୟତ ନିର୍ବାଚନ ଆସିଲା,ଆସନ ସଂରକ୍ଷିତ ହେବା ପରେ ଲୋକେ ତାଙ୍କୁ ପ୍ରାର୍ଥୀ ହେବାକୁ ଅନୁରୋଧ କଲେ । ତାଙ୍କ ସ୍ଥିତି ଯାହା, ବିନା ଟଙ୍କାରେ ନିର୍ବାଚନ ଲଢ଼ିବା ଅସମ୍ଭବ ବୋଲି ଶୁଣାଇ ଦେଇଥିଲେ, ହେଲେ ଭୋଟର କିନ୍ତୁ ତାଙ୍କୁ ଦେଇଥିଲେ ବିନା ସ୍ୱାର୍ଥରେ ଜିତାଇବାର ପ୍ରତିଶ୍ରୁତି । ଯାହା ସତ ପ୍ରମାଣିତ ହେଲା ମହେଶ୍ୱତା କହିଛନ୍ତି-ସେ ଗରିବ, ତେଣୁ ଗରିବଙ୍କ ପାଇଁ ଆସୁଥିବା ଯୋଜନାର ଯେମିତି ସଫଳ ରୂପାୟନ ହେବ ତାକୁ ଦେବେ ପ୍ରାଧାନ୍ୟ ଭୋଟର ବି କହୁଛନ୍ତି । ଜଣେ ମହିଳା ହୋଇ ମହିଳାଙ୍କ କଥା ଆଗ ବୁଝିବେ ମହେଶ୍ୱତା।
ଏ ବିଜୟୀ ସରପଞ୍ଚ ମାନଙ୍କୁ ଦେଖିଲେ ଠିକ୍ ମନେ ହେଉଛି ପଞ୍ଚାୟତ ନିର୍ବାଚନବେଳେ ଅନେକ ଜାଗାରେ ଭୋଟର ଅର୍ଥ-ମଦ ଓ ଭୋଜିରେ ଭାସିଥିଲେ ବି ବାଛିଛନ୍ତି କିନ୍ତୁ ଉପଯୁକ୍ତ ପ୍ରାର୍ଥୀ।
ରିପୋର୍ଟର- ବିନିକାରୁ ଦିଲିପ ସାହୁ, ମଳିପଡ଼ାରୁ ନିରଞ୍ଜନ ରେଡ୍ଡୀ ଓ ଭଦ୍ରକରୁ ପାର୍ଥସାରଥୀ ନାୟକ
from Latest Odisha News, Breaking News Today | Top Updates on Corona - OTV News https://ift.tt/0Uw3glJ
No comments: