କାହାକୁ ଦେବେ କାହାକୁ ଫେରାଇବେ, ସବୁ ଦଳଙ୍କ ପାଇଁ ଚ୍ୟାଲେଞ୍ଜ Otv Khabar Bureau

ପଞ୍ଚାୟତ ପରେ ପରେ ପୌର ପାଇଁ ଜୋର ଧରିଲା ରାଜନୈତିକ ଦଳଙ୍କ କସରତ । ଏଥର ପୌର ନିର୍ବାଚନରେ ଦଳ କାହା ଉପରେ ଭରଷା କରିବ, ଆଉ କାହାକୁ ଲଢ଼ିବାକୁ ସୁଯୋଗ ଦେବ, ତାକୁ ନେଇ ଚାଲିଛି ଜୋରଦାର ଅଙ୍କକଷା । ତେଣେ ନିଜକୁ ଦାବିଦାର ଭାବି ଦଳୀୟ ନେତାଙ୍କ ଘର ଆଗରେ କର୍ମୀ, ସମର୍ଥକଙ୍କୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଶାସକ ବିଜେଡିଠୁ ଆରମ୍ଭ କରି ବିଜେପି ଓ କଂଗ୍ରେସରେ ବି ଏକାଧିକ ଆଶାୟୀ ଥିବାରୁ ସେମାନଙ୍କୁ ମ୍ୟାନେଜ୍ କରିବା ଏବେ ସବୁ ଦଳ ପାଇଁ ଚ୍ୟାଲେଞ୍ଜ୍ ପାଲଟିଛି ।

ପଞ୍ଚାୟତ ପରେ ଜମି ଆସୁଛି ପୌର ନିର୍ବାଚନ ଉଷ୍ମତା । ଗୋଟେ ପଟେ ନାମାଙ୍କନ ତ ଅନ୍ୟପଟେ ଦଳୀୟ ନେତାଙ୍କ ଘର ଆଗରେ ଆଶାୟୀଙ୍କ ଖଚାଖଚ ଭିଡ଼ । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସରକାରୀ ବାସଭବନଙ୍କ ଘର ଆଗରେ ଭିଡ ଦେଖିବାକୁ ମିଳିଛି । ଆଜି ସକାଳୁ ଦିନ ତମାମ ଏମିତି କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ଡେରା ପକାଇଥିଲେ । କର୍ପୋରେଟର ଟିକେଟ୍ ପାଇବାକୁ ଥିବା ଆଶାୟୀ ପ୍ରାର୍ଥୀ ଭିଡ଼ ଏତେ ଅଧିକ ଥିଲା ଯେ, ନିୟନ୍ତ୍ରଣ କରିବାକୁ ପୋଲିସ ସାହାରା ନେବାକୁ ପଡ଼ିଥିଲା ।

ଏପଟେ ରାଜଧାନୀ ରାଜନୀତିର ଅନ୍ୟ ପାୱାର ସେଣ୍ଟର ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତନାରାୟଣ ଜେନାଙ୍କ ଘରେ ବି ଦୈନିକ ଲାଗି ରହୁଛି । ଏମିତି ଗହଳି ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଶିବିରରେ ବିଜେଡି ଭଳି ଉତ୍ସାହ ନଥିଲେ ବି, ଟିକେଟ୍ ଲବି ପାଇଁ ଦଳୀୟ ନେତାଙ୍କ ଘର ଆଗରେ କର୍ମୀ ସମର୍ଥଙ୍କକୁ ଧରି ଅହରହ ଚକ୍କର କାଟୁଛନ୍ତି ଆଶାୟୀ ପ୍ରାର୍ଥୀ । ତା ଭିତରେ ଦଳ କାହାକୁ ବିଶ୍ୱାସ କରିବ, ଆଉ କାହାକୁ ଦାୟିତ୍ୱ ଦେବ, ତାକୁ ନେଇ ଲାଗି ରହିଛି ଛକାପଞ୍ଝା ।

 

ଏପଟେ ପୌର ର୍ନିବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲେ ବି ଶାସକ ବିଜେଡି ହେଉ କି ବିରୋଧୀ ବିଜେପି କିମ୍ବା କଂଗ୍ରେସ, କେଉଁ ଦଳର ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇପାରିନି । ଭୁବନେଶ୍ବରର ୬୭ଟି ଯାକ ୱାର୍ଡରୁ ବିଜେଡିର ଏକାଧିକ ଆଶାୟୀ ଲବି କରୁଥିବାରୁ ଅଡୁଆରେ ପଡିଛି ଦଳ । ସବୁ ଆଶାୟୀଙ୍କୁ ମ୍ୟାନେଜ କରିବା ନେତାଙ୍କ ପାଇଁ ଚାଲେଞ୍ଜ ପାଲଟିଛି । ତେବେ ବିଜେଡି ଟିକେଟ୍ କାହାକୁ ମିଳିବ, ସେ ନିଷ୍ପତ୍ତି ଦଳ ତିନି ବିଧାୟକଙ୍କ ଉପରେ ନ୍ୟସ୍ତ କରିଥିବାରୁ ସେମାନେ ବି ଚାପରେ ।

ସେହିପରି ବିଜେପିର ଟିକେଟ୍ ବଣ୍ଟା ଦାୟିତ୍ୱର ମଙ୍ଗ ଧରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷ଼ଡଙ୍ଗୀ । ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି ଜିଲ୍ଲା ସଭାପତି ବାବୁ ସିଂହ, ବରିଷ୍ଠ ନେତା ହରେକୃଷ୍ଣ ଖୁଣ୍ଟିଆ ଓ ଜଗନ୍ନାଥ ପ୍ରଧାନ । ସେପଟେ କଂଗ୍ରେସର ପ୍ରାର୍ଥୀ ଚୟନର ଦାୟିତ୍ୱ ବିଧାୟକ ସୁରେଶ ରାଉତରାୟ ଓ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ ଉପରେ ନ୍ୟସ୍ତ ହୋଇଛି । ପୁରୁଖାଙ୍କ ସ୍ଥାନରେ ନୂଆଙ୍କୁ ଟିକେଟ ମିଳିଲେ ବିଦ୍ରୋହୀ ସୃଷ୍ଟି ହେବା ଆଶଙ୍କା ଥିବାରୁ ମାପି ଚୁପି ନିଷ୍ପତ୍ତି ନେଉଛନ୍ତି ସବୁ ଦଳ ।

ତେବେ ଆଉ ଦିନେ କିମ୍ବା ଦୁଇ ଦିନ ଭିତରେ ରାଜଧାନୀର ଟିକେଟ୍ କସରତ କାମ ଶେଷ ହେବା ସହ ସବୁ ଦଳର ଚିତ୍ର ବି ସ୍ପଷ୍ଟ ହେବା ଅନୁମାନ କରାଯାଉଛି । ଆଉ ତା ଭିତରେ ସବୁ ଦଳର କିଛି ଅସନ୍ତୁଷ୍ଟ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଦଳ ଡିଆଁ ପର୍ବର ସମ୍ଭାବନା ଜଳଜଳ ଦେଖାଯାଉଛି ।

ରିପୋର୍ଟର- ଜଗଦୀଶ ଦାସ



from Latest Odisha News, Breaking News Today | Top Updates on Corona - OTV News https://ift.tt/2CHcnKm
କାହାକୁ ଦେବେ କାହାକୁ ଫେରାଇବେ, ସବୁ ଦଳଙ୍କ ପାଇଁ ଚ୍ୟାଲେଞ୍ଜ Otv Khabar Bureau କାହାକୁ ଦେବେ କାହାକୁ ଫେରାଇବେ, ସବୁ ଦଳଙ୍କ ପାଇଁ ଚ୍ୟାଲେଞ୍ଜ Otv Khabar Bureau Reviewed by SUBHENDU BARAL on March 03, 2022 Rating: 5

No comments:

Powered by Blogger.