ଭଞ୍ଜନଗର: ଲୋମଟାଙ୍କୁରା ହତ୍ୟାକାଣ୍ଡ। ପ୍ରମାଣ ନଷ୍ଟ ପାଇଁ ସାଂଘାତିକ ଷଡ଼ଯନ୍ତ୍ର। ମାସକ ତଳର ହତ୍ୟାକାଣ୍ଡରେ କେହି ପାଇପାରିଲେନି ଟେର୍। ନା ପରିବାର ଲୋକେ ନା ସମ୍ପର୍କୀୟ, ନା ସାଙ୍ଗସାଥୀ। ବାଲେଶ୍ୱର ଅଞ୍ଚଳରୁ ଆସିଥିବା ଯୁବତୀଙ୍କୁ ରାଜଧାନୀରେ ହତ୍ୟା କରି ଫିଲ୍ମ ଷ୍ଟାଇଲ୍ରେ ଗଞ୍ଜାମରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ମାସେ ତଳେ ଘଟିଥିବା ଏହି ଅପରାଧର ଏବେ ଖୁଲାସା କରି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ଗଞ୍ଜାମ ପୋଲିସ୍। ଭୁବନେଶ୍ୱର ଭରତପୁର ଅଞ୍ଚଳରେ ମାନସ ରଞ୍ଜନ ପାଇକରାୟ ଏବଂ ସରୋଜିନୀ ସାହୁଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ ବାଲେଶ୍ୱରର ଏହି ଯୁବତୀ ଜଣକ। ଉଭୟେ ତାଙ୍କୁ ମାନସିକ ସହ ଶାରୀରିକ ନିର୍ଯାତନା ଦେଉଥିଲେ। କଥା ନଶୁଣିବାରୁ ଯୁବତୀଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ଉଭୟେ। ଏଥିରେ ତାଙ୍କର ମୃତ୍ୟୁ ହୋଇଯିବା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲେ ମାନସ ଓ ସରୋଜିନୀ। ଯୋଜନା ମୁତାବକ ଭଡ଼ା କାର୍ରେ ଭରତପୁରରୁ ମୃତଦେହ ନେଇ ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଭୂଷଣ୍ଢପାଳ ଛକ ନିକଟରେ ଫିଙ୍ଗିଦେଇଥିଲେ। ଡିସେମ୍ବର ୨ରେ ମୃତଦେହକୁ ଜବତ କରି ପୋଲିସ ଆରମ୍ଭ କରିଥିଲା ତଦନ୍ତ।
ପ୍ରାଥମିକ ତଦନ୍ତରେ କୌଣସି ସୁରାକ୍ ପାଇନଥିବା ଗଞ୍ଜାମ ପୋଲିସ ମୃତଦେହ ନିକଟରୁ ପାଇଥିଲା ଏକ ମୋବାଇଲ୍ ନମ୍ବର। ସେହି ନମ୍ବରକୁ ଟ୍ରାକିଂ କରି ପୋଲିସ ୫ଟି ଟିମ୍ ଗଠନ କରି ତଦନ୍ତ ଆଗକୁ ବଢ଼ାଇଥିଲା। ଫୋନ୍ ନମ୍ବରରୁ କିଛି ତଥ୍ୟ ମିଳିବା ପରେ ହଜାରେରୁ ଅଧିକ ହ୍ୱାଟ୍ସଆପ୍ ନମ୍ବରକୁ ମୃତ ଯୁବତୀଙ୍କ ଫଟୋ ପଠାଇଥିଲା ଗଞ୍ଜାମ ପୋଲିସ। ଶେଷରେ ଭୁବନେଶ୍ୱରର ଜଣେ ବ୍ୟକ୍ତି ମୃତ ଯୁବତୀଙ୍କୁ ଚିହ୍ନିବା ପରେ ସବୁ ରହସ୍ୟ ଖୋଲିବା ସହ ହତ୍ୟାର କାରଣ ଏବଂ ହତ୍ୟାକାରୀଙ୍କ ନିକଟରେ ପୋଲିସ ପହଞ୍ଚିଥିଲା। ଏମାନେ ହେଉଛନ୍ତି ସେହି ଅପରାଧର ମାଷ୍ଟରମାଇଣ୍ଡ ମାନସ ରଞ୍ଜନ ପାଇକରାୟ ଏବଂ ସରୋଜିନୀ ସାହୁ। ଯାହାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଉଭୟଙ୍କ ନିକଟରୁ ୬ଟି ମୋବାଇଲ ଓ ମୃତଦେହ ଫିଙ୍ଗିବା ପାଇଁ ବ୍ୟବହାର କରାଯାଇଥିବା ଭଡ଼ା କାର୍କୁ ଜବତ କରିଛି।
ଜଗନ୍ନାଥପ୍ରସାଦ ପୋଲିସ୍ ଷ୍ଟେସନ୍ରେ ୨୮୪/୨୦୨୦ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା। ସେଠାରେ ଗୋଟିଏ ଯୁବତୀର ମୃତଦେହ ପଡ଼ିଥିଲା। ଏନେଇ ପୋଲିସର ୫ଟି ଟିମ୍ ଗଠନ କରାଯାଇ ତଦନ୍ତ ଚାଲୁ ରହିଥିଲା। ଅନେକ ପୋଲିସ୍ ଷ୍ଟେସନରେ ଆମେ ଯୋଗାଯୋଗ କରିଥିଲେ ବି ଏ ନେଇ କୌଣସି ସୂଚନା ମିଳିନଥିଲା। ମୃତ ଯୁବତୀଙ୍କ ନିକଟରୁ ମିଳିଥିବା କିଛି ତଥ୍ୟକୁ ଭିତ୍ତି କରି ଆମେ କିଛି ପ୍ରମାଣ ପାଇଥିଲୁ। ତାଙ୍କର ଭୁବନେଶ୍ୱରରେ ଲିଙ୍କ୍ ଥିବା ଆମେ ସନ୍ଧାନରୁ ପାଇଥିଲୁ। ସେ ଜଣଙ୍କ ଘରେ କାମ କରୁଥିଲେ। ସେଠାରେ ସେ ନିର୍ଯାତନାର ଶିକାର ହୋଇଥିଲା। ମାରପିଟ୍ କରିବା ସମୟରେ ତାର ମୃତ୍ୟୁ ହୋଇଥିଲା। ଧରାପଡ଼ିବା ଭୟରେ ଦମ୍ପତି ମୃତଦେହକୁ ଅନ୍ୟତ୍ର ଫିଙ୍ଗି ଦେଇଥିଲେ।
-ବ୍ରିଜେଶ ରାୟ, ଏସ୍ପି, ଗଂଜାମ
ତେବେ ମାଡ଼ ମାରିବା ଭିତରେ ହଠାତ୍ ମୃତ୍ୟୁ ହୋଇଯାଇଛି ନା ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି ହତ୍ୟା? ଯଦି ଉଦ୍ଦେଶ୍ୟମୂଳକ ହତ୍ୟା କରାଯାଇଥାଏ,ତାହେଲେ ନିର୍ଦ୍ଦିଷ୍ଟ କାରଣ କଣ ? ଗିରଫ ମାନସ ରଞ୍ଜନ ଏବଂ ସରୋଜିନୀଙ୍କ ମଧ୍ୟରେ ଅସଲ ସମ୍ପର୍କ କଣ? ଏସବୁ ଦିଗକୁ ଧରି ତଦନ୍ତ କରିବା ସହ ବାଲେଶ୍ୱରରେ ରହୁଥିବା ମୃତ ଯୁବତୀଙ୍କ ବାପାଙ୍କୁ ଡକାଇଛି ଗଞ୍ଜାମ ପୋଲିସ୍।
ଭଞ୍ଜନଗରରୁ ରାଜେଶ ପଣ୍ଡାଙ୍କ ରିପୋର୍ଟ
The post ପ୍ରମାଣ ନଷ୍ଟ ପାଇଁ ସାଂଘାତିକ ଷଡ଼ଯନ୍ତ୍ର, ମୋବାଇଲ ନମ୍ବର କହିଦେଲା ହତ୍ୟାକାରୀ କିଏ! appeared first on OTV Khabar..
from OTV Khabar. https://ift.tt/3nzpnrd
Reviewed by SUBHENDU BARAL
on
January 11, 2021
Rating:
No comments: