କେନ୍ଦୁଝର ୬/୩: ଫେବ୍ରୁଆରୀ ୨୮ ତାରିଖ ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ସାଇଁକୂଳ ଫାଣ୍ଡିର କନଷ୍ଟେବଳ ଗୋପାଳ ପ୍ରସାଦ ନାୟକ ଲାଞ୍ଚ କାରବାରରେ ଜଡ଼ିତ ହୋଇ ନିଲମ୍ବିତ ହେବା ପରେ ମଙ୍ଗଳବାର ପୁଲିସ ଦ୍ବାରା ଗିରଫ ହୋଇଥିଲେ । ବୁଧବାର ଅଭିଯୁକ୍ତ କନଷ୍ଟେବଳ ରାମଚନ୍ଦ୍ରପୁର ଥାନାରୁ ଚମ୍ପଟ ମାରିବା ଘଟଣା ଜିଲ୍ଲା ପୁଲିସ ପାଇଁ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ।
ସାଇଁକୂଳ ଫାଣ୍ଡିର କାର୍ଯ୍ୟରତ କନଷ୍ଟେବଳ ଗୋପାଳ ପ୍ରସାଦ ନାୟକ ଜଣେ ଯୁବକଙ୍କଠାରୁ ଲାଞ୍ଚ କାରବାର ପାଇଁ ମୋବାଇଲରେ କଥା ହେଉଥିଲେ । ଫେବ୍ରୁଆରୀ ୨୮ ତାରିଖରେ ଗୁହାଳିଆ ଗ୍ରାମର ଜଣେ ଯୁବକ ଜିତୁ ଜେନା କନଷ୍ଟେବଳକୁ ଡାକି ଲାଞ୍ଚ ଟଙ୍କା ଦେଉଥିବା ବେଳେ ଏହାର ଅଡିଓ ଓ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ଘୁରି ବୁଲିବା ପରେ ଏସ୍ପିଙ୍କ ନିକଟକୁ ମଧ୍ୟ ପହଞ୍ଚିଥିଲା । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଏସ୍ପି ପ୍ରାଥମିକ ତଦନ୍ତ କରିବା ପରେ ୧ ତାରିଖ ଅଭିଯୁକ୍ତ କନଷ୍ଟେବଳକୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ନିଲମ୍ବନ ସମୟରେ ତାଙ୍କୁ ଚମ୍ପୁଆ ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଉକ୍ତ ଘଟଣାରେ ଲାଞ୍ଚ ଦେଉଥିବା ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମଙ୍ଗଳବାର ନିଲମ୍ବିତ କନଷ୍ଟେବଳ ଗୋପାଳ ପ୍ରସାଦ ନାୟକଙ୍କୁ ଗିରଫ କରିବାକୁ ଏସ୍ପି ମିତ୍ରଭାନୁ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ରାମଚନ୍ଦ୍ରପୁର ପୁଲିସ ଅଭିଯୁକ୍ତ କନଷ୍ଟେବଳକୁ ଗିରଫ କରି ନିଜ ହେପାଜତରେ ରଖିଥିଲା । ବୁଧବାର ସକାଳୁ ଦାୟିତ୍ୱରେ ଥିବା ପୁଲିସକୁ ଚକ୍ମା ଦେଖାଇ ଗୋପାଳ ଫେରାର ହୋଇଯାଇଥିବା ସୂଚନା ମିଳିଛି । ପରିସ୍ରା ବାହାନରେ ସେ ଚମ୍ପଟ ମାରିଥିବା ବେଳେ ଥାନାର ଜଣେ କର୍ମଚାରୀ ଫେରାର ହେବାରେ ସହାୟତା କରିଥିବା ଚର୍ଚ୍ଚା ହେଉଛି ।
from Prameya News7 https://ift.tt/2TUFm6D
No comments: