ଶ୍ରୀମନ୍ଦିରକୁ ୩ ହଳ ସୁବର୍ଣ୍ଣ ସୂର୍ଯ୍ୟଚନ୍ଦ୍ର ଦାନ : ପ୍ରାୟ ୩୧୯ ଗ୍ରାମ ସୁନା ଏବଂ ୮୨୨ ଗ୍ରାମ ରୁପା ହୋଇଛି ବ୍ୟବହାର Kanak News

କନକ ବ୍ୟୁରୋ : କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ଜଗାର ଦୁଆର ଭକ୍ତଙ୍କ ପାଇଁ ଅପହଂଚ ହୋଇପଡ଼ିଥିଲା । ହେଲେ ଏବେ ଜଗାର ଦର୍ଶନ ପାଇଁ ସୁଯୋଗ ପରେ ଭକ୍ତଙ୍କ ମନରେ ଅପୂରବ ଆନନ୍ଦ । ମହାପ୍ରଭୁଙ୍କୁ ଟିକେ ଆଖିପୁରେଇ ଦେଖିବାକୁ କାହିଁ କେତେ ଦୂରରୁ ଭକ୍ତ ଛୁଟିଆସୁଛି ଶ୍ରୀମନ୍ଦିର । ଖାଲି ଏତିକି ନୁହେଁ ମହାପ୍ରଭୁଙ୍କୁ ଭେଟିଦେବାକୁ ଭକ୍ତ କିଏ କେତେ କ’ଣ ଧରି ଆସୁଛି । ରବିବାର ଶ୍ରୀମନ୍ଦିରକୁ ଜଣେ ବ୍ୟକ୍ତି ୩ ସେଟ୍ ସୁବର୍ଣ୍ଣ ସୂର୍ଯ୍ୟଚନ୍ଦ୍ର ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଭୁବନେଶ୍ୱରର ପଦ୍ମଚରଣ ପାତ୍ର ନିଜ ପରିବାର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଦାନ କରିଛନ୍ତି । ୩ ହଳ ସୂର୍ଯ୍ୟ-ଚନ୍ଦ୍ରରେ ପ୍ରାୟ ୩୧୯ ଗ୍ରାମ ସୁନା ଏବଂ ୮୨୨ ଗ୍ରାମ ରୁପା ବ୍ୟବହାର ହୋଇଛି । ପରବର୍ତୀ ସମୟରେ ତିନି ଠାକୁରଙ୍କୁ ଏହି ନୂତନ ସୂର୍ଯ୍ୟ-ଚନ୍ଦ୍ର ଲାଗି ହେବ ।
ପୂର୍ବରୁ ଭୁବନେଶ୍ବରର ଭକ୍ତ ଶିବପ୍ରସାଦ ପଣ୍ଡା ମହାପ୍ରଭୁଙ୍କ ପାଇଁ ୨୧ କେଜି ରୁପା ଦାନ କରି ଚର୍ଚ୍ଚାରେ ରହିଥିଲେ। ଶ୍ରୀ ପଣ୍ଡା ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ଅଧିଷ୍ଠିତ ଭୂଦେବୀ, ଶ୍ରୀଦେବୀ ଏବଂ ଦକ୍ଷିଣି ଘରେ ବିଜେ ମଦନମୋହନଙ୍କ ନୂତନ ପ୍ରଭା ନିର୍ମାଣ ପାଇଁ ଏହି ରୁପା ଦାନ କରିଥିଲେ । ସୂଚନାଯୋଗ୍ୟ, ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବେଳେ ଲାଗି ବେଶରୁ ଚନ୍ଦ୍ର-ସୂର୍ଯ୍ୟ ଚୋରି ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଶ୍ରୀମନ୍ଦିର ପ୍ରଶାସନ ଆଗୋଚରରେ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଏହାକୁ ବେଶରୁ କାଢ଼ି ନେଇଥିଲେ। ଏଥିପାଇଁ ସ୍ବତନ୍ତ୍ର ତଦନ୍ତ ବି ହୋଇଥିଲା। ଭିଡିଓ ରେକର୍ଡିଂ ଜରିଆରେ ବେଶର ଦାତା, ବେଶ କାରିଗରଙ୍କ ସହ ଅନ୍ୟମାନଙ୍କ ବୟାନ ରେକର୍ଡ଼ କରାଯାଇଥିଲା। ପରେ ଏହା ତାଲିକା ବାହାରେ ତିଆରି କରାଯାଇଥିବା ନୀତି ପ୍ରଶାସକ ସ୍ପଷ୍ଟ କରିଥିଲେ।
from Kanak News https://ift.tt/3i0YfjD https://ift.tt/2XvZPAN
Reviewed by SUBHENDU BARAL
on
January 10, 2021
Rating:
No comments: