ପୁରୀ/ନୟାଗଡ଼ ୧୨।୦୧: ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ନିମନ୍ତେ ପୁରୀ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ନୟାଗଡରେ ପହଞ୍ଚିଛି । ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ସୋମବାର ରାତିରେ ନୟାଗଡରେ ପହଞ୍ଚିଛନ୍ତି । ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ , ଅମିନ ମହାରଣା ଲକ୍ଷ୍ମୀଧର ମହାପାତ୍ର , ଭୋଇ ସର୍ଦ୍ଦ।ର ରବି ଭୋଇ ଆସିଛନ୍ତି । ଆଜି ଜିଲ୍ଲାର ଗଣିଆ ବଡମୁଳସ୍ଥିତ ମାଆ ବଡରାଉଳଙ୍କ ପୀଠରେ ପୂଜାର୍ଚ୍ଚନା ପରେ ରଥକାଠ କଟା ଅନୁକୁଳ ହେବ ।
ଚଳିତ ବର୍ଷ ରଥଯାତ୍ରା ରଥ ନିର୍ମାଣ ପାଇଁ ୮୬୫ଖଣ୍ଡ କାଠ ଆବଶ୍ୟକ ହେଉଛି । ତେବେ ଏଥର ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗତବର୍ଷର ୬୯ ଖଣ୍ଡ କାଠ ବଳକା ରହିଥିବାରୁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଥିବା ନୀତି ପ୍ରଶାସକ କହିଛନ୍ତି । ସେଥିମଧ୍ୟରୁ ବିଭିନ୍ନ ମାପର ୪୦୧ ଖଣ୍ଡ ଧଉରା , ୩୨୦ ଖଣ୍ଡ ଅଶନ , ୭୨ ଖଣ୍ଡ ଫାଶି ଏବଂ ୩ ଖଣ୍ଡ ଶିମିଳି କାଠର ଆବଶ୍ୟକତା ରହିଛି ।
ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ନୟାଗଡ଼ ବନଖଣ୍ଡର ଦଶପଲ୍ଲା ବନାଞ୍ଚଳରୁ ଚଳିତବର୍ଷ ୨୦୦ରୁ ଅଧିକ ଖଣ୍ଡ କାଠ ଯୋଗାଇ ଦିଆଯିବ । ତେବେ ବର୍ତ୍ତମାନ ସୁଦ୍ଧା ୧୨୮ ଖଣ୍ଡ କାଠ ଚିହ୍ନଟ ସରିଛି । ଏହି କାଠ ଦଶପଲ୍ଲା ବନାଞ୍ଚଳର ଚଢେୟାପଲ୍ଲି , ବାଣିଗୋଛା , ସାକେଣି , ଟାକେରା ଆଦି ଫରେଷ୍ଟ ଅଞ୍ଚଳରୁ ସଂଗ୍ରହ କରାଯାଇଥାଏ । ଅନ୍ୟ କାଠ ଗୁଡିକ ବୌଦ୍ଧ ଏବଂ ଘୁମୁସର ବନଖଣ୍ଡରୁ ସଂଗ୍ରହ କରାଯିବ ବୋଲି ଡିଏଫଓ କହିଛନ୍ତି ।
ତିନିଠାକୁରଙ୍କ ରଥଯାତ୍ରା ପାଇଁ ରଥ ସଂହିତା ଆଧାର ଅନୂଯାୟୀ କେଉଁ ଆବାହମାନ କାଳରୁ ପ୍ରତିବର୍ଷ ନୟାଗଡ ବନଖଣ୍ଡରୁ କାଠ ଯୋଗାଇ ଦିଆଯାଉଛି । ପ୍ରଥମେ ରାଜାମାନେ କାଠ ଯୋଗାଇଆସୁଥିବା ବେଳେ ଦେଶ ସ୍ବାଧୀନ ପରେ ଏହି କାର୍ଯ୍ୟ ବନବିଭାଗ ତୁଲାଇ ଆସୁଛି । ଶ୍ରୀପଞ୍ଚମୀ ପୂର୍ବରୁ ପ୍ରଥମ ରଥକାଠ ପୁରୀ ରଥଖଳାରେ ପହଞ୍ଚିବାପାଇଁ ସମସ୍ତ ପ୍ରସ୍ତୁତି କରାଯାଉଥିବା ନୟାଗଡ ଡି.ଏଫ୍.ଓ କହିଛନ୍ତି ।
from Prameya News7 https://ift.tt/2LnrnG1

No comments: