ନୂଆଦିଲ୍ଲୀ: ଏବେ ପ୍ରୋସେସ୍ଡ ବା ପ୍ୟାକେଟ୍ ଚିକେନ୍ ଉପରେ ଲାଗିଲା ବ୍ୟାନ୍। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଏପରି ନଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଏନେଇ ସୋମବାର ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ଆଡ୍ଭାଇଜରୀ ଜାରି କରାଯାଇଛି।
ଆଜି ସକାଳେ ଦିଲ୍ଲୀର କେତେକ ସ୍ଥାନରେ ବାର୍ଡ ଫ୍ଲୁ ଭୂତାଣ ଚିହ୍ନଟ କରାଯାଇଛି। ଦିଲ୍ଲୀର ପକ୍ଷୀମଡ଼କ ପରେ ସେମାନଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ୍ ଆସିଛି।
ଏ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିଷୋଦିଆ କହିଛନ୍ତି “ ସଞ୍ଜୟ ହ୍ରଦରୁ ଯେଉଁ ପକ୍ଷୀମାନଙ୍କର ସାମ୍ପଲ ସବୁ ନିଆଯାଇଥିଲା। ସେସବୁ ପଜିଟିଭ୍ ଆସିଛି। ତେବେ ଆଉ କିଛି ସାମ୍ପଲର ରିପୋର୍ଟ ଆସିବା ବାକି ରହିଛି। ଉକ୍ତ ଅଞ୍ଚଳକୁ ସାନିଟାଇଜ୍ ମଧ୍ୟ କରାଯାଇଛି। ବାର୍ଡ ଫ୍ଲୁ କୁ ରୋକିବା ପାଇଁ ସରକାର ସବୁ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ତେଣୁ ଏଥିରେ ଭୟଭୀତ ନହେବାକୁ ସାଧାରଣ ଲୋକଙ୍କୁ ମୁଁ ଅନୁରୋଧ କରୁଛି।”
ମନୀଷ ଆହୁରି ମଧ୍ୟ କହିଛନ୍ତି ଯେ “ବାହାରୁ ଦିଲ୍ଲୀକୁ ଆସୁଥିବା ଫ୍ରୋସେସ୍ଡ ଚିକେନ୍ ଉପରେ କଟକଣା ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଯେଉଁମାନେ ଚିକେନ୍ ଓ ଅଣ୍ଡା ଖାଉଛନ୍ତି ସେମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଏହାକୁ ଭଲଭାବରେ ସିଝାଇ ଖାଇଲେ ସଂକ୍ରମଣ ହେବ ନାହିଁ।”
ସୂଚନା ଅନୁସାରେ ଦିଲ୍ଲୀରେ ୮ଟି ସାମ୍ପଲ ନିଆଯାଇଥିଲା। ସେଥିମଧ୍ୟରୁ ମୟୂର ବିହାର ଫେଜ୍-୩ରୁ ୪ଟି, ସଞ୍ଜୟ ଲେକ୍ରୁ ୩ଟି ଏବଂ ଗୋଟିଏ ଦ୍ୱାରକାରୁ ସଂଗ୍ରହ କରାଯାଇଥିଲା। ଏହି ସମସ୍ତ ସାମ୍ପୁଲ ରିପୋର୍ଟ ପଜିଟିଭ ଆସିଛି। ଏନେଇ ପଶୁପାଳନ ୟୁନିଟ୍ର ଡ. ରାକେଶ ସିଂହ ସୂଚନା ଦେଇଛନ୍ତି।
ଗତ କିଛିଦିନ ହେବ ସଞ୍ଜୟ ହ୍ରଦରେ ଅନେକ ବତକ ମରିପଡ଼ୁଥିବାର ଦେଖାଯାଇଥିଲା। କେବଳ ରବିବାର ସକାଳେ ୧୭ଟି ବତକ ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ପକ୍ଷୀମାନଙ୍କର ସାମ୍ପଲ ସଂଗ୍ରହ କରାଯାଇଥିଲା। ଏହାପରେ ସଞ୍ଜୟ ଲେକ୍ ଅଞ୍ଚଳକୁ ସତର୍କ ଅଞ୍ଚଳ ବୋଲି ଘୋଷଣା କରିବାକୁ ବିବାଗୀୟ କର୍ମକର୍ତ୍ତମାନେ ଦାବି କରିଛନ୍ତି।
କରୋନା ଏପର୍ଯ୍ୟନ୍ତ ଦେଶରୁ ଯାଇନଥିବା ବେଳେ ଏବେ ବାର୍ଡ ଫ୍ଲୁ ଚିନ୍ତା ବଢ଼ାଇଲାଣି। ଦେଶର ୯ଟି ରାଜ୍ୟକୁ ଏହି ଭୂତାଣୁ ବ୍ୟାପିଲାଣି। ନିକଟରେ ଉତ୍ତର ପ୍ରଦେଶରେ ଚିଡିଆଖାନାରେ ଫ୍ଲୁ ଚିହ୍ନଟ ହେବା ପରେ ଲକ୍ଷ୍ନୌରେ ଭୟର ବାତାବରଣ ଦେଖାଦେଇଛି।
ନୂଆ ରାଜ୍ୟ ଭାବେ ଉତ୍ତର ପ୍ରଦେଶରେ ପାଦ ଥାପିଛି ମାରାତ୍ମକ ବାର୍ଡ ଫ୍ଲୁ, ଏଠି ଚିଡ଼ିଆଖାନାରେ ମୃତ ପକ୍ଷୀମାନଙ୍କର ସାମ୍ପଲ ପଜିଟିଭ ଆସିଛି। ଏହା ବାଦ୍ ଦିଲ୍ଲୀ ଓ ମାହାରଷ୍ଟ୍ରରେ ବି ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଏହାପୂର୍ବରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାତ, ହିମାଚଳ ପ୍ରଦେଶ, ହରିୟାଣା ଓ କେରଳରେ ବାର୍ଡ ଫ୍ଲୁ କେସ୍ ସାମ୍ନାକୁ ଆସିଛି। ତେବେ ଓଡ଼ିଶାରେ ଏବେ ବି ବାର୍ଡ ଫ୍ଲୁ ଚିହ୍ନଟ ନେଇ କୌଣସି ଖବର ଆସିନାହିଁ।
The post ପ୍ୟାକେଟ୍ ଚିକେନ୍ ଉପରେ ଲାଗିଲା ବ୍ୟାନ: ୯ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ appeared first on OTV Khabar..
from OTV Khabar. https://ift.tt/3sh2Gf3
No comments: