ଗଞ୍ଜାମ ୦୨।୦୬: ପୃଥକ୍ ଘଟଣାରେ ବଜ୍ରପାତ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ୪ ଜଣ ଓ କନ୍ଧମାଳ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଚିକିଟି ବ୍ଲକ୍ରେ ଜଣେ ନାବାଳିକାଙ୍କ ଜୀବନ ଯାଇଛି । ସେହିପରି କନ୍ଧମାଳ ଜିଲ୍ଲାରେ ୨ ଜଣ ପ୍ରାଣ ହରାଇଛନ୍ତି ଓ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି ।
ସୋମବାର ଅପରାହ୍ଣରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ତାକରଡ଼ା ଗ୍ରାମର ନୀଳାଞ୍ଚଳ ଆଳତିଆ, ସନ୍ତୋଷ ଗୌଡ଼ ଏବଂ ବୁରୁଝୋଳା ଗ୍ରାମର ସୀମାଞ୍ଚଳ ପ୍ରଧାନ ପ୍ରାଣ ହରାଇଛନ୍ତି । ତାକରଡ଼ା ଗ୍ରାମର ବଳରାମ ଗୌଡ଼ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ସୋମବାର ପୂର୍ବାହ୍ନରେ ପ୍ରବଳ ଖରା ରହିଥିଲା । ମାତ୍ର ଅପରାହ୍ନରେ ପାଣିପାଗ ବଦଳି କଳାହାଣ୍ଡିଆ ମେଘ ମାଡ଼ି ଆସିଥିଲା । ଆରମ୍ଭ ହୋଇଥିଲା ବର୍ଷା ପବନ ସାଙ୍ଗକୁ ବଜ୍ରପାତ । ତାକରଡ଼ା ଗ୍ରାମର ନୀଳାଞ୍ଚଳ, ସନ୍ତୋଷ ଓ ବଳରାମ ଜମିକୁ କାମ କରିବାକୁ ଯାଇଥିଲେ । ବର୍ଷା ପବନ ହେବାରୁ ଡେଙ୍ଗାବାଡ଼ି ଗ୍ରାମର ଏକ ଦୋକାନ ବାରଣ୍ଡାରେ ଠିଆ ହୋଇଯାଇଥିଲେ । ସେମାନଙ୍କ ନିକଟରେ ବଜ୍ରାଘାତ ହେବାରୁ ସମସ୍ତେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ସାର୍ଥକ ସଙ୍କେତ ବିଶ୍ୱାଳ ନୀଳାଞ୍ଚଳ ଓ ସନ୍ତୋଷଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ବଳରାମଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ପଠାଯାଇଛି । ସେହିପରି ବୁରୁଝୋଳା ଗ୍ରାମର ସୀମାଞ୍ଚଳ ଝିଅର ଶାଶୂଘର ନାଗିରି ଗ୍ରାମକୁ ଯାଇଥିଲେ । ସେଠାରୁ ଚାଲି ଚାଲି ନିଜ ଗ୍ରାମକୁ ଫେରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ବୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ରେ ସୋମବାର ଅପରାହ୍ନରେ ବର୍ଷା ଓ ବଜ୍ରପାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଚିକିଟିଗଡ଼ କୁମ୍ଭାର ସାହିର ଭାସ୍କର ବେହେରାଙ୍କ ଝିଅ ନନ୍ଦିନୀ ବେହେରା(୧୭) । ନନ୍ଦିନୀ ମାମୁଘର ପାରସମାକୁ ଯାଉଥିଲା ବେଳେ ରାସ୍ତାରେ ବଜ୍ରାଘାତରେ ଅଚେତ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଚିକିଟିସ୍ଥିତ ସଚ୍ଚିଦାନନ୍ଦ ହସ୍ପିଟାଲ୍କୁ ଅଣାଯାଉଥିବା ବାଟରେ ପ୍ରାଣବାୟୁ ଉଡିଯାଇଥିଲା । ହସ୍ପିଟାଲ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତ ମଗମୁଣ୍ଡା ଗ୍ରାମରେ ବଜ୍ରାଘାତରେ ହୋଇ ଦାନାସିଂ କହଁରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁନି କହଁର ଓ ଧନଞ୍ଜୟ କହଁର ଗୁରୁତର ହୋଇଛନ୍ତି । ରବିବାର ସନ୍ଧ୍ୟା ୭ଟା ବେଳେ ଦାନାସିଂଙ୍କ ଘର ବାରଣ୍ଡାରେ ସମସ୍ତେ ବସି କଥାବାର୍ତ୍ତା ହେଉଥିଲେ । ବଜ୍ରପାତ ହେବାରୁ ତିନିଜଣ ଯାକ ଗୁରୁତର ହୋଇଥିଲେ । ଗ୍ରାମବାସୀ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଖବର କରିଥିଲେ ହେଁ ଗ୍ରାମକୁ ରାସ୍ତା ନଥିବାରୁ ଦମକଳ ଓ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚିବାରେ ୩ ଘଣ୍ଟା ବିଳମ୍ବ ହୋଇଥିଲା । ଗ୍ରାମବାସୀ ଗୁରୁତରଙ୍କୁ ଆମ୍ବୁଲାନ୍ସ ନିକଟକୁ ବୋହି ନେଇଥିଲେ । ପ୍ରଥମେ ସେମାନଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଓ ପରେ ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଦାନାସିଂଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟ ଦୁଇ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଫିରିଙ୍ଗିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ମୃତ ଶରୀର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ଚକାପାଦ ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣପାଦ ପଞ୍ଚାୟତର ଅର୍ଚ୍ଚାଙ୍ଗି ଗ୍ରାମରେ ସୋମବାର ଅପରାହ୍ଣ ୨ଟାରେ କାଳବୈଶାଖି ଓ ବଜ୍ରାଘାତରେ ସୁମନ୍ତ କୁମାର ବିଶୋୟୀ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଜଣକ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରାଘାତର ଶୀକାର ହୋଇଥିଲେ । ଏଥିସହିତ ସେହି ଗ୍ରାମର ୧୦ଟି ଗାଈ ଏକ ଗଛମୂଳେ ଚରୁଥିବା ବେଳେ ବଜ୍ରାଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଚକାପାଦ ଥାନା ଅଧିକାରୀ ଟି.ଟି.ବେହେରା ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିବାର ଓ ବଜ୍ରାଘାତରେ ଜୀବନ ହରାଇଥିବା ଗାଈଙ୍କ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି ।
from Prameya News7 https://ift.tt/2MhZ3le
No comments: