ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍ : ଧଳା ଜର୍ସିରେ ବିରାଟ ଖେଳିବେ ୧୦୦ ତମ ମ୍ୟାଚ୍

ଚଣ୍ଡୀଗଡ଼,୦୪/୦୩: ଶୁକ୍ରବାର ଖେଳାଯିବ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ସିରିଜର ପ୍ରଥମ ଟେଷ୍ଟ ଭାରତୀୟ ଦଳ ପାଇଁ ବହୁତ ଖାସ । କାରଣ ଏହି ମ୍ୟାଚ୍ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ୧୦୦ ତମ ଟେଷ୍ଟ୍ ହେବ । ମ୍ୟାଚ୍ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତିରେ ବ୍ୟସ୍ତ । ଭାରତ ସବୁ ବିଭାଗକୁ ଗୁରୁତ୍ୱ ଦେବା ସହ ଏକ ସନ୍ତୁଳିତ ଏକାଦଶ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି ।

ଗୁରୁବାର ଥିଲା ଅଭ୍ୟାସ ଶିବିରର ତୃତୀୟ ଦିନ । କୋହଲି ଓ ରୋହିତଙ୍କ ସମେତ ସମସ୍ତ ଭାରତୀୟ ଖେଳାଳି ଜୋରଦାର ଅଭ୍ୟାସ କରିଥିଲେ। ନେଟ୍ସରେ ବ୍ୟାଟିଂ କରିଥିଲେ ବ୍ୟାଟର୍ । ସେହିପରି ପେସ୍‌ ବୋଲର, ସ୍ପିନର, ଥ୍ରୋ ଡାଉନ୍‌ ଆଦି ପ୍ରାକ୍ଟିସ୍ କରିଥିଲେ ଖେଳାଳି। କୋହଲି ଓ ରୋହିତ ଦୀର୍ଘ ୧ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ । ଅଭ୍ୟାସ ବେଳେ ଉଭୟ ପରସ୍ପରକୁ ଉତ୍ସାହିତ କରିବାକୁ ମଧ୍ୟ ଭୁଲି ନଥିଲେ ।

ତେବେ କୋହଲି ବିଶ୍ୱର ୭୧ତମ ଖେଳାଳି ଭାବେ ୧୦୦ ଟେଷ୍ଟ ଖେଳିବାକୁ ଯାଉଛନ୍ତି । ଗତ ୭୦ଟି ଇନିଂସ (ସବୁ ଫର୍ମାଟ୍‌) ମଧ୍ୟରେ କୋହଲି ଶତକ ଅର୍ଜନ କରିପାରି ନାହାନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ୭୦ଟି ଶତକ ଅର୍ଜନ କରିସାରିଛନ୍ତି । ୧୦୦ତମ ଟେଷ୍ଟରେ ୭୧ତମ ଶତକ ଅର୍ଜନ କରି ମ୍ୟାଚକୁ ସ୍ମରଣୀୟ କରାଇବା ପାଇଁ କୋହଲି ମାନସିକ ସ୍ତରରେ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଅଭ୍ୟାସ ବେଳେ କୋହଲି ସମ୍ପୂର୍ଣ୍ଣ ଚାପମୁକ୍ତ ଥିବା ବାରି ହୋଇ ପଡ଼ିଥିଲା ।

ରୋହିତଙ୍କ ମଧ୍ୟ ଏହି ଟେଷ୍ଟ ସ୍ମରଣୀୟ ରହିବ । ୨୦୧୮ରେ ଟେଷ୍ଟ ଦଳରେ ଥାଇ ମଧ୍ୟ ଦ୍ୱାଦଶ ଖେଳାଳି ଭାବେ ଗ୍ରାଉଣ୍ଡ ଭିତରକୁ ପାଣି ବୁହାଉଥିବା ରୋହିତ ୪ବର୍ଷ ପରେ ଭାରତୀୟ ଦଳର ସବୁ ଫର୍ମାଟ୍‌ ଅଧିନାୟକ । ଟେଷ୍ଟ ଅଧିନାୟକ ଭାବେ ସେ ଶୁକ୍ରବାର ଦିନ ନୀଳ କୋଟ୍‌ ପିନ୍ଧି ଟସ୍‌ ପକାଇବାକୁ ଗ୍ରାଉଣ୍ଡ୍‌କୁ ଓହ୍ଲାଇବେ । କେବଳ ଟେଷ୍ଟ ଅଧିନାୟକ ଭାବେ ପଦାର୍ପଣ କରିବାକୁ ରୋହିତ ଆଗ୍ରହୀ ନୁହନ୍ତି । ଟେଷ୍ଟ ଅଧିନାୟକ ଭାବେ ବଡ ସ୍କୋର କରିବା ସହ ଦଳକୁ ବିଜୟୀ କରାଇବା ରୋହିତଙ୍କ ଲକ୍ଷ୍ୟ ।

ସାଧାରଣତଃ ନେଟ୍‌ସରେ ସ୍ୱଳ୍ପ ଅଭ୍ୟାସ କରୁଥିବା ରୋହିତ ୪୫ମିନିଟ୍‌ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ । ଏହି ସମୟ ମଧ୍ୟରେ ସେ ଦଳର ସବୁ ବୋଲରଙ୍କୁ ସାମ୍ନା କରିଥିଲେ । ଜଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କୁ ସାମ୍ନା କରିବା ବେଳେ ସେ ଧୈର୍ଯ୍ୟର ସହ ଅଫଷ୍ଟମ୍ପ ବାହାର ବଲ୍‌କୁ ଛାଡ଼ି ଚାଲିଥିଲେ । ନୂଆ ସ୍ପିନର ସୌରଭ କୁମାରଙ୍କୁ ପରଖିବାରେ ରୋହିତ ହେଳା କରିନଥିଲେ । ଅନ୍ୟ ଖେଳାଳିମାନେ ପରବର୍ତ୍ତୀ ସମୟରେ ବ୍ୟାଟିଂ ଅଭ୍ୟାସ କରିଥିଲେ ହେଁ ରୋହିତ ଓ କୋହଲିଙ୍କ ପ୍ରସ୍ତୁତି ସ୍ୱତନ୍ତ୍ର ରହିଥିଲା । ଦଳର ଦୁଇ ଷ୍ଟାର୍‌ ବ୍ୟାଟ୍ସମ୍ୟାନଙ୍କ ଅଭ୍ୟାସ ବାକି ଖେଳାଳି ମନୋବଳ ବଢ଼ାଇ ଦେଇଥିଲା ।

ସେହିପରି ଶ୍ରୀଲଙ୍କା ଟିମ୍ ମଧ୍ୟ ଟି୨୦ ସିରିଜ୍ ହାରିବା ପରେ ଟେଷ୍ଟ୍ ସିରିଜ୍ ବିଜୟ ଲକ୍ଷ୍ୟରେ ରହିଛି । ଦଳର ଖେଳାଳିମାନେ ନେଟରେ ଜୋରଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି ।



from Prameya News7 https://ift.tt/dFcvyx2
ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍ : ଧଳା ଜର୍ସିରେ ବିରାଟ ଖେଳିବେ ୧୦୦ ତମ ମ୍ୟାଚ୍ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍ : ଧଳା ଜର୍ସିରେ ବିରାଟ ଖେଳିବେ ୧୦୦ ତମ ମ୍ୟାଚ୍ Reviewed by SUBHENDU BARAL on March 03, 2022 Rating: 5

No comments:

Powered by Blogger.