କରୋନାର କୋକୁଆ ଭୟ : ବିଶ୍ବବିଦ୍ୟାଳୟ ଓ କଲେଜ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌ Kanak News

କନକ ବ୍ୟୁରୋ : କରୋନା ଭୂତାଣୁକୁ ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଓ ଏହା ଅଧୀନ ମହାବିଦ୍ୟାଳୟଗୁଡ଼ିକ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି । କୌଣସି ବି ପରିସ୍ଥିତିରେ କ୍ୟାମ୍ପସର ଗୋଟିଏ ସ୍ଥାନରେ ବହୁ ସଂଖ୍ୟାରେ ଏକାଠି ନ ହେବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଯଦି ବିଶ୍ବବିଦ୍ୟାଳୟର କୌଣସି ଶିକ୍ଷକ କିମ୍ବା ଛାତ୍ରଛାତ୍ରୀ ସିଓଭିଆଇଡି-୧୯ ପ୍ରଭାବିତ ଦେଶକୁ ଯାଇଥିବେ କିମ୍ବା ସେଠାକାର କୌଣସି ଲୋକଙ୍କ ସହ ୨୮ ଦିନ ସଂସ୍ପର୍ଶରେ ରହିବେ ତେବେ ସେମାନେ ୧୪ ଦିନ ପର୍ଯ୍ୟନ୍ତ ଘରେ ନଜରରେ ରହିବେ। କୌଣସି ବି ପରିସ୍ଥିତିରେ ପଦାକୁ ବାହାରିବେ ନାହିଁ। ଯଦି କୌଣସି ଛାତ୍ରଙ୍କଠାରେ କରୋନା ଭୂତାଣୁର ଲକ୍ଷଣ ଦେଖାଯାଏ ତେବେ ଅଧ୍ୟାପକମାନେ ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସା କରିବେ। ଡାକ୍ତରଙ୍କ ବିନା ଅନୁମତିରେ ସମ୍ପୃକ୍ତ ଛାତ୍ରଛାତ୍ରୀ କ୍ୟାମ୍ପସକୁ ଯି‌ବେ ନାହିଁ।

ନିୟମିତ ଭାବେ ସାବୁନ୍‌ ଓ ପାଣିରେ ହାତ ଧୋଇବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। କାଶିବା ଓ ଛିଙ୍କିବ‌ା ସମୟରେ ମୁହଁରେ ଟିସୁ/ରୁମାଲ ଦେବା, ଟିସୁକୁ ଡଷ୍ଟବିନ୍‌ରେ ପକାଇବା ସହ ହାତକୁ ଭଲ ଭାବେ ଧୋଇବା, ଆଖି, କାନ, ନାକକୁ ନ ଛୁଇଁବାକୁ କୁହାଯାଇଛି। ବିଶ୍ବବିଦ୍ୟାଳୟ ଓ କଲେଜରେ ଆଲକହଲ୍‌ ବେସ୍‌ଡ ହ୍ୟାଣ୍ଡ କ୍ଲିନର ସୁବିଧା ଉପଲବ୍ଧ କରାଇବା, ରେଷ୍ଟ ରୁମ୍‌ରେ ସବୁ ସମୟରେ ସାବୁନ ଓ ପାଣି ରଖିବା, ପ୍ରତି କ୍ଲାସରୁମ୍‌/ରେଷ୍ଟରୁମ୍‌ରେ ପାଦରେ ପରିଚାଳିତ ପେଡାଲ ବିନ୍‌ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ନିୟମିତ ଭାବେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଯଦି ସନ୍ଦେହ ସୃଷ୍ଟି ହୁଏ ତେବେ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ କର୍ତୃପକ୍ଷଙ୍କ ସହ ଯୋଗା‌ଯୋଗ କରି ପରୀକ୍ଷା କରାଇବେ। ଏଥିସହ ଯଦି କରୋନା ଭୂତାଣୁର କୌଣସି ଲକ୍ଷଣ ଦେଖାଯାଏ ତେବେ ହେଲ୍‌ପ ଲାଇନ୍‌ ନମ୍ବର ‘୦୧୧-୨୩୯୭୮୪୬’ରେ ଯୋଗାଯୋଗ କରିବାକୁ କୁହାଯାଇଛି।

ଅନ୍ୟପକ୍ଷରେ କରୋନା ଭୂତାଣୁକୁ ନଜରରେ ରଖି ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ‌କ୍ୟାମ୍ପସରେ ସଚେତନତା‌ କାର୍ଯ୍ୟକ୍ରମ ଜାରି ରହିଛି। ଦିଲ୍ଲୀସ୍ଥିତ ଜେଏନ୍‌ୟୁରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ବୟୋମେଟ୍ରିକ୍‌ ଉପସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି। କରୋନା ବ୍ୟାପିବା ଆଶଙ୍କା ଥିବାରୁ ବାୟୋମେଟ୍ରିକ୍‌ ଉପସ୍ଥାନ ନ ଦେବାକୁ କୁହାଯାଇଛି। ଭୁବନେଶ୍ବର ଆଇଆଇଟିରେ ଆଜି ଦିନ ତମାମ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ଡାକ୍ତରମାନେ ସଚେନତ କରାଇଥିଲେ। କରୋନାକୁ କିଭଳି ପ୍ରତିହତ କରାଯାଇପାରିବ ସେନେଇ କୁହାଯାଇଥିଲା।


from Kanak News https://ift.tt/2TtNM5L https://ift.tt/37tqWj9
କରୋନାର କୋକୁଆ ଭୟ : ବିଶ୍ବବିଦ୍ୟାଳୟ ଓ କଲେଜ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌ Kanak News କରୋନାର କୋକୁଆ ଭୟ : ବିଶ୍ବବିଦ୍ୟାଳୟ ଓ କଲେଜ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌ Kanak News Reviewed by SUBHENDU BARAL on March 05, 2020 Rating: 5

No comments:

Powered by Blogger.